Advertisment

ବିମାନ କ୍ରାଶ ପରେ ତାପମାତ୍ରା ୧୦୦୦ ଡିଗ୍ରୀ ଛୁଇଁଥିଲା, ବର୍ତ୍ତି ନଥିଲେ ପଶୁପକ୍ଷୀ

ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେବାରୁ ଆଖପାଖ ଅଞ୍ଚଳର ତାପମାତ୍ରା ହଠାତ୍‌ ପ୍ରାୟ ୧ ହଜାର ଡିଗ୍ରୀ ସେଲସିୟସରେ ପରିଣତ ହୋଇଯାଇଥିଲା। ଏଥିଯୋଗୁ ତତ୍କାଳ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବାରେ ଏଜେନ୍ସିଗୁଡ଼ିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

author-image
Hemant Lenka
Crash

Crash

ଅହମଦାବାଦ ଏୟାରପୋର୍ଟ ନିକଟରେ ଗୁରୁବାର ଅପରାହ୍ନରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ପୂରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି। ଏୟାରପୋର୍ଟରୁ ୨୪୨ ଜଣ ଲୋକଙ୍କୁ ଧରି ଟେକ ଅଫ କରିବାର ମାତ୍ର ୫ ମିନିଟ ପରେ ବିମାନଟି ସ୍ଥାନୀୟ ଜନବସତିରେ ଖସି ପଡ଼ିଥିଲା।

Advertisment

ସ୍ଥାନୀୟ ମେଡିକାଲ କଲେଜ ହସ୍ପିଟାଲର ହଷ୍ଟେଲରେ ଏୟାର ଇଣ୍ଡିଆର ବିମାନ ପିଟି ହେବାରୁ ଏହା ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ଓ ଆଖାପାଖ ଅଞ୍ଚଳର ଆଉ ୨୪ ଜଣ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିମାନରେ ଥିବା ଏକମାତ୍ର ଯାତ୍ରୀ ବିଶ୍ୱାସ କୁମାର ରମେଶ ବଞ୍ଚି ଯାଇଛନ୍ତି।

ତେବେ ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେବାରୁ ଆଖପାଖ ଅଞ୍ଚଳର ତାପମାତ୍ରା ହଠାତ୍‌ ପ୍ରାୟ ୧ ହଜାର ଡିଗ୍ରୀ ସେଲସିୟସରେ ପରିଣତ ହୋଇଯାଇଥିଲା। ଏଥିଯୋଗୁ ତତ୍କାଳ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବାରେ ଏଜେନ୍ସିଗୁଡ଼ିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

Advertisment

ତାପମାତ୍ରା ଏତେ ଅଧିକ ହୋଇ ଯାଇଥିଲା ଯେ ଏହାର କବଳରେ ସ୍ଥାନୀୟ ଅଞ୍ଚଳରେ ଥିବା କୁକୁର, ବିଲେଇ, ପକ୍ଷୀ ଓ ଗଛ ଲତା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛନ୍ତି। ପରିବେଶକୁ ଅଗ୍ନିଶମ କର୍ମଚାରୀମାନେ ପାଣି ପକାଇ ଥଣ୍ଡା କରିବା ପରେ ହିଁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ବିମାନଟି ଅହମଦାବାଦରୁ ଲଣ୍ଡନ ଯାଉଥିଲା। ତେଣୁ ୧୦ ଘଣ୍ଟାର ନନଷ୍ଟପ ଯାତ୍ରା ପାଇଁ ଏଥିରେ ୧.୨୫ ଲକ୍ଷ ଲିଟରର ତୈଳ ରହିଥିଲା। ତେଣୁ କ୍ରାଶ ପରେ ନିଆଁ ଏତେ ଜୋରରେ ବ୍ୟାପୀ ଥିଲା ଯେ କାହାକୁ ରକ୍ଷା କରିବା ସମ୍ଭବ ହୋଇପାରି ନଥିଲା ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି।

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଫୋର୍ସ ବା ଏସଡିଆରଏଫର ଜଣେ ଅଧିକାରୀଙ୍କ କହିବା କଥା ଯେ ଉଦ୍ଧାରକାର ଟିମ ପ୍ରଥମେ ହଷ୍ଟେଲ ଓ ଡାକ୍ତରମାନଙ୍କ କ୍ୱାର୍ଟର ନିକଟରେ ପହଞ୍ଚିଥିଲା। ଉଦ୍ଧାରକାରୀ ଟିମ ସେଠାରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ କିଛି ଜଣଙ୍କୁ ଜୀବନ ବାହାର କରି ସାରିଥିଲେ। ହେଲେ ତାଙ୍କ ଟିମ କୌଣସି ଲୋକଙ୍କୁ ଜୀବିତ ଉଦ୍ଧାର କରିପାରି ନଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଅଧିକାରୀଙ୍କ କହିବା କଥା ଯେ ଏୟାରକ୍ରାଫ୍ଟର ତୈଳ ଟ୍ୟାଙ୍କ ବିସ୍ଫୋରଣ କରିବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ତତକ୍ଷଣାତ ତାପମାତ୍ରା ୧ ହଜାର ଡିଗ୍ରୀ ସେଲସିୟସରେ ପହଞ୍ଚି ଯାଇଥିଲା। ଏହି ତାପମାତ୍ରାରୁ ବର୍ତ୍ତିବା ପାଇଁ କାହା ପାଖରେ କୌଣସି ପ୍ରକାରର ସୁଯୋଗ ନଥିଲା। ୨୦୧୭ରୁ ବିଭିନ୍ନ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଜଣେ ଏସଡିଆରଏଫ କର୍ମଚାରୀ କହିଛନ୍ତି ଯେ ସେ ଅନେକ ସଙ୍କଟମୟ ସ୍ଥିତିର ସମ୍ମୁଖୀନ ହୋଇଥିଲେ। କିନ୍ତୁ ଏହା ଠାରୁ ଭୟଙ୍କର ସ୍ଥିତିକୁ କେବେ ଦେଖି ନଥିଲେ।

ଉଦ୍ଧାରକାରୀ ଟିମ ପିପିଇ କିଟ ପିନ୍ଧି ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ତାପମାତ୍ରା ଏତେ ଅଧିକ ଥିଲା ଯେ ଉଦ୍ଧାର କାର୍ଯ୍ୟରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ଧ୍ୱଂସାବଶେଷ ଚାରି ଆଡ଼େ ପଡ଼ିଥିଲା। ଏହା ପୂରା ତତଲା ଅବସ୍ଥାରେ ରହିଥିଲା। ଏହାକୁ ସାଇଡ କରିବା ପରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରୁ ପୋଡ଼ି ପାଉଁଶ ହୋଇ ଯାଇଥିବା ୨୫ରୁ ୩୦ଟି ମୃତଦେହ ଉଦ୍ଧାର କରିଛନ୍ତି।

ଏମାନଙ୍କ ମଧ୍ୟରେ ଛୋଟ ପିଲା ମଧ୍ୟ ରହିଥିଲେ। ଡିଏନଏ ଟେଷ୍ଟ ଛଡ଼ା ସେମାନଙ୍କ ପରିଚୟ ମିଳିବା ବେଶ କଷ୍ଟକର ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଘଟଣା ସ୍ଥଳରୁ ଏକାଧିକ କୁକୁର, ବିଲେଇ ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ପୋଡ଼ା ମୃତଦେହ ମିଳିଥିବା ମଧ୍ୟ ଜଣାପଡ଼ିଛି।

Air India Plane Crash Air India Flight