Advertisment

ଏୟାର ଫୋର୍ସ ଇଞ୍ଜିନିୟରଙ୍କ ମୃତ୍ୟୁ: ଲୁଟ ପାଇଁ ହତ୍ୟା ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର?

ଗୁଳି ମାଡ଼ର ଶବ୍ଦ ଯେମିତି କେହି ଶୁଣି ନ ପାରିବେ, ସେଥିପାଇଁ ହତ୍ୟାକାରୀ ପିସ୍ତଲରେ ସାଇଲେନ୍ସର ଲଗାଇଥିଲା। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲା।

SN Mishra

SN Mishra

Advertisment

ଭାରତୀୟ ବାୟୁ ସେନାର ମୁଖ୍ୟ ଇଞ୍ଜିନିୟର ଏସଏନ ମିଶ୍ରାଙ୍କ ହତ୍ୟା ଘଟଣାରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଉଚ୍ଚ ସୁରକ୍ଷାବଳୟ ମଧ୍ୟରେ ଥିବା କେନ୍ଦ୍ରୀୟ ଏୟାର କମାଣ୍ଡ ମୁଖ୍ୟାଳୟରେ ମାର୍ଚ୍ଚ ୨୯ ତାରିଖରେ ଶ୍ରୀ ମିଶ୍ରାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ୍‌ କହିଛି ଯେ ଗିରଫ ଅଭିଯୁକ୍ତ ସୌରଭ କୁମାର ଘଟଣା ଦିନ ମିଶ୍ରାଙ୍କ ବାସଭବନରେ ଚୋରି କରିବାକୁ ପଶିଥିଲା। ଲୁଟ ଉଦ୍ଦେଶ୍ୟରେ ସେ ତାଙ୍କୁ ଗୁଳି କରି ମାରି ଦେଇଥିଲା। କିନ୍ତୁ ଏସଏନ ମିଶ୍ରାଙ୍କ ପରିବାର ପୁଲିସ୍‌ର ଏହି ଯୁକ୍ତିକୁ ଗ୍ରହଣ କରି ନାହାନ୍ତି। ସେମାନେ ମିଶ୍ରାଙ୍କ ହତ୍ୟା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି। ଏଥିସହ ଅଭିଯୁକ୍ତ ସୌରଭ କୁମାର ସୁପାରୀ ନେଇ ଏପରି ହତ୍ୟା କରିଥିବା କହିଛନ୍ତି।

Advertisment

ପୁଲିସ୍‌ କହିଛି ଯେ କୁମାର ଏୟାର ବେସ୍‌ର ବାଉଣ୍ଡରୀ ନିକଟରେ ଥିବା ଗଛରେ ଚଢ଼ି ଭିତରକୁ ଯାଇଥିଲା। ଭିତରେ ପଶିବା ପରେ ସେ କିଛି ସିସିଟିଭି ତାର କାଟି ଦେଇଥିଲା। ଡୋର ବେଲ ବଜାଇ ଥିଲା ଓ ମୁଖ୍ୟ ଦ୍ୱାର କାଟି ଭିତରେ ପଶିବାକୁ ଚେଷ୍ଟା କରିଥିଲା। ଏଥିରେ ଫେଲ ମାରିବାରୁ ସେ ଘରର ପଛ ପାଖକୁ ଯାଇଥିଲା। ସେଠାରେ ଥିବା ଝରକାକୁ ବାଡ଼େଇଥିଲା। ମିଶ୍ରା ଏହାକୁ ଖୋଲିବା ମାତ୍ରେ କୁମାର ତାଙ୍କୁ ଅତି ନିକଟରୁ ଗୁଳି କରି ଦେଇଥିଲା।

ମିଶ୍ରାଙ୍କ ପରିବାରର ଓକିଲ ସୌରଭ ପ୍ରତାପ ସିଂହ କହିଛନ୍ତି, “କୁମାର ଘରର ପଛ ପଟେ ୫ ମିନିଟ ଛିଡ଼ା ହୋଇଥିଲା ଓ ଏହା ପରେ ଝରକା ବାଡ଼େଇ ଥିଲା। ମିଶ୍ରା ଶବ୍ଦ ଶୁଣି ଏହାକୁ ଖୋଲିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କୁମାର ତାଙ୍କ ଉପରକୁ ଗୁଳି କରିଥିଲା। ପୁଲିସର ଲୁଟ ଥିଓରୀରେ ସତ୍ୟତା ନାହିଁ। ଚୋରି କରିବା ଆସିଥିବା ଲୋକ ରାତି ୩ଟାରେ ଡୋର ବେଲ କାହିଁକି ମାରିବ?”

Advertisment

ପରିବାର ଲୋକ ଦାବି କରିଛନ୍ତି ଯେ ଗୁଳି ମାଡ଼ର ଶବ୍ଦ ଯେମିତି କେହି ଶୁଣି ନ ପାରିବେ, ସେଥିପାଇଁ ହତ୍ୟାକାରୀ ପିସ୍ତଲରେ ସାଇଲେନ୍ସର ଲଗାଇଥିଲା। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲା। ପୁଲିସ୍‌ ଜାରି କରିଥିବା ସିସିଟିଭିରେ ଦେଖାଯାଉଛି ଯେ କୁମାର ମୁହଁରେ କପଡ଼ା ଗୁଡ଼ାଇଛି ଓ ତା’ କାନ୍ଧରେ ବ୍ୟାଗ ପଡ଼ିଛି। ଏପରି ଅବସ୍ଥାରେ ସେ ଝରକା ପଟେ ଘର ଭିତରୁ ବନ୍ଧୁକ ଦେଖାଇଛି।

ଏହା କୁମାରର ପ୍ରଥମ ପ୍ରୟାସ ନୁହେଁ। ମାର୍ଚ୍ଚ ୧୪ରେ ସେ ସମାନ ବାସଭବନରେ ପଶିବାକୁ ଚେଷ୍ଟା କରିଥିଲା। କିନ୍ତୁ ଧରା ପଡ଼ିଯିବା ଭୟରେ ଚାଲି ଯାଇଥିଲା। ଏନେଇ ଏସଏନ ମିଶ୍ରା ଏୟାର ଫୋର୍ସ ଅଧିକାରୀ ଓ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଯଦି କୁମାର ଲୁଟ ଉଦ୍ଦେଶ୍ୟରେ ଆସିଥିଲା, ତା’ହେଲେ ସେ କାହିଁକି ମାର୍ଚ୍ଚ ୨୩ରୁ ୨୬ ମଧ୍ୟରେ ଚୋରି କଲା ନାହିଁ? କାରଣ ସେହି ସମୟରେ ଘରେ କେହି ନଥିଲେ ବୋଲି ପରିବାର ଲୋକ ପ୍ରଶ୍ନ କରିଛନ୍ତି। 

ପୁଲିସ୍‌ କିହିଛି ଚୋରି ପାଇଁ କୁମାର, ତା’ ବାପା ଶିବ କୁମାର ଓ ମା’ ସୁନୀତା ଦେବୀ ଯୋଜନା କରିଥିଲେ। ଉକ୍ତ କ୍ୟାମ୍ପସ ମଧ୍ୟରେ ଥିବା ଏକାଧିକ ଘରେ ଶିବ ଓ ସୁନୀତା କାମ କରନ୍ତି। କୁମାରର ଭାଇ ସନ୍ନି ଏବେ ଜେଲରେ ରହିଛି। କୌଶମ୍ଭୀ ଅଞ୍ଚଳରେ ଗୋଟିଏ ହତ୍ୟା ମାମଲାରେ ତା’କୁ ଜେଲରେ ରହିବାକୁ ପଡ଼ିଛି। ତା’ର ବେଲ କରାଇବା ପାଇଁ ପରିବାରକୁ ଟଙ୍କା ଦରକାର ଥିଲା। ତେଣୁ ସେମାନେ ଚୋରିକୁ ମାଧ୍ୟମ କରିଥିଲେ।

କିନ୍ତୁ ଏସଏନ ମିଶ୍ରାଙ୍କ ଓକିଲ କହିଛନ୍ତି, “କୁମାର ୨.୫ ଲକ୍ଷରୁ ଗାଡ଼ି ଚଳାଉଛି। ତା’ ପାଖରେ ୧.୫ ଲକ୍ଷର ଫୋନ ରହିଛି। ସେ ୫୦ ହଜାର ଟଙ୍କା ଦେଇ ବନ୍ଧୁକ ଆଣିଥିଲା। ଏପରି ସ୍ଥିତିରେ ତା’କୁ ଚୋରି କରିବାର ଆବଶ୍ୟକତା କ’ଣ? ନିକଟରେ ଶ୍ରୀ ମିଶ୍ରା ଏକାଧିକ କଣ୍ଟ୍ରାକ୍ଟରଙ୍କ କଣ୍ଟ୍ରାକ୍ଟକୁ ବାତିଲ କରି ଦେଇଥିଲେ। ଏହାକୁ ନେଇ ତାଙ୍କ ଉପରେ କିଛି ଲୋକ ଖପ୍ପା ଥିଲେ। ଆମର ବିଶ୍ୱାସ ସୌରଭ କୁମାରକୁ ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା। କେହି ଜଣେ ତା’କୁ ୧୦ରୁ ୧୫ ଲକ୍ଷ ଦେଇ ଏପରି କରିଛି। ଯଦି ଚୋରି ତା’ର ଏକମାତ୍ର ଉଦ୍ଦେଶ୍ୟ ଥିଲା, ତା’ହେଲେ ସେ କାହିଁକି ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନକୁ ଏଥିପାଇଁ ବାଛିଲା?”

ପୁଲିସ୍‌ର କହିବା କଥା ଯେ କଡ଼ା ସୁରକ୍ଷା ସତ୍ତ୍ୱେ ଅଭିଯୁକ୍ତ ଜଣଙ୍କ ୨ ଥର କ୍ୟାମ୍ପସ ଭିତରେ ପ୍ରବେଶ କରିଥିଲା। ଏଥିରୁ ଜଣାପଡ଼ୁଛି ଯେ କମାଉଣ୍ଡର ଲେ’ଆଉଟ ବିଷୟରେ ତା’କୁ ବେଶ ଭଲ ଭାବେ ଜଣାଥିଲା। ପ୍ରାଥମିକ ଭାବେ ଚୋରି ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହୋଇଛି। କିନ୍ତୁ ପୁଲିସ୍‌ ସବୁ ଦିଗରୁ ତଦନ୍ତ କରୁଥିବା ଡିପିସି ଅଭିଷେକ ଭାରତୀ ସୂଚନା ଦେଇଛନ୍ତି।

Uttar Pradesh IAF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe