/odisha-reporter/media/post_attachments/uploadimage/library/16_9/16_9_0/Corona_1678978033.jpg)
Corona
ପୁଣିଥରେ ଦେଶରେ ମହମାରୀ କରୋନା ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ବିଶେଷ କରି ୬ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାର ଚିଠି ଲେଖି ତୁରନ୍ତ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକା ସରକାରଙ୍କୁ ଚିଠି ଲେଖି ଟେଷ୍ଟିଂ, ଟ୍ରିଟିଂ, ଟ୍ରାକିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।
ଚିଠିରେ କୁହାଯାଇଛି ଯେ କିଛି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ଏଥିରୁ ସଙ୍କେତ ମିଳୁଛି। ତେଣୁ ଆଗକୁ ସ୍ଥିତି ବିଗିଡ଼ିବା ପୂର୍ବରୁ ସଂକ୍ରମଣର ମୁକାବିଲା ଓ ଏହାକୁ ରୋକିବା ପାଇଁ ପଦକ୍ଷେପ ନେବା ଦରକାର। ମହାମାରୀ ବିରୋଧରେ ଲଢ଼େଇ କରି ମିଳିଥିବା ଫାଇଦାକୁ ହାତ ଛଡ଼ା ନ କରି ତୁରନ୍ତ ଭାଇରାଲ ସଂକ୍ରମଣକୁ ରୋକିବା ଉଚିତ ବୋଲି ଚିଠିରେ କୁହାଯାଇଛି।
ଦୀର୍ଘ ୪ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ପୁଣି ୭୦୦ ପାର କରିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୬୨୩ରେ ପହଞ୍ଚିଛି। ଶେଷଥର ପାଇଁ ନଭେମ୍ବର ୧୨ରେ ଦେଶରେ ଦୈନିକ ସଂକ୍ରମଣ ୭୩୪ ରେକର୍ଡ ହୋଇଥିଲା। ଏବେ ପୁଣି ସଂକ୍ରମିତଙ୍କ ସଂଖ୍ୟା ୭୦୦ ଡେଇଁଛି।
ତେଣୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିବା ସହ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି। କୌଣସି ଅଞ୍ଚଳରେ ସଂକ୍ରମଣ ରୋକିବାକୁ ଯଦି ନିହାତି ଆବଶ୍ୟକ ପଡ଼େ, ତା’ହେଲେ ରାଜ୍ୟଗୁଡ଼ିକୁ କଟକଣା ଲଗାଇବାକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଚିଠିରେ ରାଜ୍ୟଗୁଡ଼ିକୁ କରୋନାର ମୁକାବିଲା ପାଇଁ ମାଇକ୍ରୋ ସ୍ତରୀୟ(ଜିଲ୍ଲା ଓ ସବ ଜିଲ୍ଲାସ୍ତରୀୟ) ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।
ଶନିବାର ମଧ୍ୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ଚିଠି ଲେଖି ଧୀରେଧୀରେ କରୋନାର ପଜିଟିଭିଟି ହାର ବୃଦ୍ଧି ପାଉଥିବା ସମ୍ପର୍କରେ ସତର୍କ କରାଇଥିଲେ। ଏଥିପାଇଁ ସମସ୍ତଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
