Advertisment

ଯାତ୍ରୀ ଝଗଡ଼ା କରିବାରୁ ଲଣ୍ଡନ ଯାଉଥିବା ବିମାନ ଦିଲ୍ଲୀ ଫେରି ଆସିଲା

କିଛି ମାସ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନରେ ଜଣେ ଯାତ୍ରୀ ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ।

author-image
Hemant Lenka
Air India

Air India

ମଝି ଆକାଶରେ ଉଡ଼ୁଥିଲା ଏୟାର ଇଣ୍ଡିଆର ବିମାନ। ଯାତ୍ରୀମାନଙ୍କୁ ନେଇ ବିମାନଟି ଲଣ୍ଡନ ଯାଉଥିଲା। ହେଲେ ଜଣେ ଯାତ୍ରୀ ବିମାନ ଭିତରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଏହି କାରଣରୁ ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା। ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡ କରିବା ପରେ ଉକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Advertisment

କିଛି ମାସ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନରେ ଜଣେ ଯାତ୍ରୀ ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏହାକୁ ବେଶ କିଛି ଦିନ ଏୟାର ଇଣ୍ଡିଆ ବିବାଦରେ ରହିଥିଲା। ସରକାର ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ଯାତ୍ରୀଙ୍କ ଶୃଙ୍ଖଳିତ ବିମାନ ଯାତ୍ରା  ପାଇଁ ଗାଇଡଲାଇନ ଜାରି କରିଥିଲେ। ଏହା ସତ୍ତ୍ୱେ ଅନେକ ସମୟରେ ବିଭିନ୍ନ ବିମାନରେ ଯାତ୍ରୀମାନଙ୍କ ଅଭଦ୍ର ବ୍ୟବହାର ସାମ୍ନାକୁ ଆସିବାରେ ଲାଗିଛି।

ଏହିକ୍ରମରେ ଏବେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀଙ୍କ ବିଶୃଙ୍ଖଳିତ ବ୍ୟବହାର ସାମ୍ନାକୁ ଆସିଛି। ଏଥିଯୋଗୁ ବିମାନଟି ପୁଣି ଦିଲ୍ଲୀରେ ଅବତରଣ କରିଛି। ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆର ବିମାନ ଲଣ୍ଡନର ହେଥରୋ ବିମାନବନ୍ଦର ଅଭିମୁଖେ ଯାଉଥିଲା। କିନ୍ତୁ ଜଣେ ଯାତ୍ରୀଙ୍କ ଅତ୍ୟନ୍ତ ବିଶୃଙ୍ଖିତ ଆଚରଣ ପାଇଁ ଟେକ ଅପ୍‌ର କିଛି ସମୟ ପରେ ଏହା ପୁଣି ଦିଲ୍ଲୀକୁ ଫେରି ଆସିଛି।

Advertisment

ପ୍ରଥମେ ଯାତ୍ରୀ ଜଣଙ୍କୁ କଥାରେ ଓ ଲିଖିତ ଭାବେ ସତର୍କ କରାଯାଇଥିଲା। ଏହା ସତ୍ତ୍ୱେ ସେ ନିଜର ଦୁର୍ବ୍ୟବହାର ପ୍ରଦର୍ଶନ କରିଚାଲିଥିଲେ। ଏପରି କି ୨ ଜଣ କ୍ରୁ ସଦସ୍ୟଙ୍କୁ ସେ ଶାରୀରିକ ଭାବେ ଆଘାତ ଦେଇଥିଲେ। ସ୍ଥିତି ବିଗିଡ଼ିବାରୁ ପାଇଲଟ ବାଧ୍ୟ ହୋଇ ବିମାନଟିକୁ ଦିଲ୍ଲୀକୁ ଫେରାଇ ଆଣିଥିଲେ।

ବିମାନଟି ଦିଲ୍ଲୀରେ ଲ୍ୟାଣ୍ଡ ହେବା ପରେ ବିଶୃଙ୍ଖଳା କରୁଥିବା ଯାତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସେହିପରି ପୁଲିସ୍‌ ନିକଟରେ ଏଫଆଇଆର ଦିଆଯାଇଥିଲା ବୋଲି କମ୍ପାନୀ ଜାରି କରିଥିବା ବିବୃତିରେ କହିଛି।

ବିମାନରେ ଯାତ୍ରା କରୁଥିବା ସମସ୍ତଙ୍କର ସୁରକ୍ଷା ଓ ସମ୍ମାନ ଏୟାର ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜଣେ ଯାତ୍ରୀଙ୍କ ପାଇଁ ଅନ୍ୟମାନେ ଭୋଗିଥିବା ସମସ୍ୟା ଯୋଗୁ କମ୍ପାନୀ ଦୁଃଖ ପ୍ରକାଶ କରୁଥିବା ମଧ୍ୟ ଏୟାର ଇଣ୍ଡିଆ କହିଛି।

Air India