/odisha-reporter/media/media_files/2026/02/25/dhaka-2026-02-25-19-04-42.jpg)
ଆରମ୍ଭ ହେଲା ବସ ସେବା
ପ୍ରାୟ ୧୮ ମାସର ବିରତି ପରେ ଅଗରତାଲା–ଢାକା–କୋଲକାତା ଓ କୋଲକାତା(Kolkata)–ଢାକା(Dhaka)–ଅଗରତାଲା ରୁଟ୍ରେ ଚାଲୁଥିବା ଅନ୍ତର୍ଜାତୀୟ ‘ମୈତ୍ରୀ’ ବସ୍ ସେବା ପୁନର୍ବାର ଆରମ୍ଭ ହୋଇଛି। ଏହାକୁ ଭାରତ ଓ ବାଂଲାଦେଶ ମଧ୍ୟରେ ସୀମାପାର ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିଚାର କରାଯାଉଛି।
ପ୍ରଥମ ଦିନରେ ‘ମୈତ୍ରୀ’ ବସ୍ କୋଲକାତାରୁ ଯାତ୍ରା ଆରମ୍ଭ କରି ଢାକା ହୋଇ ଆଗରତାଲାର ଅଖୌରା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟରେ ପହଞ୍ଚିଥିଲା। ବାଂଲାଦେଶରେ ତାରିକ୍ ରହମାନଙ୍କ ନୂଆ ବିଏନପି ସରକାର ଗଠନ ହେବାପରେ, ଏହି ଦୀର୍ଘ ଦୂରତା ବିଶିଷ୍ଟ ଅନ୍ତର୍ଜାତୀୟ ବସ୍ ସେବାର ପୁନରୁଦ୍ଧାର, ଦୁଇ ଦେଶର ଦ୍ୱିପକ୍ଷିକ ସମ୍ପର୍କ ଓ ସହଯୋଗ ବୃଦ୍ଧି ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କୁହାଯାଇ ପାରେ।
ବସ୍ ସେବା ଆରମ୍ଭ ଅବସରରେ ଉପସ୍ଥିତ ଗଣମାଧ୍ୟମ ସମ୍ମୁଖରେ ପଶ୍ଚିମବଙ୍ଗ ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କହିଛନ୍ତି ଯେ, ଏହି ରୁଟ୍ ପୁଣି ଥରେ ଖୋଲା ଯାଇଥିବାରୁ ପର୍ଯ୍ୟଟନ, ବ୍ୟବସାୟ ଓ ସାଂସ୍କୃତିକ ଆଦାନ-ପ୍ରଦାନ ଗତିଶୀଳ ହେବ। ସୁରକ୍ଷା ଓ ସଂଯୋଗ ବ୍ୟବସ୍ଥାରେ ସୁଧାର ଆସିବ, ତା ସହିତ ଦୁଇ ଦେଶର ଲୋକ-ସମ୍ପର୍କ ଆହୁରି ମଜବୁତ ହେବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।
ମନ୍ତ୍ରୀ ଏଥିସହିତ, ଉତ୍ତର-ପୂର୍ବ ଭାରତର ଆର୍ଥିକ ଉନ୍ନତି ପାଇଁ ବିକଶିତ ଅଞ୍ଚଳ ସହ ସଂଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ମୈତ୍ରୀ ସେତୁର ବ୍ୟବହାର ଅଧିକରୁ ଅଧିକ କରିବା ସହିତ, ଏହାକୁ ରେଳ ସଂଯୋଗ ଓ ବନ୍ଦର ସହିତ ଯୋଡ଼ିପାରିଲେ ଉତ୍ତର-ପୂର୍ବରେ ବ୍ୟବସାୟ ଓ ଅର୍ଥନୀତି ଅନେକାଂଶରେ ଲାଭାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି।
ବସ୍ ସେବାର ପ୍ରଥମ ଦିନ ୧୮ ଜଣ ଯାତ୍ରୀ କୋଲକାତାରୁ ଯାତ୍ରା କରିଥିଲେ। ପ୍ରାୟ ଦେଢ଼ବର୍ଷ ଧରି ସେବା ବନ୍ଦ ରହିଥିବାରୁ ପର୍ଯ୍ୟଟନ, ବ୍ୟାପାର ଓ ଆଂଚଳିକ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିଥିଲା। ଶେଷ ଆଡ଼କୁ ଦୁଇଦେଶ ମଧ୍ୟରେ ତିକ୍ତତା ଅଧିକ ବୃଦ୍ଧି ପାଇଥିଲା ଓ ବ୍ୟବସାୟ ବାଣିଜ୍ୟରେ ଅଧିକ କ୍ଷତି ହୋଇଥିଲା। ବର୍ତ୍ତମାନ ମୈତ୍ରୀ ବସ୍ ସେବାର ପୁନଃ ଆରମ୍ଭ ହୋଇଥିବାରୁ ପୁଣିଥରେ ଦୁଇ ଦେଶ ମଧ୍ୟରେ ଆର୍ଥିକ କାରବାର ଓ ସୀମାପାର ଆମଦାନି-ରପ୍ତାନୀ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଯାତ୍ରୀମାନେ ଓ ଅଧିକାରୀମାନେ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଯାତ୍ରା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ରାସ୍ତାରେ କୌଣସି ପ୍ରକାର ବଡ଼ ସମସ୍ୟା ଦେଖାଯାଇ ନଥିଲା। କୋଲକାତା ମହାନଗର ଅଞ୍ଚଳରେ କିଛି ସମସ୍ୟା ହୋଇପାରେ ବୋଲି ଚିନ୍ତା ଥିଲେ ମଧ୍ୟ ସାମଗ୍ରିକ ପରିସ୍ଥିତି ସାଧାରଣ ରହିଥିଲା।
ଉଲ୍ଲେଖନୀୟ ଯେ ଅଗରତାଲା–ଢାକା ବସ୍ ସେବା ମଧ୍ୟ ନିୟମିତ ଭାବେ ପୁଣି ଚାଲୁ ହେବାକୁ ଯାଉଛି, ଯାହା ଦୁଇଦେଶ ମଧ୍ୟରେ ଆନ୍ତର୍ଜାତୀୟ ସଂଯୋଗକୁ ଆହୁରି ଶକ୍ତିଶାଳୀ କରିବ।
ଏହି ପରିପ୍ରେକ୍ଷିତରେ ଢାକାସ୍ଥ ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମା ରବିବାର କହିଛନ୍ତି ଯେ, ଭାରତ ନୂତନ ବାଙ୍ଗ୍ଲାଦେଶ ସରକାର ସହ ସମ୍ପର୍କକୁ ଆହୁରି ଶକ୍ତ କରିବାକୁ ଇଚ୍ଛୁକ। ସେ କହିଛନ୍ତି, “ବାଙ୍ଗ୍ଲାଦେଶ ସହ ଆମର ଐତିହାସିକ ସମ୍ପର୍କକୁ ଆଧାର କରି ଦ୍ୱିପକ୍ଷୀୟ ବହୁମାତ୍ରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଇଚ୍ଛା ଆମେ ବ୍ୟକ୍ତ କରିଛୁ। ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଓ ସମାବେଶୀ ବାଙ୍ଗ୍ଲାଦେଶକୁ ସମର୍ଥନ କରିବାରେ ଆମେ ପ୍ରତିବଦ୍ଧ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
