ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ
ଭାରତୀୟ ବାୟୁ ସେନାର ସୁଖୋଇ ଏସ୍-୩୦ ଏମକେଆଇ ଯୁଦ୍ଧ ବିମାନ ଗୁରୁବାର ଆସାମ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ କ୍ରାଶ(Air Crash) ହୋଇଛି। ଏଥିରେ ଦୁଇ ଜଣ ପାଇଲଟ ସ୍କ୍ୱାଡ୍ରନ୍ ଲିଡର ଅନୁଜ ଓ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକର ପ୍ରାଣ ହରାଇଛନ୍ତି। ଏବେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି।
ଗତବର୍ଷ ମେ’ ମାସରେ ଭାରତୀୟ ସେନା ପାକିସ୍ତାନରେ କରିଥିବା ଅପରେସନ ସିନ୍ଦୂରରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ସାମିଲ ହୋଇ ନିଜର ପରାକ୍ରମ ଦେଇଥିଲେ। ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୧୦ରୁ ଅଧିକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା।
ଭାରତୀୟ ବାୟୁ ସେନାର ବାୟୁଯୋଦ୍ଧାମାନେ ମାତ୍ର କିଛି ମିନିଟରେ ଏୟାର ଷ୍ଟ୍ରାଇକ ବଳରେ ଆତଙ୍କୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲେ। ଏହି ବାୟୁବୀରଙ୍କ ମଧ୍ୟରେ ଥିଲେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ। ତାଙ୍କ ବାପା ରବୀନ୍ଦ୍ର ଦୁରାଗକରଙ୍କ କହିବା କଥା ଯେ ୨୮ ବର୍ଷୀୟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଅପରେସନ ସିନ୍ଦୂରରେ ସାମିଲ ଥିବା ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜାଣି ନଥିଲେ। ଅପରେସନ ବନ୍ଦ ହେବାର ଅନେକ ଦିନ ପରେ ସେମାନଙ୍କୁ ଏ ସମ୍ପର୍କରେ ସୂଚନା ମିଳିଥିଲା।
ରବୀନ୍ଦ୍ର କହିଛନ୍ତି, “ଅପରେସନ ସିନ୍ଦୂର ବନ୍ଦ ହେବାର ୧୫ ଦିନ ପରେ ଆମେ ଜାଣିବାକୁ ପାଇଥିଲୁ ଯେ ପୂର୍ବେଶ ସେହି ଅପରେସନରେ ସାମିଲ ଥିଲା। ଅପରେସନ ସମୟରେ ସେ ତା’ର ମୋବାଇଲ ବ୍ୟବହାର କରୁ ନଥିଲା। ସେହି ସମୟରେ ଆମେ ତା’ ସହ କୌଣସି ପ୍ରକାରର ଯୋଗାଯୋଗ କରି ପାରି ନଥିଲୁ।” ରବୀନ୍ଦ୍ରଙ୍କ କହିବା କଥା ଯେ ସୁଖୋଇ କ୍ରାଶ ହେବାର ଦିନକ ପୂର୍ବରୁ ସେ ପୁଅଙ୍କ ସହ କଥା ହୋଇଥିଲେ।
ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଓ ସ୍କ୍ୱାଡ୍ରନ ଲିଡର ଅନୁଜ ଏସ୍ୟୁ-୩୦ ଏମକେଆଇ ଧରି ଗୁରୁବାର ଟ୍ରେନିଂ ମିଶନରେ ବାହାରିଥିଲେ। ଜୋରହାଟ ଏୟାରବେସ୍ରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ବିମାନଟି କ୍ରାଶ ହୋଇ ଯାଇଥିଲା। ସନ୍ଧ୍ୟା ୭.୪୨ରେ ରୁଷ ନିର୍ମିତ ଏହି ଯୁଦ୍ଧ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଆଜି ଦୁଇ ପାଇଲଟଙ୍କ ମୃତଦେହକୁ ବାୟୁସେନା ଠାବ କରିଛି।
ରବୀନ୍ଦ୍ର ଆହୁରି କହିଛନ୍ତି, “ମୋ ପୁଅ ଭାରତୀୟ ବାୟୁ ସେନାର ଅଂଶ ବିଶେଷ ଥିବାରୁ ବେଶ ଗର୍ବ ଅନୁଭବ କରୁଥିଲା। ବେଳେବେଳେ ଯୁଦ୍ଧ ବିମାନ ଉଡ଼ାଣର ଅଭିଜ୍ଞତା ସେ ଆମକୁ କହୁଥିଲା। ସେ ନିଜର ସହକର୍ମୀମାନଙ୍କୁ ସମ୍ମାନର ଶୀର୍ଷରେ ରଖୁଥିଲା। ମୋ ପୁଅ ଦେଶ ସେବା ପାଇଁ ବଳିଦାନ ଦେଇଛି।
ତା’ଠାରୁ ସମସ୍ତେ ଅନୁପ୍ରାଣିତ ହେବା କଥା। ସେ ତା’ର ସ୍ୱପ୍ନ ସାକାର କରିଛି। କିନ୍ତୁ ସେ ଚାହୁଁଥିବା ସମୟ ଯାଏ ଦେଶ ସେବା କରିପାରି ନାହିଁ। ତା’ର କାର୍ଯ୍ୟକାଳ ମାତ୍ର ୪ ବର୍ଷରେ ଶେଷ ହୋଇଯାଇଛି।”
ଆସାମର ତେଜପୁରରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ନିଯୁକ୍ତି ପାଇଥିଲେ। କିନ୍ତୁ ତେଜପୁର ରନୱେରେ କାମ ଚାଲିଥିବାରୁ ସେ ଜୋରହାଟରୁ ଅପରେଟିଂ କରୁଥିଲେ। ମାତ୍ର ୧୦ ଦିନ ତଳେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ମହାରାଷ୍ଟ୍ରର ନାଗପୁର ସ୍ଥିତ ଘରକୁ ଯାଇଥିଲେ।
ସେଠାରେ ପରିବାର ଲୋକଙ୍କୁ ଭେଟିବା ପରେ ପୁଣି କାର୍ଯ୍ୟକୁ ଫେରିଥିଲେ। ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ବିବାହ କରି ନଥିଲେ। ତାଙ୍କ ବାପା ମା’ ନାଗପୁରରେ ରହୁଥିବା ବେଳେ ଭଉଣୀ ଆମେରିକାରେ କାର୍ଯ୍ୟ କରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/06/durgakar-2026-03-06-16-28-25.jpg)