ଅଜିତ ପାୱାରଙ୍କ ଦେହାନ୍ତ
ଆଉ ନାହାନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାର। ଆଜି ମହାରାଷ୍ଟ୍ରର ବାରାମତୀରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଅଜିତ ପାୱାର(Ajit Pawar)ଙ୍କ ମୃତ୍ୟୁ ହୋଇଛି। ଶ୍ରୀ ପାୱାରଙ୍କ ସହ ବିମାନରେ ଥିବା ବାକି ୪ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି।
ମୁମ୍ବାଇରୁ ଅଜିତ ପାୱାରଙ୍କୁ ନେଇ ବାରାମତୀ ଯାଉଥିଲା ବିମାନ। ସକାଳ ୮ଟାରେ ଏହା ଉଡ଼ାଣ ଆରମ୍ଭ କରିଥିବା ବେଳେ ୮.୪୫ରେ କ୍ରାଶ ହୋଇଛି। ବାରାମତୀ ଏୟାରପୋର୍ଟରେ ଜରୁରୀ ଅବତର ସମୟରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା( Plane Crash) ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ଏହା ମଧ୍ୟରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି।
ବିମାନଟି ପୂରା ଖଣ୍ଡଖଣ୍ଡ ହୋଇଯାଇଥିବା ବେଳେ ଏଥିରେ ନିଆଁ ମଧ୍ୟ ଲାଗି ଯାଇଥିଲା। ମୃତକଙ୍କ ମଧ୍ୟରେ ଅଜିତ ପାୱାରଙ୍କ ବ୍ୟତୀତ ଦୁଇ ପାଇଲଟ, ଶ୍ରୀ ପାୱାରଙ୍କ ପିଏସଓ ଓ ଜଣେ ଆଟେଣ୍ଡାଣ୍ଟ ରହିଛନ୍ତି। ବାରାମତୀ ଏୟାରପୋର୍ଟରେ ଏହି ବିମାନ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବା ବେଳେ ଏତେ ବଡ଼ ଘଟଣା ଘଟିଛି।
ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ମୁମ୍ବାଇରୁ ବାରାମତୀ ଯାଉଥିବା ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ଏହା ମଧ୍ୟରେ ଥିବା ସମସ୍ତ ୫ ଜରଣଙ୍କ ମୃତ୍ୟୁ ହୋଇଛି।
ସର୍ବାଧିକ ୬ ଥର ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଏହି ବରିଷ୍ଠ ରାଜନେତା ଜଣଙ୍କ ବାରାମତିରେ ୪ଟି ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିଲେ। ସେଠାରେ ଜିଲ୍ଲା ପରିଷଦ ନିର୍ବାଚନ ଥିବାରୁ ନିଜ ଦଳ ପାଇଁ ଅଜିତ ପାୱାର ପ୍ରଚାର କରିବାର ଥିଲା। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ Bombardier Learjet 45 ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଦିଲ୍ଲୀ ଭିତ୍ତିକ ଚାର୍ଟର କମ୍ପାନୀ ଭିଏସ୍ଆର ଦ୍ୱାରା ପରିଚାଳିତ ହେଉଥିଲା।
ଦୁର୍ଘଟଣା ପରେ ବିମାନଟି ପୂରା ପାଉଁଶ ହୋଇଯାଇଛି। ବିମାନର ଖଣ୍ଡବିଖଣ୍ଡିତ ଅଂଶଗୁଡ଼ିକ ଚାରିଆଡ଼େ ଛିନଛତ୍ର ହୋଇ ପଡ଼ିଥିବା ବେଳେ ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ବିମାନଟି ବାରାମତୀ ଏୟାରପୋର୍ଟର ୧୧ ନମ୍ବର ରନୱେରେ ସକାଳ ୮.୪୦ରେ ଲ୍ୟାଣ୍ଡିଂ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହାପରେ ଏଥିରେ ନିଆଁ ଲାଗି ଯାଇଥିଲା।
ଅଜିତ ଦାଦାଙ୍କ ଉଥାନ
ଅଜିତ ପାୱାର ହେଉଛନ୍ତି ଶରଦ ପାୱାର ବଡ଼ ଭାଇ ଅନନ୍ତରାଓଙ୍କ ପୁଅ। ତାଙ୍କ କ୍ୟାରିୟର ଦାଦା ଶରଦ ପାୱରଙ୍କ ଅଧୀନରେ ମହାରାଷ୍ଟ୍ର ସମବାୟ ସେକ୍ଟରରୁ ଆରମ୍ଭ ହୋଇଥିଲା। ଦାଦା ଭାବେ ପରିଚିତ ଅଜିତ ପାୱାର ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଦାଦାଙ୍କ ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ ହେଁ ୨୦୨୩ରେ ସେ ବେଶ ନାଟକୀୟ ଢଙ୍ଗରେ ପଟ ପରିବର୍ତ୍ତନ କରିଥିଲେ। ସେ ଦାଦାଙ୍କ ଠାରୁ ଅଲଗା ହୋଇ ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ।
୧୯୫୯ ମସିହା ଜୁଲାଇ ୨୨ରେ ଅହମଦନଗର ଜିଲ୍ଲା ଦେଓଲାଲି ପ୍ରଭାରାରେ ଅଜିତ ପାୱାର ଜନ୍ମ ଗ୍ରହଣ କରିଥିଲେ। ମହାରାଷ୍ଟ୍ର ରାଜନୀତିରେ ଦବଦବା ରଖିଥିବା ପାୱାର ପରିବାର ସହ ଅଜିତ ଜଡ଼ିତ। ସମବାୟ ଓ କୃଷି କ୍ଷେତ୍ର ସହ ଜଡ଼ିତ ହୋଇ ପାୱାର ପରିବାର ରାଜନୀତି କରନ୍ତି। ଏହାକୁ ଆଧାର କରି ଅଜିତ ପାୱାର ମଧ୍ୟ ନିଜ ରାଜନୀତିକ କ୍ୟାରିୟରର ମୂଳଦୁଆ ପକାଇଥିଲେ।
ଅଜିତ ପାୱାରଙ୍କ ବାପା ଅନନ୍ତରାଓ ମୁମ୍ବାଇର ରାଜକମଲ ଷ୍ଟୁଡିଓରେ କାମ କରୁଥିଲେ। ତାଙ୍କ ଦେହାନ୍ତ ପରେ ହିଁ ଅଜିତ ଦାଦା ରାଜନୀତିରେ ପ୍ରବେଶ କରିଥିଲେ। ଏହି ସମୟରେ ତାଙ୍କ ଦାଦା ମହାରାଷ୍ଟ୍ର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ତେଣୁ ଅଜିତଙ୍କୁ ରାଜନୀତିରେ ପ୍ରବେଶ ପାଇଁ ବେଶ ପରିଶ୍ରମ କରିବାକୁ ପଡ଼ି ନଥିଲା।
ମାତ୍ର ୨୩ ବର୍ଷ ବୟସରେ ସେ ପ୍ରଥମଥର ବାରାମତୀରେ ଥିବା ସମବାୟ ସୁଗାର ଫ୍ୟାକ୍ଟ୍ରୀ ବୋର୍ଡକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ସେ ପ୍ରଥମଥର ବାରାମତୀରୁ ବିଧାନସଭାକୁ ଯାଇଥିଲେ। ଏହାପର ଠାରୁ ସେ କେବେ ବି ପଛକୁ ଚାହିଁନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/28/plane-crash-2026-01-28-11-00-15.jpg)