Advertisment

ଅଜିତ ପାୱାର ଏନସିପିର ସଭାପତି! ଜାତୀୟ କାର୍ଯ୍ୟକାରିଣୀ ଡାକିଲେ ଶରଦ ପାୱାର

ବାନ୍ଦ୍ରାରେ ନିଜ ସମର୍ଥିତ ବିଧାୟକ ଓ ନେତାମାନଙ୍କ ସହ ବୈଠକ କରିବା ପରେ ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ରାଜନୀତିରୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ନିଜକୁ ପ୍ରକୃତ ଏନସିପି କ୍ୟାଡର ବୋଲି କହିଛନ୍ତି।

NCP

NCP

Advertisment

ଏନସିପିରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଏବେ ବିସ୍ଫୋରକ ରୂପ ନେଇଛି। ବିଦ୍ରୋହ ଘୋଷଣା କରି ବିଜେପି ସହ ହାତ ମିଳାଇଥିବା ଅଜିତ ପାୱାର ଏବେ ସିଧାସଳଖ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଏଥିସହ ସେ ନିଜକୁ ଏନସିପିର ସଭାପତି ବୋଲି ପରିଚୟ ଦେଇ ଦଳୀୟ ଚିହ୍ନ ଓ ନାଁ ଉପରେ ହକ୍‌ ଜାହରି କରିଛନ୍ତି।

Advertisment

ବାନ୍ଦ୍ରାରେ ନିଜ ସମର୍ଥିତ ବିଧାୟକ ଓ ନେତାମାନଙ୍କ ସହ ବୈଠକ କରିବା ପରେ ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ରାଜନୀତିରୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ସେ ନିଜକୁ ପ୍ରକୃତ ଏନସିପି କ୍ୟାଡର ବୋଲି କହିଛନ୍ତି।

ଅଜିତ ପାୱାର ଡାକିଥିବା ବୈଠକରେ ୩୧ ଜଣ ଏନସିପି ବିଧାୟକ, କିଛି ସାଂସଦ, ୫ ଜଣ ଏମଏଲସି ଓ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏଠାରେ ଶକ୍ତି ପ୍ରଦର୍ଶନ କରିବା ପରେ ଅଜିତ ପାୱାରଙ୍କ ଗୋଷ୍ଠୀ ନିର୍ବାଚନ କମିଶନ ଭେଟି ଏନସିପିର ଚିହ୍ନ ଓ ନାଁ ପାଇଁ ଦାବି କରିଛି। ଏଥିସହ ଅଜିତ ପାୱାର ହିଁ ଏନସିପିର ସଭାପତି ଓ ଜୁନ ୩୦ରେ ଏନେଇ ସଂକଳ୍ପ ପାରିତ ହୋଇଥିବା ମଧ୍ୟ ତାଙ୍କ ଗୋଷ୍ଠୀର ନେତାମାନେ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି।

Advertisment

କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଜୁନ ୩୦ରେ ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ ପଟେଲ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବୈଠକ ଡାକିଥିଲେ। ଏହି ବୈଠକରେ ଗୋଟିଏ ସଂକଳ୍ପ ପାରିତ କରାଯାଇଥିଲା। ଦଳ ଲୋକଙ୍କ କଲ୍ୟାଣ ପାଇଁ ରଖିଥିବା ଲକ୍ଷ୍ୟରୁ ବିଚ୍ୟୁତ ହେଉଛି। ଏଥିପାଇଁ ଶରଦ ପାୱାରଙ୍କ ସ୍ଥାନରେ ଅଜିତ ପାୱାରଙ୍କୁ ଏନସିପିର ସଭାପତି ଭାବେ ନିଯୁକ୍ତି ଦେବାକୁ ପ୍ରସ୍ତାବ ଆସିଥିଲା। ସର୍ବସମ୍ମତିକ୍ରମେ ଏହାକୁ ସେଠାରେ ଉପସ୍ଥିତ ଥିବା ନେତାମାନେ ସମର୍ଥନ କରିଥିଲେ। ତେଣୁ ଜୁନ ୩୦ରୁ ଏନସିପିର ସଭାପତି ଭାବେ ଅଜିତ ପାୱାର ହିଁ କାମ କରୁଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଅଜିତ ପାୱାର ବେଶ ଚତୁରତାର ସହ ଏନସିପି ଉପରେ ନିଜର ହକ ଜାହିର କରୁଥିବାରୁ ଶରଦ ପାୱାରଙ୍କ ଅକଳ ଗୁଡ଼ୁମ ହୋଇ ଯାଇଛି। ଏଥିପାଇଁ ସେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ଏହି ବୈଠକ ହେବ। ଏଥିରେ ଦଳର ସମସ୍ତ ହେଭିୱେଟ ନେତାମାନଙ୍କୁ ଯୋଗ ଦେବାକୁ କୁହାଯାଇଛି।

ଏହାପୂର୍ବରୁ ଆଜି ୮୩ ବର୍ଷୀୟ ଶରଦ ପାୱାର ଦଳୀୟ ବିଧାୟକଙ୍କ ବୈଠକ ଡାକିଥିଲେ। ଯଶବନ୍ତରାଓ ଚୌହାନ କେନ୍ଦ୍ରରେ ଅନୁଷ୍ଠିତ ଏହି ବୈଠକରେ ମାତ୍ର ୧୪ ଜଣ ଏନସିପି ବିଧାୟକ ସାମିଲ ହୋଇଥିଲେ। ଏହାର ଅର୍ଥ ବାକି ବିଧାୟକ ଅଜିତ ପାୱାରଙ୍କୁ ସମର୍ଥନ କରିଛନ୍ତି। ଯଦି ଏପରି ହୁଏ, ତା’ହେଲେ ଅଜିତ ପାୱାର ଆଣ୍ଡ କୋଙ୍କ ଉପରେ ଦଳ ବଦଳ ଆଇନ ଲାଗୁ ହୋଇପାରିବ ନାହିଁ। ସେମାନଙ୍କୁ ପ୍ରକୃତ ଏନସିପି ନେତାର ମାନ୍ୟତା ମିଳିବ।

ଶରଦ ପାୱାର ଡାକିଥିବା ବୈଠକରେ ସୁପ୍ରିୟା ସୁଲେ, ଅନୀଲ ଦେଶମୁଖ ଓ ଜୟନ୍ତ ପାଟିଲଙ୍କ ଭଳି ହେଭିୱେଟ ରହିଥିଲେ। ବୈଠକ ପୂର୍ବରୁ ସୁଲେ ସମସ୍ତ ଏନସିପି ବିଧାୟକଙ୍କୁ ଶରଦ ପାୱାରଙ୍କ ସହ ହାତ ମିଳାଇବାକୁ ଆହ୍ୱାନ ଦେଇଥିଲେ। କିନ୍ତୁ ଏହି ବୈଠକରେ କେବଳ ୧୪ ଜଣ ବିଧାୟକ ହିଁ ସାମିଲ ହୋଇଛନ୍ତି। ବୈଠକ ପରେ ବିଧାୟକମାନେ ଶରଦ ପାୱାରଙ୍କୁ ସମର୍ଥନ କରୁଥିବା ଲିଖିତ ଭାବେ ମଧ୍ୟ ଜଣାଇଛନ୍ତି।

Maharashtra Politics NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe