Advertisment

ମାଲେଗାଓଁ ବିସ୍ଫୋରଣରେ ବି ସମସ୍ତେ ନିର୍ଦ୍ଦୋଷ, ଉପର କୋର୍ଟରେ ରାୟକୁ ଚ୍ୟାଲେଞ୍ଜ କରିବ କି ସରକାର?

ଏତେ ବଡ଼ ବିସ୍ଫୋରଣ ହୋଇଥିଲେ ହେଁ କେହି ଦୋଷୀ ସାବ୍ୟସ୍ତ ନ ହେବା ସମସ୍ତଙ୍କୁ ଚକିତ କରିଛି। ଏହା ପୂର୍ବରୁ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ ମଧ୍ୟ ସମସ୍ତ ୧୨ ଦୋଷୀଙ୍କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ।

author-image
Hemant Lenka
Blast

Blast

ପ୍ରାୟ ୧୭ ବର୍ଷ ତଳେ ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପୂରା ଦେଶକୁ ଦୋହଲାଇ ଦେଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ। ୨୦୦୮ ମସିହାର ଏହି ବିସ୍ଫୋରଣ ଘଟଣାରେ ମୁମ୍ବାଇର ଗୋଟିଏ ସ୍ୱତନ୍ତ୍ର ଅଦାଲତ ସମସ୍ତ ୭ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।

Advertisment

ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଓ ପୂର୍ବତନ ଆର୍ମି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ମଧ୍ୟ ରହିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତି କିଛି ହିନ୍ଦୁତ୍ୱ ନେତାଙ୍କୁ ମଧ୍ୟ କୋର୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ରାୟରେ ଆତଙ୍କବାଦୀଙ୍କ କୌଣସି ଧର୍ମ ନଥାଏ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। 

ସ୍ୱତନ୍ତ୍ର ବିଚାରପତି ଏକେ ଲାହୋତି ଜାତୀୟ ତଦନ୍ତକାରୀ ସଂସ୍ଥା ଓ ମହାରାଷ୍ଟ୍ର ଏଟିଏସ ମିଳିତ ଭାବେ ତଦନ୍ତ କରିଥିବା ମାମଲାରେ କହିଛନ୍ତି ସରକାରୀ ଓକିଲ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି।

Advertisment

ସମସ୍ତ ୭ ଅଭିଯୁକ୍ତ ସନ୍ଦେହର ଲାଭ ପାଇବାକୁ ହକଦାର। ଜଜ ଲାହୋତି କହିଛନ୍ତି, ବିସ୍ଫୋରଣରେ ବ୍ୟବହୃତ ମୋଟରସାଇକେଲ ଅଭିଯୁକ୍ତ ପ୍ରଜ୍ଞା ଠାକୁରଙ୍କ ବୋଲି ପ୍ରମାଣ କରିବାରେ ସରକାରୀ ଓକିଲ ବିଫଳ ହୋଇଛନ୍ତି। ବାଇକର ଇଞ୍ଜିନ ନମ୍ବର ସ୍ପଷ୍ଟ ହୋଇନି। ଚେସିସ ନମ୍ବରକୁ ମଧ୍ୟ ହଟାଇ ଦିଆଯାଇଥିଲା।

୭ ଅଭିଯୁକ୍ତ

ସ୍ୱାଧୀନ ପ୍ରଜ୍ଞା ସିଂହ ଠାକୁର- ବିଜେପିର ପୂର୍ବତନ ଭୋପାଲ ସାଂସଦ

ପୂର୍ବତନ ଆର୍ମି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ

ମେଜର(ଅବସରପ୍ରାପ୍ତ) ରମେଶ ଉପାଧ୍ୟାୟ

ଅଜୟ ରାହିରକର

ସୁଧାକର ଦ୍ୱିବେଦୀ

ସୁଧାକର ଚତୁର୍ବେଦୀ

ସମୀର କୁଲକର୍ଣ୍ଣୀ

ଅଭିଯୁକ୍ତମାନଙ୍କ ନାଁରେ ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିଲା। ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ବିଦ୍ୱେଷ ସୃଷ୍ଟି ଓ ସ୍ୱେଚ୍ଛା କୃତ ଭାବେ ଆଘାତ ପହଞ୍ଚାଇବା ଆଦି ଦଫା ଲାଗିଥିଲା। ଗିରଫ ପରେ ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତ ଜାମିନରେ ମୁକୁଳିଥିଲେ।

ମାମଲା ରାୟ

ପ୍ରଥମେ ମାମଲାର ତଦନ୍ତ ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧ ସ୍କ୍ୱାଡ ବା ଏଟିଏସ କରୁଥିଲା। ଏହାର ନେତୃତ୍ୱ ହେମନ୍ତ କରକରେ ନେଉଥିଲେ। ୨୬/୧୧ ଆତଙ୍କୀ ହମଲାରେ ହେମନ୍ତ ସହିଦ ହୋଇଥିଲେ। ମାଲେଗାଓଁ ବିସ୍ଫୋରଣରେ ଏଟିଏସ ପ୍ରଥମ ଗିରଫଦାରୀ ୨୦୦୮ ଅକ୍ଟୋବରରେ କରିଥିଲା। ବିସ୍ଫୋରଣରେ ବ୍ୟବହୃତ ମୋଟର ସାଇକେଲ ପ୍ରଜ୍ଞା ଠାକୁରଙ୍କ ବୋଲି ଜଣାପଡ଼ିଥିଲା।

ଅଧିକାରୀମାନେ ଦାବି କରିଥିଲେ ଯେ ପ୍ରଜ୍ଞା ଠାକୁର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ପୂର୍ବତନ ଆର୍ମି କର୍ମଚାରୀ ଓ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଅଭିନବ ଭାରତର ସଦସ୍ୟଙ୍କ ସହ ମିଶି ପ୍ରଜ୍ଞା ଠାକୁର ବିସ୍ଫୋରଣର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ଆଜି ମାମଲାରେ ରାୟ ପ୍ରକାଶ କରି କୋର୍ଟ କହିଛନ୍ତି, ସରକାରୀ ଓକିଲ ବେଶ ସଫଳତାର ସହ ବିସ୍ଫୋରଣ ହୋଇଥିବା ପ୍ରମାଣ କରିଛନ୍ତି। କିନ୍ତୁ ଏନଆଇଏ ବୋମା ମୋଟରସାଇକେଲରେ ଖଞ୍ଜା ଯାଇଥିବା କଥାକୁ ପ୍ରମାଣ କରି ପାରିନାହିଁ। ଯଦିଓ ବିସ୍ଫୋରଣରେ ଆରଡିଏକ୍ସର ବ୍ୟବହାର ହୋଇଥିବା କୁହାଯାଉଛି, ହେଲେ ଏହା ପୂର୍ବତନ ଆର୍ମି ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କ ଘରେ ରହିଥିବା ପ୍ରମାଣ ମିଳିନି। ସେଠାରେ ବୋମା ଖଞ୍ଜା ଯାଇଥିବା ମଧ୍ୟ ପ୍ରମାଣିତ ହୋଇନି। ପ୍ରଶ୍ନ ଘେରରେ ଥିବା ବାଇକ ପ୍ରଜ୍ଞା ଠାକୁରଙ୍କର ବୋଲି ମଧ୍ୟ ସ୍ପଷ୍ଟ ହୋଇନି।

କିଛି ଅଭିଯୁକ୍ତଙ୍କ ହେପାଜତ ଓ ଚିକିତ୍ସା ସହ ଜଡ଼ିତ ପ୍ରମାଣପତ୍ର ଏବଂ ଦସ୍ତାବିଜରେ ବିସଙ୍ଗତି ଥିବା କୋର୍ଟ କହିଛନ୍ତି। କିଛି ଘଟଣାରେ ହେରଫେର ହୋଇଥିବା ଅଦାଲତ ଅନୁଭବ କରିଛନ୍ତି। କୋର୍ଟ କହିଛନ୍ତି, “ସନ୍ଦେହ ଦୋଷ ପ୍ରମାଣ କରିବାକୁ ଯଥେଷ୍ଟ ନୁହେଁ। ସନ୍ଦେହର ଲାଭ ଅଭିଯୁକ୍ତଙ୍କୁ ମିଳିବା ଦରକାର।”

ମାମଲାର ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତ ଆଜି କୋର୍ଟରେ ଉପସ୍ଥିତ ରହିଥିଲେ। ବିଜେପି ନେତା ପ୍ରଜ୍ଞା ଠାକୁର ରାୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ମାମଲା ତାଙ୍କ ଜୀବନକୁ ପୂରା ବର୍ବାଦ କରି ଦେଇଥିଲା। ଦୋଷୀଙ୍କୁ ଭଗବାନ ନିଶ୍ଚିତ ଦଣ୍ଡ ଦେବେ ବୋଲି ସେ କହିଛନ୍ତି। ପ୍ରଜ୍ଞାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ବିସ୍ଫୋରଣରେ ବ୍ୟବହୃତ ବାଇକ ବହୁ ବର୍ଷ ପୂର୍ବରୁ ବିକ୍ରି କରାଯାଇ ସାରିଥିଲା। ଗିରଫଦାରୀ ଜାଲ ପ୍ରମାଣ ଆଧାରରେ କରାଯାଇଥିଲା।

ମାମଲାର ତଦନ୍ତ

୨୦୧୧ ଏପ୍ରିଲ ମାସରେ ତତ୍କାଳୀନ ୟୁପିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ମାମଲା ତଦନ୍ତ ଏନଆଇଏକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବା ମୋକା ଚାର୍ଜକୁ ଏନଆଇଏ ୨୦୧୬ରେ ପ୍ରମାଣ ଅଭାବରୁ ହଟାଇ ଦେଇଥିଲା। କିନ୍ତୁ ୟୁଏପିଏ ଓ ଆଇପିସିର ଦଫା ଗୁଡ଼ିକ କାଏମ ରହିଥିଲା।

ଏନଆଇଏ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଜରିଆରେ ପ୍ରଜ୍ଞା ଠାକୁରଙ୍କୁ ମାମଲାରୁ ବାଦ ଦେବାକୁ ନିବେଦନ କରିଥିଲା। ହେଲେ ଏନଆଇଏ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ। ତାଙ୍କ ବିରୋଧରେ ମାମଲା ଜାରି ରଖିବାକୁ ଉପଯୁକ୍ତ ପ୍ରମାଣ ଥିବା କୋର୍ଟ କହିଥିଲେ। ଏହାବରେ ୨୦୧୮ରୁ ବିଧିବଦ୍ଧ ଟ୍ରାଏଲ ଆରମ୍ଭ ହୋଇଥିଲା।

ମାମଲାର ଟ୍ରାଏଲ ବା ଶୁଣାଣି

ସରକାରୀ ଓକିଲ ୩୨୩ ଜଣ ସାକ୍ଷୀଙ୍କ ବୟାନକୁ ଯାଞ୍ଚ କରିଥିବା ବେଳେ ପ୍ରତିପକ୍ଷ ଓକିଲ ୮ ଜଣଙ୍କୁ କାଠଗଡ଼ାକୁ ଡାକିଥିଲେ। ୧୦,୮୦୦ ଦସ୍ତାବିଜଚ ଉଭୟ ପକ୍ଷ କୋର୍ଟରେ ଉପସ୍ଥାପନ କରିଥିଲେ। ୭ ବର୍ଷର ଶୁଣାଣି ମଧ୍ୟରେ ୫ ଜଣ ବିଚାରପତି ଏହାର ବିଚାର କରିଥିଲେ। ଜଜ ଲାହୋତି ୨୦୨୩ରେ ଦାୟିତ୍ୱ ନେଇଥିଲେ ଓ ଏପ୍ରିଲ ୧୯ରେ ରାୟ ସଂରକ୍ଷିତ ରଖିଥିଲେ। ଏବେ ସେ ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।

ଏତେ ବଡ଼ ବିସ୍ଫୋରଣ ହୋଇଥିଲେ ହେଁ କେହି ଦୋଷୀ ସାବ୍ୟସ୍ତ ନ ହେବା ସମସ୍ତଙ୍କୁ ଚକିତ କରିଛି। ଏହା ପୂର୍ବରୁ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ ମଧ୍ୟ ସମସ୍ତ ୧୨ ଦୋଷୀଙ୍କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ମାମଲାର ଶୁଣାଣି ବେଳେ ପ୍ରାଣ ହରାଇ ସାରିଥିଲେ। ବାକି ୧୧ ଜଣଙ୍କୁ ୧୯ ବର୍ଷ ପରେ ଦୋଷମୁକ୍ତ କରାଯାଇଥିଲା। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। 

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ

୨୦୦୬ ମୁମ୍ବାଇ ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। କୋର୍ଟ ଉପଯୁକ୍ତ ପ୍ରମାଣ ଦେବାରେ ସରକାରୀ ଓକିଲ ବିଫଳ ହୋଇଛନ୍ତି। କେବଳ ସନ୍ଦେହ ଛଡ଼ା ସରକାରୀ ଓକଲି କୌଣସି ପ୍ରକାରର ଠୋସ ପ୍ରମାଣ ଉପସ୍ଥାପନ କରି ପାରି ନଥିବା କହିଥିଲେ। ସନ୍ଦେହ ବ୍ୟତୀତ ସରକାରୀ ଓକିଲ ମାମଲାକୁ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି। ତେଣୁ ୨୦୧୫ ଅକ୍ଟୋବର ମାସରେ ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ବା ମୋକା କୋର୍ଟଙ୍କ ରାୟକୁ ହାଇକୋର୍ଟ ଖାରଜ କରିଥିଲେ।

ହାଇକୋର୍ଟଙ୍କ ଦୋଷମୁକ୍ତ ରାୟକୁ ତୁରନ୍ତ ମହାରାଷ୍ଟ୍ର ଏଟିଏସ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତ ବମ୍ବେ ହାଇକୋର୍ଟଙ୍କ ଦୋଷମୁକ୍ତ ରାୟ ଉପରେ ରୋକ ଲଗାଇ ଦେଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ଜେଲରୁ ଖଲାସ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ନାହାନ୍ତି ଓ ପୂର୍ବରୁ ରିଲିଜ ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ କମଲ ଅନସାରୀ, ମହମ୍ମଦ ଫୈଜଲ, କୁତୁବୁଦ୍ଦିନ ସିଦ୍ଦିକୀ, ନବୀଦ ହୁସେନ ଓ ଆସିଫ ଖାନ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ସେହିପରି ତନବୀର ଅହମ୍ମଦ ଇବ୍ରାହିମ ଅନସାରୀ, ମହମ୍ମଦ ମାଜିଦ, ଶେଖ ମହମ୍ମଦ ଅଲୀ ଆଲାମ ଶେଖ, ମହମ୍ମଦ ସାଜିଦ ମାରଗୁବ ଅନସାରୀ, ମୁଜାମ୍ମିଲ ଅତାଉର ରହମନ ଶେଖ, ସୁହାଲି ମେହମ୍ମୁଦ ଶେଖ ଓ ଜମୀର ଅହମଦ ଲାତିଉର ରେହମନ ଶେଖଙ୍କୁ ଆଜୀନବ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଯେହେତୁ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ପୋରଣ ଦୋଷମୁକ୍ତ ରାୟକୁ ମହାରାଷ୍ଟ୍ର ଏଟିଏସ ଉପର କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଏବେ ମାଲେଗାଓଁ ବିସ୍ଫୋରଣ ଘଟଣାରେ ସମାନ ପଦକ୍ଷେପ ଆପଣାଉଛି କି ନାହିଁ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି। ମହାରାଷ୍ଟ୍ର ଏଟିଏସ ନା ଏନଆଇଏ କିଏ ଏହାକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ, ତା’ହା ମଧ୍ୟ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

Sadhvi Pragya Singh Thakur Malegaon Blast