Advertisment

ଲାଲୁଙ୍କ ଉପରେ ବର୍ଷିଲେ ଐଶ୍ୱର୍ଯ୍ୟା, କହିଲେ- ସବୁ ଲୋକ ଦେଖାଣିଆ, ନାଟକ କରୁଛନ୍ତି

ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବାହାଘର ୨୦୧୮ରେ ହୋଇଥିଲା। କିନ୍ତୁ ଏହି ବାହାଘର ଗୋଟିଏ ବର୍ଷ ବି ତିଷ୍ଠି ନଥିଲା।

author-image
Jitendra Garnayak
Aishwarya Roy and Tej Pratap Yadav

Aishwarya Roy and Tej Pratap Yadav

ଦାୟିତ୍ୱହୀନ ଆଚରଣ ପାଇଁ ପୁଅ ତେଜ ପ୍ରତାପ ଯାଦବଙ୍କୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ରବିବାର ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିବା ସହିତ ପରିବାରଠାରୁ ମଧ୍ୟ ଦୂରେଇ ଦେଇଛନ୍ତି। ତେବେ ଲାଲୁଙ୍କର ଏହି କାର୍ଯ୍ୟାନୁଷ୍ଠାନ କେବଳ ଲୋକ ଦେଖାଣିଆ ବୋଲି କହିଛନ୍ତି ତେଜ ପ୍ରତାପଙ୍କ ପୂର୍ବତନ ପତ୍ନୀ ଐଶ୍ୱର୍ଯ୍ୟା ରାୟ।

Advertisment

ସେ କହିଛନ୍ତି, ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଲୋକଙ୍କ ଆଗରେ ନିଜ ଭାବମୂର୍ତ୍ତିକୁ ଭଲ ରଖିବା ପାଇଁ ଲାଲୁ ଏହି ପଦକ୍ଷେପ ନେଇଛନ୍ତି। ଏହା କେବଳ ଏକ ନିର୍ବାଚନୀ ଡ୍ରାମା। ତାଙ୍କ (ଲାଲୁ) ପରିବାରର ସମସ୍ତେ ସମାନ ଭାବେ ଏଥିରେ ଭାଗିଦାର। ଏହି ନିର୍ବାଚନୀ ଡ୍ରାମାକୁ ପୂରା ପରିବାର ମିଶି ରଚନା କରିଛନ୍ତି। ମୁଁ ନିଶ୍ଚିତ ଯେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପୁଣି ଥରେ ତାଙ୍କୁ (ତେଜ ପ୍ରତାପ ଯାଦବ) ଦଳକୁ ଫେରାଇ ନିଆଯିବ।

ଲାଲୁଙ୍କ ଉପରେ ବର୍ଷି ଐଶ୍ୱର୍ଯ୍ୟା କହିଛନ୍ତି ଯେ ଯେତେବେଳେ ତାଙ୍କୁ ମାଡ଼ ମରାଯାଉଥିଲା, ସେତେବେଳେ ସେ କେଉଁଠି ଥିଲେ? ସେତେବେଳେ କ’ଣ ସାମାଜିକ ନ୍ୟାୟ ନଥିଲା? ସବୁ ବେଳେ ମୋତେ ହିଁ ଦୋଷୀ କରାଯାଇଥିଲା। ଲାଲୁଙ୍କ ପରିବାର ଏବେ କହୁ ମୋର କ’ଣ ହେବ? ଆଜି ସବୁ ଡ୍ରାମା କରୁଛନ୍ତି। ଯେତେବେଳେ ମୁଁ କଷ୍ଟରେ ଥିଲି ସେତେବେଳେ ସବୁ ଚୁପ୍ ରହିଥିଲେ।

Advertisment

ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ବାହାଘର ୨୦୧୮ରେ ହୋଇଥିଲା। କିନ୍ତୁ ଏହି ବାହାଘର ଗୋଟିଏ ବର୍ଷ ବି ତିଷ୍ଠି ନଥିଲା। ଏହା ପଛରେ ଥିଲା ଅତ୍ୟନ୍ତ ଦୁଃଖଦ କଥା। ଐଶ୍ୱର୍ଯ୍ୟା ପୂର୍ବରୁ କହିଥିଲେ ଯେ ବିବାହର ମାତ୍ର କିଛି ମାସ ପରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯିବା ଆରମ୍ଭ ହୋଇଯାଇଥିଲା। ତାଙ୍କୁ ମାଡ଼ ମରା ଯାଉଥିଲା। ସେ ସେଠାରେ ଅଣନିଃଶ୍ୱାସୀ ହୋଇଯାଇଥିଲେ। କେବଳ ତେଜ ପ୍ରତାପ ନୁହନ୍ତି, ଅନେକ ସମୟରେ ଘରର ମହିଳା ସଦସ୍ୟମାନେ ତାଙ୍କୁ ଅପମାନିତ କରିଛନ୍ତି। ଗାଳି କରିବା ସହିତ ପ୍ରତି କଥାରେ ତାଙ୍କ ଖୁଣ ବାହାର କରନ୍ତି। ଥରେ ତାଙ୍କୁ ରୁମ୍‌ରେ ବନ୍ଦ କରି ଦିଆଯାଇଥିଲା।

ଥରେ ଐଶ୍ୱର୍ଯ୍ୟାଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ସେଥିରେ ତେଜ ପ୍ରତାପ ମଧ୍ୟ ଥିଲେ। ଐଶ୍ୱର୍ଯ୍ୟା କାନ୍ଦୁଥିଲେ ଓ କହୁଥିଲେ- ମୋ ପାଖରେ ଆଉ କୌଣସି ରାସ୍ତା ନାହିଁ। ମୋତେ ନ୍ୟାୟ ଦରକାର।

ନୂଆ ବିବାଦ କ’ଣ

ତେଜ ପ୍ରତାପ ଯାଦବ ତାଙ୍କ ଫେସ୍‌ବୁକ୍‌ରେ ଶନିବାର ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ସେ ଓ ଜଣେ ମହିଳା ଥିଲେ। ଉକ୍ତ ମହିଳାଙ୍କ ନାଁ ଅନୁଷ୍କା ଯାଦବ। ଏହି ପୋଷ୍ଟରେ ତେଜ ପ୍ରତାପ ଲେଖିଥିଲେ, ମୁଁ ତେଜ ପ୍ରତାପ ଯାଦବ ଓ ଏହି ଫଟୋରେ ମୋ ସହିତ ଥିବା ଝିଅ ଜଣଙ୍କ ହେଉଛନ୍ତି ଅନୁଷ୍କା ଯାଦବ। ଆମେ ପରସ୍ପରକୁ ଗତ ୧୨ ବର୍ଷ ହେଲା ଜାଣିଛୁ ଓ ପରସ୍ପରକୁ ଗଭୀର ଭାବେ ଭଲ ପାଉ। ଏହି ବର୍ଷଗୁଡ଼ିକରେ ଆମେ ରିଲେସନଶିପରେ ଅଛୁ। ଦୀର୍ଘ ସମୟ ହେଲା ମୁଁ ଏହି କଥାକୁ ସମସ୍ତଙ୍କୁ ଜଣାଇଦେବାକୁ ଚାହୁଁଥିଲୁ। କିନ୍ତୁ ଏଥିପାଇଁ ଉପଯୁକ୍ତ ଶବ୍ଦ ପାଉ ନଥିଲି। ଆଜି ଏହି ପୋଷ୍ଟ ମାଧ୍ୟମରେ ମୁଁ ମୋ ଦୃହୟ ଆପଣମାନଙ୍କ ସମ୍ମୁଖରେ ଖୋଲି ଦେଉଛି। ମୁଁ ଆଶା କରୁଛି ଯେ ଆପଣମାନେ ସମସ୍ତେ ବୁଝିପାରିବେ।

ତେଜ ପ୍ରତାପଙ୍କ ଏହି ଫେସ୍‌ବୁକ୍‌ ପୋଷ୍ଟରୁ ବିବାଦ ଉପୁଜିଥିଲା। ଏହି ପୋଷ୍ଟ ଦେଖିବା ପରେ ଅନେକେ ପଚାରିଥିଲେ ଯେ ଯଦି ସେ (ତେଜ ପ୍ରତାପ) ଏତେ ବର୍ଷ ହେଲାଣି ଜଣେ ମହିଳାଙ୍କ ସହିତ ରିଲେସନଶିପରେ ଥିଲେ, ତା’ହେଲେ ୨୦୧୮ରେ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାଏଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ କାହିଁକି ବାହା ହୋଇଥିଲେ? 

ନକାରାତ୍ମକ ପ୍ରତିକ୍ରିୟା ଆସିବା ପରେ ତେଜ ପ୍ରତାପ ଉକ୍ତ ପୋଷ୍ଟକୁ ଫେସ୍‌ବୁକ୍‌ରୁ ଉଡ଼ାଇ ଦେଇଥିଲେ ଓ ‘ଏକ୍ସ’ରେ ଦାବି କରିଥିଲେ ଯେ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିଲା ଓ ତାଙ୍କର ଉକ୍ତ ଫଟୋକୁ ଭୁଲ ଢଙ୍ଗରେ କେହି ଏଡିଟ୍ କରିଥିଲେ। ଏହା ପରେ ରବିବାର ଲାଲୁ ତାଙ୍କ ‘ଏକ୍ସ’ରେ ଏକ ପୋଷ୍ଟ କରି ତେଜ ପ୍ରତାପଙ୍କୁ ଉଭୟ ପାର୍ଟି ଓ ପରିବାରରୁ ଦୂରେଇ ଦେଇଥିବା ନେଇ ଘୋଷଣା କରିଥିଲେ। ତେଜ ପ୍ରତାପଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଥିବା ସେ କହିଥିଲେ।

ଲାଲୁ ଲେଖିଥିଲେ, ନିଜ ବ୍ୟକ୍ତିଗତ ଜୀବନରେ ମୂଲ୍ୟବୋଧକୁ ଅବହେଳା କଲେ ସାମାଜିକ ନ୍ୟାୟ ପାଇଁ ଆମେ କରୁଥିବା ସାମୂହିକ ଲଢ଼େଇ ଦୁର୍ବଳ ହୋଇଯାଏ। ବଡ଼ ପୁଅ ର କାର୍ଯ୍ୟକଳାପ, ସର୍ବସାଧାରଣରେ ଆଚରଣ ଓ ଦାୟିତ୍ୱହୀନ ବ୍ୟବହାର ଆମ ପରିବାରର ମୂଲ୍ୟବୋଧ ଓ ସଂସ୍କାରର ଅନୁରୂପ ନୁହେଁ। ଅତଏବ ଉପରୋକ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଦଳ ଓ ପରିବାରରୁ ଦୂରେଇ ଦେଉଛି। ଏବେଠାରୁ ଦଳ ଓ ପରିବାରରେ ତା’ର କୌଣସି ପ୍ରକାର ଭୂମିକା ରହିବ ନାହିଁ। ତାକୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଉଛି।

ସୂଚନାଯୋଗ୍ୟ, ତେଜ ପ୍ରତାପ ଓ ଐଶ୍ୱର୍ଯ୍ୟା ଅଲଗା ହୋଇଥିଲେ ହେଁ ଆନୁଷ୍ଠାନିକ ଭାବେ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇନାହିଁ। ଏବେ ବି ଏହି ମାମଲା କୋର୍ଟରେ ରହିଛି।  

Lalu Prasad Yadav Tej Pratap Yadav