Advertisment

ଭିନ୍ନକ୍ଷମ ସାର୍ଟିଫିକେଟ୍‌ରେ ଆଇଏଏସ: ସନ୍ଦେହ ଘେରରେ ପୂଜା, ଅଭିଷେକ

ପୂଜା ଖେଡକରଙ୍କ ପରେ ଭିନ୍ନକ୍ଷମ ଆଧାରରେ ୨୦୧୧ ମସିହାରେ ଆଇଏଏସ୍‌ ଚାକିରି ପାଇଥିବା ଅଭିଷେକ ସିଂହ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Puja Khedka & Abhishek Singh

Puja Khedka & Abhishek Singh

ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍‌ ପୂଜା ଖେଡକର ନିଜ ଅଡି କାର୍‌ରେ ନାଲିବତୀ ଲଗାଇଥିବା ଘଟଣାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବା ନାଁ ଧରୁନି। ଆଇଏଏସ୍‌ ଚାକିରି ହାତେଇବାକୁ ସେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହେବା ପରେ UPSC ପରୀକ୍ଷାରେ ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ। ପୂଜାଙ୍କ ପରି ଭିନ୍ନକ୍ଷମ ଆଧାରରେ ୨୦୧୧ ମସିହାରେ ଆଇଏଏସ୍‌ ଚାକିରି ପାଇଥିବା ଅଭିଷେକ ସିଂହ ମଧ୍ୟ ଏଥିନିମନ୍ତେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।

Advertisment

୨୦୧୧ ବ୍ୟାଚର ଆଇଏଏସ୍‌ ଅଭିଷେକ ସିଂହ ଗତବର୍ଷ ନିଜ ଚାକିରିରୁ ଇସ୍ତଫା ଦେଇ ସାରିଛନ୍ତି। ସେ ଜଣେ ଅଭିନେତା ହେବାକୁ ଇଚ୍ଛୁକ ଥିବା କହିଥିବା ବେଳେ ତାଙ୍କ ଡ୍ୟାନ୍ସ ଓ ଜିମ୍‌ ଭିଡିଓ ବେଶ୍‌ ଭାଇରାଲ ହେଉଛି।

UPSC ପରୀକ୍ଷାରେ ଅଭିଷେକ ସିଂହ locomotor disability ଦ୍ୱାରା ଆକ୍ରାନ୍ତ ହୋଇଥିବା ନିଜ ସାର୍ଟିଫିକେଟରେ ଉଲ୍ଲେଖ କରିଥିଲେ। ଏଥିରେ ଆକ୍ରାନ୍ତଙ୍କ ଆଣ୍ଠୁ ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହେଉଥିବାରୁ ସିଧା ଚାଲିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ଏପରି ସ୍ଥିତିରେ ଅଭିଷେକଙ୍କ ନାଚ, ଗୀତ ଓ ଏକ୍ସରସାଇଜ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ ସୋଶାଲ ମିଡିଆରେ ତାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି।

Advertisment

ଏହାର ଉତ୍ତର ଦେବାକୁ ଯାଇ ଅଭିଷେକ କହିଛନ୍ତି, ମୁଁ ସଂରକ୍ଷଣ ବ୍ୟବସ୍ଥାକୁ ସମର୍ଥନ କରୁଥିବାରୁ ଏହାକୁ ବିରୋଧ କରୁଥିବା ଗୋଷ୍ଠୀ ମୋତେ ଟାର୍ଗେଟ କରୁଛନ୍ତି। ମୁଁ ଯାହା କିଛି ହାସଲ କରିଛି କଠିତ ପରିଶ୍ରମ ଓ ଅଧ୍ୟବସାୟ ବଳରେ କରିଛି, ସଂରକ୍ଷଣ ଦ୍ୱାରା ନୁହେଁ। କୌଣସି ସରକାରୀ ସାହାଯ୍ୟ ବିନା ମୁଁ ସମାଜସେବା କରି ଚାଲିଛି।

ଦେଶର ଜନସଂଖ୍ୟା ହିସାବରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଉଚିତ। ଏଦିଗରେ ମୁଁ କାର୍ଯ୍ୟ ମଧ୍ୟ କରୁଛି। ତେଣୁ ଯଦି ଆପଣଙ୍କର ନିଜ ସାମର୍ଥ୍ୟ ଉପରେ ଭରସା ରହିଛି ତେବେ ସରକାରୀ ଚାକିରି ପଛରେ ଦୌଡ଼ିବା ଛାଡ଼ି ଦିଅନ୍ତୁ। ନିଜ ଦମ୍‌ରେ ବ୍ୟବସାୟ, କ୍ରୀଡ଼ା, ଅଭିନୟ ଆଦି କ୍ଷେତ୍ରରେ ନିଜ ପାରିଦର୍ଶୀତାକୁ ଦେଖାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ଅଭିଷେକ। ଏଥିସହ ମୁଁ ନିଜ ଟାଲେଣ୍ଟ, ସାହସ, ଆତ୍ମବିଶ୍ୱାସ ବଦଳରେ ଆଗକୁ ବଢ଼ୁଛି, କାହା ଦୟାରେ ନୁହେଁ ବୋଲି ସେ କହିଛନ୍ତି।

ଆଇଏଏସ ପୂଜା ଖେଡକର ନିଜକୁ ମାନସିକ ଭିନ୍ନକ୍ଷମ ସହ ଦୃଷ୍ଟିବାଧିତ ବୋଲି ସାର୍ଟିଫିକେଟରେ ଉଲ୍ଲେଖ କରିଥିଲେ। ଏଥିନିମନ୍ତେ ମେଡିକାଲ ଟେଷ୍ଟ ପାଇଁ କୁହାଯିବାରୁ ଏହାକୁ କିନ୍ତୁ ପୂଜା ଏଡ଼ାଇ ଯାଇଥିଲେ।

ଜଣେ ମାନସିକ ଭିନ୍ନକ୍ଷମ ଯୁବତୀ କିପରି ଆଇଏଏସ୍‌ ଚାକିରି ପାଇଲେ ତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ତଦନ୍ତ ପାଇଁ ଜଣିକିଆ କମିଟି ଗଠିତ ହୋଇଛି। ପୂଜାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହେଲେ ସେ ନିଜ ଚାକିରିରୁ ହାତ ଧୋଇ ପାରନ୍ତି ଓ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ ବୋଲି କୁହାଯାଇଛି।

ପୂଜା ଖେଡକର ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ପୁଣେରେ ଟ୍ରେନି(ପ୍ରଶିକ୍ଷାର୍ଥୀ) ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ ବ୍ୟକ୍ତିଗତ ଅଡ଼ି କାରକୁ ନେଇ ବିବାଦ ସାମ୍ନାକୁ ଆସିଛି। ପୂଜା କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ, ଯାହା ପ୍ରୋବେସନ ଅବଧି ସମୟରେ ମିଳିନଥାଏ।

ଭିଆଇପି ନମ୍ବର ସହ ଏକ ସରକାରୀ କାର୍, ଆବାସ, ପର୍ଯ୍ୟାପ୍ତ କର୍ମଚାରୀ ଥିବା ଏକ ସରକାରୀ କୋଠା ଏବଂ ଜଣେ କନଷ୍ଟେବଳ ନିଯୁକ୍ତ କରିବାକୁ ଦାବି କରିଥିଲେ ପୂଜା ଖେଡକର। କେବଳ ଏତିକି ନୁହେଁ, ସେ ନିଜର ବ୍ୟକ୍ତିଗତ ଅଡି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ଏବଂ 'ମହାରାଷ୍ଟ୍ର ସରକାର' ବୋର୍ଡ ଲଗାଇଥିଲେ। ପୂଜାଙ୍କ ଅଡି କାରକୁ ଜବତ କରି ସାରିଛି ପୁଣେ ପୁଲିସ୍‌।

Ias Officer