Anil antony
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀଙ୍କ ପୁଅ ଅନୀଲ ଆଣ୍ଟୋନୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଅନୀଲ ଆଣ୍ଟୋନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ନିର୍ମାଣ ହୋଇଥିବା ବିବିସିର ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦି ମୋଦି କ୍ୱେଶ୍ଚିନ୍’କୁ ବିରୋଧ କରିବାର ଦିନକ ପରେ ସେ ହାତ ଛାଡିଛନ୍ତି। ଏଥିସହ ସେ ମୋଦି ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।
ଅନୀଲ କଂଗ୍ରେସ ଛାଡିବା ନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, 'ମୁଁ କଂଗ୍ରେସରୁ ଇସ୍ତଫା ଦେଉଛି। ମୋ ଉପରେ ଟ୍ୱିଟ୍ ଫେରାଇ ନେବାକୁ ଚାପ ପକାଯାଉଛି। କିନ୍ତୁ ମୁଁ ରାତି ନୁହେଁ। ଯେଉଁମାନେ ମୋତେ ଏଭଳି କହୁଛନ୍ତି ସେହି ଲୋକମାନେ ବାକ ସ୍ୱାଧୀନତା ନେଇ ପୂର୍ବରୁ ଲଢେଇ କରୁଥିଲେ। ମୁଁ କିନ୍ତୁ ସେମାନଙ୍କୁ ମନା କରିଦେଇଛି।'
‘କେପିସିସି’ ଡିଜିଟାଲ୍ ମିଡିଆର ଆବାହକ ଓ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ୍ କମ୍ୟୁନିକେସନ୍ ସେଲ୍ର ଦାୟିତ୍ୱ ଛାଡ଼ିଥିବା କହିଛନ୍ତି ଅନୀଲ। ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ ଅଛି, ଗତକାଲିର ଘଟଣାକ୍ରମକୁ ବିଚାର କରି କଂଗ୍ରେସର ସମସ୍ତ ଦାୟିତ୍ୱ ଛାଡ଼ିଦେବା ଉଚିତ ବୋଲି ମୋର ମନେହେଲା।
ଉଲ୍ଲେଖଯୋଗ୍ୟ, ଦୁଇ ଭାଗରେ ବିଭକ୍ତ ବିବିସିର ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗାର କେତେକ ଦିଗ ଉପରେ କରାଯାଇଥିବା ତଦନ୍ତ ଆଧାରିତ ବୋଲି ‘ବିବିସି’ ଦାବି କରୁଛି। କିନ୍ତୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହାକୁ ପ୍ରଚାରସର୍ବସ୍ୱ ଓ ଉପନିବେଶୀୟ ମନୋଭାବ ସମ୍ପନ୍ନ କହି ତୀବ୍ର ସମାଲୋଚନା କରିଛି।
ଏଥିସହ ଶୁକବ୍ରାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା କରୁଥିବା ବିବିସିର ଡକ୍ୟୁମେଣ୍ଟାରୀ ଶେଆର କରିଥିବା ଟ୍ୱିଟ୍କୁ ବ୍ଲକ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ବିବିସି ଡକ୍ୟୁମେଣ୍ଟାରୀର ୟୁଟ୍ୟୁବ ଲିଙ୍କ ଯେଉଁ ଟ୍ୱିଟର ଜରିଆରେ ଶେଆର କରାଯାଇଛି ତାକୁ ମଧ୍ୟ ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674629670.jpg)