/odisha-reporter/media/media_files/2025/10/28/flight-2025-10-28-15-17-12.jpg)
ଜଳିଗଲା ବସ୍
ଦିଲ୍ଲୀ(Delhi)ର ଅନ୍ତର୍ଜାତୀୟ ବିମାନବନ୍ଦର ବଡ଼ ଅଘଟଣ। ହଠାତ ହୁତୁହୁତ ହୋଇ ଜଳି ଯାଇଛି ଟର୍ମିନାଲ ୩ ପାଖରେ ଛିଡ଼ା ହୋଇଥିବା ଏୟାର ଇଣ୍ଡିଆ(Air India)ର ଗୋଟିଏ ବସ୍। ବିମାନ ନିକଟରେ ବସ୍ଟି ମଙ୍ଗଳବାର ମଧ୍ୟାହ୍ନ ସମୟରେ ଜଳୁଥିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଏୟାରପୋର୍ଟରେ କିଛି ସମୟ ପାଇଁ ଆତଙ୍କ ମଧ୍ୟ ଖେଳି ଯାଇଥିଲା।
ପୁଲିସ୍ ଡେପୁଟି କମିଶନର(ଆଇଜିଆଇ) ବିଚିତ୍ର ବୀର ଗୋଟିଏ ବିବୃତିରେ କହିଛନ୍ତି ଯେ ଘଟଣା ବେଳେ ବସ୍ରେ କୌଣସି ବିମାନ ଯାତ୍ରୀ କିମ୍ବା ଜିନିଷପତ୍ର ନଥିଲା। ଦିନ ପ୍ରାୟ ୧ଟା ବେଳେ ଆଇଜିଆଇ ଏୟାରପୋର୍ଟ ପୁଲିସ୍ ଷ୍ଟେସନକୁ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିଥିଲା। ଏହାପରେ ଅଗ୍ନିଶମ ବାହିନୀ, ପୁଲିସ୍ ଓ ସିଆଇଏସଏଫ ଯବାନମାନେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ବସ୍ରେ ଅଗ୍ନିକାଣ୍ଡ ବେଳେ କେବଳ ଡ୍ରାଇଭର ଉପସ୍ଥିତ ରହିଥିଲେ। ସେ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ବେଳେ ଏଥିରେ କେହି ବି ମୃତାହତ ହୋଇ ନଥିବା ଏହି ବିବୃତିରେ କୁହାଯାଇଛି।
ପୁଲିସ୍ର କହିବା କଥା ଯେ ଏହି ବସ୍ରେ ବିମାନ ଯାତ୍ରୀଙ୍କୁ ଏୟାରପୋର୍ଟରୁ ରନୱେ ଓ ରନୱେରୁ ଏୟାରପୋର୍ଟକୁ ଅଣାଯାଏ। ଅଗ୍ନିକାଣ୍ଡ ଯୋଗୁ ବସ୍ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।
#ChhathPuja
— AIRCRAFT MECHANIC (@GOD3636) October 28, 2025
Bus fire at Delhi Airport pic.twitter.com/t1wyRFkbGf
ଅଗ୍ନିକାଣ୍ଡ ଯୋଗୁ ପୂରା ଏୟାରପୋର୍ଟରେ ଆଲର୍ଟ ସାଉଣ୍ଡ ବାଜି ଉଠିଥିଲା। ଏହାକୁ ନେଇ ପୂରା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଗୋଟିଏ ବିମାନ ନିକଟରେ ବସ୍ଟି ଜଳୁ ଥିବାରୁ ଏହା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଠିକଣା ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେଣୁ କୌଣସି ପ୍ରକାରରା ଅଘଟଣ ଘଟିନାହିଁ ବୋଲି ପୁଲିସ୍ କହିଛି।
ଅଗ୍ନିକାଣ୍ଡ ଯୋଗୁ କିଛି ସମୟ ପାଇଁ ଦିଲ୍ଲୀ ଏୟାରପୋର୍ଟରେ ବିମାନ ସେବା ପ୍ରଭାବିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସବୁ କିଛି ସ୍ୱାଭାବିକ ଭାବେ ଚାଲିଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
