ମଝି ଆକାଶରେ ଥିବା ବେଳେ ଏୟାର ଇଣ୍ଡିଆର ଗୋଟିଏ ବିମାନ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛି। ତେବେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ବିମାନଟି ରୁଷରେ ଜରୁରୀ ଅବତରଣ କରିବାରୁ ବଡ଼ ଅଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି।
ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସକୋ ଯାଉଥିଲା। ଏଥିରେ ୨୧୬ ଜଣ ଯାତ୍ରୀ ଓ ୧୬ ଜଣ କ୍ରୁ ସଦସ୍ୟ ଥିଲେ। ଉଡ଼ାଣ ଭରିବାର ବେଶ କିଛି ଘଣ୍ଟା ପରେ ହଠାତ୍ ଏହାର ଇଞ୍ଜିନିୟରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା।
ବିମାନଟି ମଝି ଆକାଶରେ ଥିବା ବେଳେ ଏପରି ଘଟଣା ଘଟିଥିଲା। ପାଇଲଟ ତୁରନ୍ତ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ କରିଥିଲେ। ନିକଟରେ ରୁଷର ବିମାନ ବନ୍ଦର ଥିବାରୁ ସେଠାରେ ଅବତରଣ ପାଇଁ ଅନୁମତି ଲୋଡ଼ା ଯାଇଥିଲା। ଶେଷରେ ବିମାନଟି ବେଶ ସୁରକ୍ଷିତ ଭାବେ ରୁଷର ମାଗାଦାନ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା।
ଅବତରଣ ପରେ ବିମାନର ଯାଞ୍ଚ କରାଯାଇଥିଲା। ଏଥିସହ ଗାଇଡଲାଇନ ଅନୁସାରେ ସବୁ ପ୍ରକାରର ବାଧ୍ୟତାମୂଳକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ରୁଷ ଏୟାରପୋର୍ଟରେ ବିମାନ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଇଥିଲା।
ସେହିପରି ସେମାନଙ୍କୁ ନିଜର ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏବେ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଛନ୍ତି। ଦିଲ୍ଲୀରୁ ଆଜି ଭୋର ୪.୨୩ରେ ବିମାନଟି ଉଡ଼ାଣ ଭରିଥିବା ବେଳେ ଅପରାହ୍ନ ସମୟରେ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।