Advertisment

Yadav family feud: ଦଳର ଲଜ୍ଜାଜନକ ପରାଜୟ ପରେ ଲାଲୁଙ୍କ ପରିବାରରେ ମହାଭାରତ; ଭଉଣୀ ରୋହିଣୀଙ୍କୁ ପିଟିବାକୁ ଚପଲ ଉଠାଇଥିଲେ ତେଜସ୍ୱୀ

ଶୁକ୍ରବାର ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲାଲୁଙ୍କ ପରିବାରରେ ଦେଖାଦେଇଥିଲା ଅସନ୍ତୋଷ। ଆଉ ଶନିବାର ଅପରାହ୍ନ ବେଳକୁ ଏହି ଅସନ୍ତୋଷ ଝଡ଼ର ରୂପ ନେଇଥିଲା।

RJD
Advertisment

ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (RJD)ର ଲଜ୍ଜାଜନକ ପରାଜୟ ପରେ ଏହାର ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଦେଖାଯାଇଛି ବିବାଦ। ତାଙ୍କ ପୁଅ ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଓ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ ହୋଇଛି ପ୍ରବଳ ଝଗଡ଼ା। ଏମିତିକି ଉତ୍‌କ୍ଷିପ୍ତ ହୋଇ ତେଜସ୍ୱୀ ଭଉଣୀ ରୋହିଣୀଙ୍କୁ ପିଟିବାକୁ ଚପଲ ଉଠାଇଥିଲେ। ଏହା ପରେ ରୋହିଣୀ ଉଭୟ ରାଜନୀତି ଓ ପରିବାର ଛାଡ଼ିଛନ୍ତି।

Advertisment

ଶୁକ୍ରବାର ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଲାଲୁଙ୍କ ପରିବାରରେ ଦେଖା ଦେଇଥିଲା ଅସନ୍ତୋଷ। ତେଜସ୍ୱୀଙ୍କ ଟିମ୍ ଉପରେ କ୍ଷୁବ୍ଧ ହୋଇଥିଲେ ଲାଲୁ ଓ ତାଙ୍କ ପତ୍ନୀ। ସେମାନେ ଠିକ୍ ଢଙ୍ଗରେ ନିର୍ବାଚନ ପ୍ରଚାରକୁ ପରିଚାଳିତ କରି ନଥିଲେ ବୋଲି କହିଥିଲେ ଲାଲୁ ଓ ତାଙ୍କ ପତ୍ନୀ। ଦଳର ବରିଷ୍ଠ ନେତାମାନେ ମଧ୍ୟ ଏହି ପରାଜୟ ପାଇଁ ତେଜସ୍ୱୀଙ୍କ କୋର୍‌ ଟିମ୍‌କୁ ଦାୟୀ କରିଥିଲେ। ଶନିବାର (ଗତକାଲି) ଅପରାହ୍ନ ବେଳକୁ ଏହି ଅସନ୍ତୋଷ ଝଡ଼ର ରୂପ ନେଇଥିଲା। ତେଜସ୍ୱୀଙ୍କ ସହିତ ମୁହାଁମୁହିଁ ହୋଇଥିଲେ ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ। ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ସେ ତେଜସ୍ୱୀଙ୍କ ଘନିଷ୍ଠ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଓ ତାଙ୍କ ଟିମ୍‌କୁ ଦାୟୀ କରିଥିଲେ। କିନ୍ତୁ ତେଜସ୍ୱୀ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। 

ରୋହିଣୀ କହିଥିଲେ ଯେ ତେଜସ୍ୱୀ କେବଳ ତାଙ୍କର ଘନିଷ୍ଠ ସଞ୍ଜୟ ଯାଦବଙ୍କ ପରାମର୍ଶକୁ ଗ୍ରହଣ କରିଥିଲେ। ଯଦି ନିର୍ବାଚନରେ ସଞ୍ଜୟ ଯାଦବ ସବୁ କଥା ବୁଝୁଥିଲେ, ତା’ହେଲେ ଏହି ପରାଜୟ ପାଇଁ ସେ ଦାୟୀ ରହିବା ଉଚିତ। 
ଏହା ସହିତ ସେ ସୁମିତଙ୍କୁ ବିରୋଧ କରିଥିଲେ। ସୁମିତ ହେଉଛନ୍ତି ସଞ୍ଜୟ ଯାଦବଙ୍କ ଶାଳକ। ସେ ଏବେ ତେଜସ୍ୱୀଙ୍କ ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ସଞ୍ଜୟଙ୍କ ଅନ୍ୟ ଦୁଇ ସହଯୋଗୀ ରମୀଜ ଓ ଅଦନାନଙ୍କ ଉପରେ ବର୍ଷିଥିଲେ ରୋହିଣୀ। ଫଳରେ ତେଜସ୍ୱୀ ଖୁବ୍ ରାଗି ଯାଇଥିଲେ ଓ ରୋହିଣୀଙ୍କୁ ପିଟିବାକୁ ଚପଲ ଉଠାଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ମିସା ଭାରତୀ (ଲାଲୁଙ୍କ ଆଉ ଜଣେ ଝିଅ) ହସ୍ତକ୍ଷେପ କରିଥିଲେ। 

Advertisment

ଭାଇ ତେଜସ୍ୱୀଙ୍କ ସହିତ ଝଗଡ଼ା ପରେ ରୋହିଣୀ ତୁରନ୍ତ ଘର ଛାଡ଼ି ପଳାଇବା ପାଇଁ ବାହାରିଥିଲେ। କିନ୍ତୁ ତାଙ୍କ ମା’ ରାବଡ଼ି ଦେବୀ ତାଙ୍କୁ ଅଟକାଇଥିଲେ। ତେବେ ସନ୍ଧ୍ୟାରେ ରୋହିଣୀ ଦିଲ୍ଲୀ ପଳାଇଥିଲେ। ଏମିତିକି ଗତକାଲି ଅପରାହ୍ନରେ ସେ ଏକ୍ସରେ ଏକ ପୋଷ୍ଟ କରି ରାଜନୀତି ଛାଡ଼ିବା ସହିତ ଘର ଲୋକଙ୍କ ସହିତ ସବୁ ସଂପର୍କ ଚ୍ଛିନ୍ନ କରିଥିବା କହିଥିଲେ। 

ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ରୋହିଣୀ ଏକ୍ସରେ ଏକାଧିକ ପୋଷ୍ଟ କରିଛନ୍ତି। ଆଜି ଏକ ପୋଷ୍ଟରେ ସେ ଲେଖିଛନ୍ତି, ଗତକାଲି ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତା ମହିଳା, ଜଣେ ମା’ଙ୍କୁ ଅପମାନିତ କରାଯାଇଛି। ଖରାପ ଭାଷାରେ ଗାଳି କରାଯାଇଛି। ପିଟିବା ପାଇଁ ଚପଲ ଉଠାଯାଇଛି।  ମୁଁ ମୋ ଆତ୍ମସମ୍ମାନ ସହିତ ବୁଝାମଣା କରି ନାହିଁ। ମୁଁ ସତକୁ ସମର୍ପଣ କଲି ନାହିଁ। କେବଳ ସେଥିପାଇଁ ମୋତେ ଅପମାନିତ କରାଗଲା। 

ସେ ଆହୁରି ଲେଖିଛନ୍ତି, ଗତକାଲି ଜଣେ ଝିଅ ବାଧ୍ୟବାଧକତାରେ ତା’ର କ୍ରନ୍ଦନରତ ବାପାମା’ ଓ ଭଉଣୀମାନଙ୍କୁ ଛାଡ଼ି ଘରୁ ବାହାରି ଆସିଥିଲା। ସେମାନେ ମୋତେ ମୋ ବାପ ଘରୁ ତଡ଼ି ଦେଲେ। ସେମାନେ ମୋତେ ଅନାଥ କରିଦେଲେ। 

ସେହିପରି ଆଜି ଅନ୍ୟ ଏକ ପୋଷ୍ଟରେ ରୋହିଣୀ ଲେଖିଛନ୍ତି, ଗତକାଲି ମୋତେ ଗାଳି କରି କୁହାଗଲା ଯେ ମୁଁ ଖରାପ। ମୁଁ ମୋ ବାପାଙ୍କୁ ମୋର ଦୂଷିତ କିଡ୍‌ନୀ ଦେଇଛି। କୋଟି କୋଟି ଟଙ୍କା ନେଇଛି। ଟିକେଟ୍ ନେଇଛି। ତା’ପରେ ଯାଇ କିଡ୍‌ନୀ ଦେଇଛି। ବାହା ହୋଇଥିବା ସମସ୍ତ ଝିଅ ଓ ଭଉଣୀମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଯାହା ଘରେ ଭାଇ ଥିବେ ସେମାନେ ସେମାନଙ୍କ ଭଗବାନ ତୁଲ୍ୟ ବାପାମାନଙ୍କୁ ଆଦୌ ବଞ୍ଚାନ୍ତୁ ନାହିଁ। ଆପଣମାନେ ସେହି ଘରର ପୁଅକୁ କୁହନ୍ତୁ ଯେ ସେମାନେ ସେମାନଙ୍କର ହରିୟାଣର କୌଣସି ବନ୍ଧୁଙ୍କ କିଡ୍‌ନୀ ଆଣି ଲଗାଇ ଦିଅନ୍ତୁ। ସମସ୍ତ ଭଉଣୀ ଓ ଝିଅମାନେ ସେମାନଙ୍କ ମା’ବାପାଙ୍କ ଚିନ୍ତା ନ କରି ନିଜ ଛୁଆ, ନିଜ ଶ୍ୱଶୁର ଘର ଓ ନିଜ କଥା ଚିନ୍ତା କରନ୍ତୁ। ମୋର ଭୁଲ୍ ହୋଇଗଲା ଯେ ବାପାଙ୍କୁ କିଡ୍‌ନୀ ଦେଲା ବେଳେ ମୁଁ ମୋର ତିନିଟି ଛୁଆ ଓ ସ୍ୱାମୀଙ୍କ କଥା ଭାବି ନଥିଲି। ବାପାଙ୍କୁ କିଡ୍‌ନୀ ଦେବା ପାଇଁ ଶ୍ୱଶୁର ଘରୁ ଅନୁମତି ଆଣି ନଥିଲି। ମୋର ଭଗବାନ ମୋ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଯାହା କଲି, ତାକୁ ଆଜି ଖରାପ ବୋଲି କୁହାଯାଉଛି। ଆପଣମାନେ ମୋ ଭଳି ଭୁଲ୍ କେବେ କରିବେ ନାହିଁ। କାହାରି ଘରେ ରୋହିଣୀ ଭଳି ଝିଅ ଜନ୍ମ ନହୁଅନ୍ତୁ।

ଗତକାଲି ଅପରାହ୍ନରେ ଏକ୍ସରେ ଏକ ପୋଷ୍ଟ କରି ରୋହିଣୀ ଲେଖିଥିଲେ ଯେ ସେ ରାଜନୀତି ଛାଡ଼ୁଛନ୍ତି। ତା’ ସହିତ ପରିବାର ଲୋକଙ୍କ ସହିତ ସଂପର୍କ ଚ୍ଛିନ୍ନ କରୁଛନ୍ତି। ଏମିତି କରିବାକୁ ତାଙ୍କୁ ସଞ୍ଜୟ ଯାଦବ ଓ ରମୀଜ କହିଥିବା ସେ ଲେଖିଥିଲେ। ଏହା ସହିତ ସେ ସବୁ ଦୋଷ ନିଜ ମୁଣ୍ଡକୁ ନେଉଛନ୍ତି ବୋଲି ଲେଖିଥିଲେ। 

ଅନ୍ୟପକ୍ଷରେ ଆରଜେଡି ସାଂସଦ ସଞ୍ଜୟ ଯାଦବ ତାଙ୍କ ବିରୋଧରେ ରୋହିଣୀ ଆଣିଥିବା ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ସେହିପରି ରମୀଜ ମଧ୍ୟ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

ରୋହିଣୀ ଆଚାର୍ଯ୍ୟ ଜଣେ ଡାକ୍ତର। ସେ ତାଙ୍କ ସ୍ୱାମୀଙ୍କ ସହିତ ସିଙ୍ଗାପୁରରେ ରହନ୍ତି। ୨୦୨୪ରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ତେବେ ସେ ହାରି ଯାଇଥିଲେ। 

ସୂଚନାଯୋଗ୍ୟ, ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଲାଲୁଙ୍କ ଆରଜେଡି ମାତ୍ର ୨୫ଟି ଆସନ ଜିତିଛି। ଅନ୍ୟପକ୍ଷରେ ୨୦୨୦ ନିର୍ବାଚନରେ ଦଳ ୭୫ଟି ଆସନରେ ବିଜୟୀ ହୋଇଥିଲା। 

RJD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe