Advertisment

ଅତିକ ହତ୍ୟାକାରୀର ବୟସକୁ ନେଇ ଦ୍ୱନ୍ଦ୍ୱ; ହେବ ମେଡିକାଲ ଟେଷ୍ଟ

ଅତିକର ହତ୍ୟାକାରୀ ଅରୁଣ ମୌର୍ଯ୍ୟ ନାବାଳକ ନା ସାବାଳକ ଏନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ପୁଲିସ୍‌ ତାଙ୍କ ପ୍ରକୃତ ବୟସ ଜାଣିବାକୁ କରିବ ବୟସ ଚିହ୍ନଟକାରୀ ଟେଷ୍ଟ

author-image
Niharika Rout
Murder Case

Murder Case

ଉତ୍ତରପ୍ରଦେଶର କୁଖ୍ୟାତ୍‌ ଗ୍ୟାଙ୍ଗଷ୍ଟାର ଅତିକ ଓ ତା’ର ଭାଇ ଅଶରଫଙ୍କ ଉପରକୁ ପୁଲିସ୍‌ ଉପସ୍ଥିତିରେ ଗୁଳି ବର୍ଷା କରି ହତ୍ୟା କରିଥିଲେ ୩ ସୁଟର ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି । ୨ ଗ୍ୟାଙ୍ଗଷ୍ଟାରଙ୍କ ମର୍ଡର କେସ୍‌ରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ସଙ୍ଗେସଙ୍ଗେ ବାନ୍ଧିଥିବା ବେଳେ ଏବେ ଅରୁଣ ମୌର୍ଯ୍ୟଙ୍କ ବୟସକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଅରୁଣ ମୌର୍ଯ୍ୟ ନାବାଳକ ନା ସାବାଳକ ଏନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ପୁଲିସ୍‌ ତାଙ୍କ ପ୍ରକୃତ ବୟସ ଜାଣିବାକୁ କରିବ ବୟସ ଚିହ୍ନଟକାରୀ ଟେଷ୍ଟ (Age Identifacation Test ) .

Advertisment

ଅତିକଙ୍କର ହତ୍ୟା ଅଭିଯୁକ୍ତ ଅରୁଣ ମୌର୍ଯ୍ୟଙ୍କ ବୟସ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଦେଖାଯାଉଛି। ଅତିକ ହତ୍ୟା ସମୟରେ ଅରୁଣ ୧୮ ବର୍ଷ ଅତିକ୍ରମ କରି ସାରିଥିବା ପୁଲିସ୍‌ କହୁଥିବା ବେଳେ କାସଗଞ୍ଜର ରାଶନ କାର୍ଡ ଅନୁଯାୟୀ, ତା’ ବୟସ ୧୮ ବର୍ଷରୁ କମ୍‌। ଅପରପକ୍ଷେ, ପାନିପଥ ପୁଲିସ୍‌ ଅରୁଣର ବୟସ ୩୧ ବର୍ଷ ବୋଲି କହିଛି।

ୟୁପିର କାସଗଞ୍ଜ ଜିଲ୍ଲାରେ ଥିବା ରାଶନ କାର୍ଡରେ ଘଟଣା ସମୟରେ ଅରୁଣ ମୌର୍ଯ୍ୟ ବୟସ ୧୭ ବର୍ଷ ୩ ମାସ ଓ ୧୫ ଦିନ ହୋଇଥିଲା। ତେଣୁ ତାଙ୍କୁ ନାବାଳକ ଦର୍ଶାଇ ଖସାଇବାକୁ ଯଥା ସମ୍ଭବ ପ୍ରଚେଷ୍ଠା ଚାଲୁଥିବା ବେଳେ ଏବେ ଏହାର ପ୍ରକୃତ ସତ୍ୟ ବାହାର କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ୍‌। ସେଥିନିମନ୍ତେ ଖୁବ୍‌ ଶୀଘ୍ର ତା’ର ମେଡିକାଲ ଟେଷ୍ଟ ହେବ ବୋଲି ଜଣାଯାଇଛି । 

Advertisment

ଅରୁଣ ମୌର୍ଯ୍ୟ ଛୋଟ ଥିବା ବେଳେ ତାଙ୍କ ବାପାମା’ଙ୍କ ମୃତ୍ୟୁ ହୋଇଯାଇଥିଲା । ଖୁବ୍‌ କମ୍‌ ବୟସରୁ ଗାଁ ଛାଡ଼ି ଦେଇଥିବା ଅରୁଣ ଛୋଟ ବେଳୁ ହିଁ ଅପରାଧ ଦୁନିଆରେ ପାଦ ଦେଇଥିଲେ। ଛୋଟ ବେଳୁ ସେ ଟ୍ରେନ୍‌ ଲୁଟ୍‌ରେ ସାମିଲ ହୋଇଥିବା ବେଳେ ସିପାହୀଙ୍କୁ ବି ଗୁଳି କରି ହତ୍ୟା କରିଥିଲେ। ଅରୁଣଙ୍କ ଅପରାଧିକ କାର୍ଯ୍ୟକଳାପ ପାଇଁ ତା’ ସହ କିଛି ସମ୍ପର୍କ ନ ଥିବା ତାଙ୍କ ଦାଦା ଖୁଡ଼ି କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ କଡ଼ା ପୁଲିସ୍‌ ସୁରକ୍ଷା ବଳୟରେ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ  ମେଡିକାଲ ଚେକ୍‌ଅପ୍‌ ପାଇଁ ନିଆ ଯାଉଥିଲା। ଉକ୍ତ ସମୟରେ ୩ ସୁଟ୍‌ର ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି ସର୍ବ ସମ୍ମୁଖରେ ଉଭୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ସେମାନେ ହାତ ଟେକି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହି ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

Murder Atiq Ahmed