Air India plane
ଅହମଦାବାରେ ଆଜି ଘଟିଛି ଗୋଟିଏ ଭୟଙ୍କର ଘଟଣା। ଅହମଦାବାଦର ସର୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆ ବିମାନ ଏଆଇ ୧୭୧ ବୋଇଂ ୭୮୭ ଡ୍ରିମଲାଇନର ଲଣ୍ଡନ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟେକ ଅଫ କରିବାର ମାତ୍ର କିଛି ମିନିଟ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଉଡ଼ାଣ ଭରିବାର ୫ ମିନିଟ ଭିତରେ ଏହା ତଳକୁ ଖସି ପଡ଼ିଥିଲା। ଏବେ ରାଡାର ତଥ୍ୟରୁ ଜଣାପଡ଼ିଛି ଯେ କ୍ରାଶ ପୂର୍ବରୁ ବିମାନଟି ମାତ୍ର ୬୨୫ ଫୁଟ ଉପରକୁ ଉଠିଥିଲା। ଏହାପରେ ଏହା ତଳକୁ ଖସି ସ୍ଥାନୀୟ ମେଘାନି ନଗର ସ୍ଥିତ ଦୁଇଟି ବିଲଡିଂରେ ପିଟି ହୋଇ ଜଳି ଯାଇଥିଲା।
ବିମାନରେ ମୋଟ ୨୩୦ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ଜଣ କ୍ରୁ ସଦସ୍ୟ ରହିଥିଲେ। ଏହା ଦିନ ୧.୩୯ରେ ଏୟାର ପୋର୍ଟର ରନୱେ ନମ୍ବର ୨୯ରୁ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା ମାତ୍ରେ ପାଇଲଟ ମେ’ଡେ କଲ ବା ତତ୍କାଳ ସାହାଯ୍ୟ ମାଗିଥିଲେ। କିନ୍ତୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।
ଫ୍ଲାଇଟ ଟ୍ରାକିଂ ପ୍ଲାଟଫର୍ମ ଫ୍ଲାଇଟରାଡାର ୨୪ର ତଥ୍ୟ ଅନୁସାରେ, ବିମାନର ସିଗ୍ନାଲ ମାତ୍ର ୬୨୫ ଫୁଟ ଉପରେ ଅକାମୀ ହୋଇ ଯାଇଥିଲା। ଏତେ କମ ଉଚ୍ଚତାରେ ଥିବା ବେଳେ ବୋଇଂ ଭଳି ବଡ଼ ଓ ଓଜନଦାର ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ଅତ୍ୟନ୍ତ ବିପଦଜନକ। ବିଶେଷ କରି ଅହମଦାବାଦରୁ ବ୍ରିଟେନ ଭଳି ଦୂର ସ୍ଥାନକୁ ଯାତ୍ରା କରୁଥିବା ବିମାନରେ ଇନ୍ଧନ ମଧ୍ୟ ପୂରା ଭର୍ତ୍ତି ହୋଇ ରହିଥାଏ। ଏପରି ସ୍ଥିତିରେ ସିଗ୍ନାଲ ଅକାମୀ ହେବା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଥାଏ।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖାଯାଉଛି ଯେ ବିମାନଟି ନିଜର ବେଗ ହାସଲ କରିବାରେ ସଂଘର୍ଷ କରୁଥିଲା। ଟେକ ଅଫ ବେଳେ ଆବଶ୍ୟକ ବେଗ ବିମାନକୁ ତା’ର ଦୁଇ ଇଞ୍ଜିନରୁ ମିଳି ନଥିଲେ। ଏଥିଯୋଗୁ ଏହା ମାତ୍ର ୬୨୫ ଫୁଟ ଉପରକୁ ଉଠିବା ପରେ ତଳକୁ ଖସିବା ଆରମ୍ଭ କରିଥିଲା। ପାଇଲଟ ମଧ୍ୟ ଏହାକୁ ନିୟନ୍ତ୍ରଣ କରି ପାରି ନଥିଲେ। ଶେଷରେ ଏହା ତଳେ ପିଟି ହୋଇ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲା।
ବୋଇଂ ୭୮୭-୮ ଡ୍ରିମଲାଇନରରେ ଅତ୍ୟାଧୁନିକ ନାଭିଗେସନ ଓ ସୁରକ୍ଷା ବ୍ୟବସ୍ଥା ରହିଛି। ପରିସ୍ଥିତି ଅନୁସାରେ ବିମାନରେ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥାଏ। ଏଥିରେ ଲାଗିଥିବା ସିନ୍ଥେଟିକ ଭିଜନ ସିଷ୍ଟମ(ଏସଭିଏସ୍) ପାଇଲଟଙ୍କୁ ପାହାଡ଼ିଆ ଓ ସମ୍ଭାବ୍ୟ ପ୍ରତିରୋଧର ଦୃଶ୍ୟକୁ ୩ଡି ଆକାରରେ ପ୍ରଦର୍ଶିତ କରିଥାଏ। ଏହା ପାଇଲଟଙ୍କୁ କମ ଦୃଶ୍ୟମାନ ସ୍ଥିତିରେ ଆବଶ୍ୟକ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ।
ବୈଷୟିକ ତ୍ରୁଟିକୁ ଉଡ଼ାଣ ପୂର୍ବରୁ ଜଣାଇବା ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଛି। ତଥାପି ଏପରି ଏକ ଅତ୍ୟାଧୁନିକ ବିମାନ ଏତେ କମ ଉଚ୍ଚତାରେ ଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହେବା ସମସ୍ତଙ୍କୁ ଚକିତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1749727854.jpg)