Advertisment

ବଡ଼ ଦାବି କଲା ଉଦ୍ଧବଙ୍କ ଶିବସେନା: ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସ୍ଥାନ ନେବେ ଅଜିତ ପାୱାର

ଅଜିତ ପାୱାର ସରକାରଙ୍କୁ ସମର୍ଥନ କରିବା ମାତ୍ରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି। ଏନସିପିର ଆଉ ୮ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରବିବାର ଅପରାହ୍ନରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି।

author-image
Hemant Lenka
NCP

NCP

ସମସ୍ତଙ୍କୁ ଚକିତ କରି ହଠାତ୍‌ ମହାରାଷ୍ଟ୍ରର ସିନ୍ଦେ ଓ ବିଜେପି ସରକାରଙ୍କୁ ସମର୍ଥନ ଘୋଷଣା କରି ପୂରା ଦେଶରେ ହଟଚମଟ ସୃଷ୍ଟି କରିଥିବା ଏନସିପିର ଅଜିତ ପାୱାରଙ୍କୁ ନେଇ ବଡ଼ ଦାବି କରିଛି ଉଦ୍ଧବ ଠାକରେଙ୍କ ଶିବସେନା।

Advertisment

ଅଜିତ ପାୱାର ସରକାରଙ୍କୁ ସମର୍ଥନ କରିବା ମାତ୍ରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯାଇଛି। ଏନସିପିର ଆଉ ୮ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରବିବାର ଅପରାହ୍ନରୁ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି।

ଏସବୁ ଭିତରେ ଶିବସେନା(ୟୁବିଟି) କହିଛି ଯେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତ ପାୱାର ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ। ଦଳର ମୁଖପତ୍ର ସାମ୍ନାରେ ଦାବି କରାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱାଧୀନ ବିଜେପି କେବଳ ମହାରାଷ୍ଟ୍ରର ରାଜନୀତି ନୁହେଁ, ପୂରା ଦେଶକୁ କଳୁଷିତ କରିଛି।

Advertisment

ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ରେକର୍ଡ କରିଛନ୍ତି। ଏଥର ଡିଲ୍‌ ବହୁତ ଶକ୍ତିଶାଳୀ ରହିଛି। ପାୱାର କେବଳ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯାଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ବିଦ୍ରୋହୀ ଶିବସେନା ବିଧାୟକମାନେ ଖୁବଶୀଘ୍ର ଅଯୋଗ୍ୟ ବିବେଚିତ ହେବେ।

ଏହାପରେ ଅଜିତ ପାୱାରଙ୍କ ରାଜାଭିଷେକ ହେବ। ଏବେ ରାଜ୍ୟରେ ଯାହା ସବୁ ଘଟୁଛି, ଏହାକୁ ଲୋକମାନେ ସହଜରେ ଗ୍ରହଣ କରିବେ ନାହିଁ। ରାଜ୍ୟରେ ଏମିତି ରାଜନୀତିକ ପରମ୍ପରା ନାହିଁ। ଏହାକୁ କେବେ ହେଲେ ଲୋକମାନେ ସମର୍ଥନ କରିବେ ନାହିଁ। ଅଜିତ ପାୱାରଙ୍କ କଳାବାଜୀ ପ୍ରକୃତିରେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପାଇଁ ବିପଦ ବୋଲି ସାମ୍ନାରେ କୁହାଯାଇଛି।

ମୁଖପତ୍ରରେ ଆହୁରି କୁହାଯାଇଛି ଯେ “ଯେତେବେଳେ ସିନ୍ଦେ ଓ ଅନ୍ୟ ବିଧାୟକମାନେ ଶିବସେନା ଛାଡ଼ିଥିଲେ ସେତେବେଳେ ସେମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅର୍ଥମନ୍ତ୍ରୀ ଅଜିତ ପାୱାରଙ୍କ ପାଇଁ ସମାଲୋଚନା କରିଥିଲେ। ଅର୍ଥମନ୍ତ୍ରୀ ଭାବେ ଅଜିତ ପାୱାର ପାଣ୍ଠି ଦେଉ ନଥିଲେ ଓ କାମ ଛଡ଼ାଇ ନେଉଥିଲେ ବୋଲି ସେମାନେ କହିଥିଲେ। ଏନସିପି ପାଇଁ ମୁଖ୍ୟତଃ ବିଧାୟକମାନେ ଶିବସେନା ଛାଡ଼ିଥିବା ସୂଚନା ଦେଇଥିଲେ। 

ଏବେ ସେମାନେ କ’ଣ କରିବେ? ଅଜିତ ପାୱାରଙ୍କ ଶପଥ ପାଠ ଉତ୍ସବ ବେଳେ ସେମାନଙ୍କ ମୁହଁରୁ ସବୁ କଥା ଜଣାପଡ଼ୁଥିଲା। ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ ବୋଲି ସେମାନେ ଅନୁଭବ କରିବା ଆରମ୍ଭ କଲେଣି। ସେମାନଙ୍କର ତଥାକଥିତ ହିନ୍ଦୁତ୍ୱ ଶେଷ ହୋଇଛି। ସିନ୍ଦେ ଓ ତାଙ୍କର ସହଯୋଗୀମାନେ ଅଯୋଗ୍ୟ ବିବେଚିତ ହେବାକୁ ଆଉ ବେଶୀ ଦିନ ନୁହେଁ।

ରବିବାର ଘଟିଥିବା ଘଟଣା ଏହାର ସଙ୍କେତ ଦେଇଛି। ଯେଉଁମାନେ କ୍ଷମତାରେ ରହି ଅହଂକାରୀ ହୁଅନ୍ତି ଓ ନିଜର ବିରୋଧୀଙ୍କୁ କିଣିବାରେ ବିଶ୍ୱାସ ରଖନ୍ତି, ଏବେ ସେମାନେ ଗଣତନ୍ତ୍ର କଥା କହୁଛନ୍ତି। ଏପରି ଲୋକମାନେ ମୁମ୍ବାଇ ସହର ସମେତ ୧୪ ପୌର ପାଳିକାର ନିର୍ବାଚନ କରିବାକୁ ବି ରାଜି ହେଉ ନାହାନ୍ତି। ପୂର୍ବରୁ ଥିବା କଂଗ୍ରେସ ‌ଓ ବ୍ରିଟିଶ ଶାସନ ଏହାଠାରୁ ବେଶ ଭଲ ଥିଲା। କାରଣ ଜଣେ ଶାସନ ବିରୋଧରେ ରାସ୍ତାରେ ଖୋଲାଖୋଲି ବିରୋଧ କରିପାରୁଥିଲେ।”

ସାମ୍ନାର ସମ୍ପାଦକୀୟରେ ବିଜେପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରାଯାଇଛି। ଫଡନାଭିସ ଏକଦା କହିଥିଲେ ଯେ ଏନସିପି ଗୋଟିଏ ଦୁର୍ନୀତି ଗ୍ରସ୍ତ ଦଳ। ବିଜେପି ଏହା ସହ କେବେ ହେଲେ ହାତ ମିଳାଇବ ନାହିଁ। ଅଜିତ ପାୱାରଙ୍କ ନାଁରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି।

ହେଲେ ଏବେ କ’ଣ ହେଲା? ରବିବାରର ଶପଥପାଠ ଉତ୍ସବ ବିଜେପିର ଅସଲ ଚେହେରାକୁ ପଦାରେ ପକାଇଛି। ବର୍ଷକ ତଳେ ଶିବସେନା ସହ ଯାହା ହୋଇଥିଲା, ଏବେ ଏନସିପି ସହ ସମାନ ଘଟଣା ଘଟିଛି। ଏନସିପି ମୁଖ୍ୟ ଶରଦ ପାୱାର କହିବା ଭଳି ଆସନ୍ତାକାଲି ନୂଆ ଦିନ ନିଶ୍ଚିୟ ଆରମ୍ଭ ହେବ। ତେଣୁ ଏହା ଏକ ଭୂମିକମ୍ପ ନୁହେଁ, ସାମାନ୍ୟ ଝଟକା ବୋଲି ସାମ୍ନାରେ ଉଦ୍ଧବଙ୍କ ଶିବସେନା କହିଛି।

Maharashtra Govt Maharashtra Police Maharashtra NCP