Advertisment

ଭୁଲ୍ କରିଛନ୍ତି ବୋଲି ମାନିଲେ ଅଜିତ ପାୱାର

‘ଏହା ଠିକ୍ ନୁହେଁ। କାରଣ ସମାଜ ଏହାକୁ ଗ୍ରହଣ କରେ ନାହିଁ। ଏହି ସନ୍ଦର୍ଭରେ ଆମେ ଅନୁଭୂତି ହାସଲ କରିସାରିଛୁ। ମୁଁ ଏବେ ମୋ ଭୁଲ୍ ବୁଝିପାରୁଛି ଓ ଏହାକୁ ସ୍ୱୀକାର କରୁଛି।’

author-image
Jitendra Garnayak
Ajit Pawar

Ajit Pawar

ଭାଗ୍ୟଶ୍ରୀଙ୍କୁ ପରାମର୍ଶ ଦେବାକୁ ଯାଇ ନିଜ ଭୁଲ୍ ସ୍ୱୀକାର କରିଛନ୍ତି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର। ଉଭୟ ଦଳ ଓ ପରିବାରକୁ ଭାଙ୍ଗି ସେ ଭୁଲ୍ କରିଛନ୍ତି ଏବଂ ଏହାକୁ ସ୍ୱୀକାର କରୁଛନ୍ତି ବୋଲି କହିଛନ୍ତି ଅଜିତ।

Advertisment

ମହାରାଷ୍ଟ୍ର ସରକାରର ରାଷ୍ଟ୍ର ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ନେତା ଧର୍ମରାଓ ବାବା ଆତ୍ମାରାମଙ୍କ ଝିଅ ଭାଗ୍ୟଶ୍ରୀ ଏବେ ଶରଦ ପାୱାରଙ୍କ ଗୋଷ୍ଠୀରେ ଯୋଗ ଦେବେ ବୋଲି ଜୋର ଆଲୋଚନା ହେଉଛି। ଏହା ସହିତ ସେ ଅହେରୀରୁ ତାଙ୍କ ବାପା ଧର୍ମରାଓ ବାବା ଆତ୍ମାରାମଙ୍କ ବିରୋଧରେ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। ଏହା ଭିତରେ ଆଜି ଗଡଚିରୋଲିରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଭାଗ୍ୟଶ୍ରୀଙ୍କୁ ପରାମର୍ଶ ଦେଇ ଅଜିତ କହିଥିଲେ, ମୁଁ ଏବେ ବି ତୁମକୁ କହୁଛି, ଏହି ଭୁଲ କର ନାହିଁ। ତୁମ ବାପାଙ୍କ ସହିତ ରୁହ। ଜଣେ ବାପା ତା’ ଝିଅକୁ ଯେତିକି ଭଲ ପାଏ, ଆଉ କେହି ସେତିକି ଭଲ ପାଇବେ ନାହିଁ। ତୁମେ ଏମିତି କରି (ଶରଦ ପାୱାରଙ୍କ ଦଳକୁ ଯାଇ) ତୁମ ନିଜ ଘରେ ଫାଟ ସୃଷ୍ଟି କରୁଛ।

ଅଜିତ ପାୱାର କହିଥିଲେ, ଏହା ଠିକ୍ ନୁହେଁ। କାରଣ ସମାଜ ଏହାକୁ ଗ୍ରହଣ କରେ ନାହିଁ। ଏହି ସନ୍ଦର୍ଭରେ ଆମେ ଅନୁଭୂତି ହାସଲ କରିସାରିଛୁ। ମୁଁ ଏବେ ମୋ ଭୁଲ୍ ବୁଝିପାରୁଛି ଓ ଏହାକୁ ସ୍ୱୀକାର କରୁଛି।

Advertisment

ଗତ ବର୍ଷ ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ ଭାଙ୍ଗି ବିଜେପି ଓ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହିତ ହାତ ମିଳାଇଥିଲେ। ତେବେ ଲୋକସଭା ନିର୍ବାଚନ ପରଠାରୁ ସେ ଅନେକ ଥର ଭୁଲ୍ କରିଥିବା କହି ସାରିଲେଣି। କାରଣ ତାଙ୍କ ଅପେକ୍ଷା ଭୋଟର ଶରଦ ପାୱାରଙ୍କୁ ପସନ୍ଦ କରିଥିଲେ।

ଗତ ଲୋକସଭା ନିର୍ବାଚନରେ ଅଜିତ ପାୱାର ତାଙ୍କ ପତ୍ନୀ ସୁନେତ୍ରାଙ୍କୁ ସୁପ୍ରିୟା ସୁଲେ (ଶରଦ ପାୱାରଙ୍କ ଝିଅ ତଥା ତାଙ୍କ ଭଉଣୀ)ଙ୍କ ବିପକ୍ଷରେ ବାରାମତୀରୁ ପ୍ରାର୍ଥୀ କରିଥିଲେ। ହେଲେ ସୁନେତ୍ରା ହାରି ଯାଇଥିଲେ। ଭୋଟର ତାଙ୍କୁ ଗ୍ରହଣ କରି ନଥିଲେ। ସେମାନେ ସୁପ୍ରିୟାଙ୍କୁ ଭୋଟ୍ ଦେଇଥିଲେ। ଅଜିତଙ୍କ ଦଳ ମୋଟ ୪ଟି ଲୋକସଭା ଆସନରେ ଲଢ଼ିଥିଲେ ବି ମାତ୍ର ଗୋଟିଏରେ ବିଜୟୀ ହୋଇଥିଲା। ଗତ ମାସରେ ଅଜିତ ପାୱାର କହିଥିଲେ ଯେ ଭଉଣୀ ସୁପ୍ରିୟା ସୁଲେଙ୍କ ବିପକ୍ଷରେ ପତ୍ନୀ ସୁନେତ୍ରାଙ୍କୁ ପ୍ରାର୍ଥୀ କରିବା ଏକ ଭୁଲ ନିଷ୍ପତ୍ତି ଥିଲା।

Sharad Pawar NCP Ajit Pawar Supriya Sule