ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ପ୍ରମୁଖ ପଦ ସହ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ହଲଚଲ ସୃଷ୍ଟି ହୋଇଥିବା ବେଳେ ଏବେ ଆକାଶ ଆନନ୍ଦଙ୍କ ପ୍ରତିକ୍ରୟା ସାମନାକୁ ଆସିଛି।
ଆକାଶ ଆନନ୍ଦ ନିଜ X ହ୍ୟାଣ୍ଡେଲରେ ଟ୍ୱିଟ କରି ଲେଖିଛନ୍ତି, ଆଦରଣୀୟ ମାୟାବତୀଜୀ ଆପଣ ପୂରା ବହୁଜନ ସମାଜ ପାର୍ଟିର ଆଦର୍ଶ। ଆପଣଙ୍କ ଦୀର୍ଘ ବର୍ଷର ସଂଘର୍ଷ ଯୋଗୁ ଆମ ସମାଜକୁ ଏକ ନୂଆ ପରିଚୟ ମିଳିଛି। ଫଳରେ ବହୁଜନ ସମାଜ ପାର୍ଟି ସମ୍ମାନର ସହ ବଞ୍ଚିବା ଶିଖିଛି। ଆପଣ ସର୍ବଦା ଜଣେ ଗ୍ରହଣୀୟ ନେତା। ଆପଣଙ୍କ ଆଦେଶକୁ ଆଖିବୁଜି ସ୍ୱୀକାର କରୁଛି। ନିଜ ସମାଜ ପାଇଁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି ।
ଗତ ୭ ତାରିଖରେ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ବହୁଜନ ସମାଜ ପାର୍ଟି’ର ରାଷ୍ଟ୍ରୀୟ ସଂଯୋଜକ ପଦ ସହ ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇ ଦେଇଛନ୍ତି।
ଦଳର ଗୁରୁ ଦାୟିତ୍ୱ ତୁଲାଇବା ନିମନ୍ତେ ଆକାଶ ଏବେ ଯଥେଷ୍ଟ ପରିପକ୍ୱ ହୋଇ ନାହାନ୍ତି। ତେଣୁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଏହି ଦାୟିତ୍ୱରୁ ଅନ୍ତର କରାଯାଉଛି ବୋଲି ମାୟାବତୀ ଟ୍ୱିଟ କରିଥିଲେ।
ମାୟାବତୀ ୨୦୧୯ ମସିହାରେ ନିଜ ଭାଇ ଆନନ୍ଦ କୁମାରଙ୍କୁ ଦଳର ରଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରିଥିଲେ । ଏଥି ସହ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ମଧ୍ୟ କରିଥିଲେ । ଗତବର୍ଷ ଡିସେମ୍ବର ୧୦ ତାରିଖରେ ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ ମାୟା ମାତ୍ର ଦୁଇ ଦିନ ତଳେ ସେ ତାଙ୍କୁ ଦାୟିତ୍ୱରୁ ହଟାଇ ଦେଇଥିବାରୁ ଏହାକୁ ନେଇ ବି ଚର୍ଚ୍ଚା ଜୋର ଧରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।