Advertisment

‘ଦ ସାବରମତି ରିପୋର୍ଟ’କୁ ମୋଦିଙ୍କ ପରେ ଶାହଙ୍କ ପ୍ରଶଂସା

'ଦ ସାବରମତି ରିପୋର୍ଟ' ଚଳଚ୍ଚିତ୍ରକୁ ସମର୍ଥନ ଜଣାଇ ଏକ୍ସରେ ପୋଷ୍ଟ ଶେୟାର କଲେ ଗୃହମନ୍ତ୍ରୀ ଅମିତ ଶାହ। ଏହି ଚଳଚ୍ଚିତ୍ର ୨୦୦୨ ମସିହାର ବହୁ ଚର୍ଚ୍ଚିତ ଗୋଧ୍ରା ଘଟଣା ଉପରେ ଆଧାରିତ।

author-image
Debadatta Aryashrestha
Amit Shah and The Sabarmati Report film Poster

Amit Shah and The Sabarmati Report film Poster

ଅଭିନେତା ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର 'ଦ ସାବରମତି ରିପୋର୍ଟ'କୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫିଲ୍ମକୁ ନିଜର ସମର୍ଥନ ଜଣାଇ ପ୍ରସଂସା କରିଥିଲେ। ଏହି ଚଳଚ୍ଚିତ୍ର ୨୦୦୨ ମସିହାର ବହୁ ଚର୍ଚ୍ଚିତ ଗୋଧ୍ରା ଘଟଣା ଉପରେ ଆଧାରିତ। ଭାରତ ରାଜନୀତିରେ ବଡ଼ ବିବାଦୀୟ ଘଟଣା ମଧ୍ୟରୁ ଗୋଟିଏ ହେଉଛି ଗୋଧ୍ରା ଘଟଣା।

Advertisment

‘ଦ ସାବରମତି ରିପୋର୍ଟ’ ଚଳଚ୍ଚିତ୍ରରେ ବିକ୍ରାନ୍ତ ମେସି ଜଣେ ସାମ୍ବାଦିକଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମା ରିଲିଜ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ସମର୍ଥନ ଜଣାଇଥିଲେ। ଏକ ପୋଷ୍ଟ ଶେୟାର କରିବା ସହ ଏଭଳି ଚଳଚ୍ଚିତ୍ର ଦ୍ୱାରା ସତ୍ୟ କଥା ଲୋକ ଲୋଚନକୁ ଆସୁଥିବା କହିଥିଲେ। ଭୁଲ କାହାଣୀ ବା ଏବଂ ମିଛ କେବଳ ସୀମିତ ସମୟ ପାଇଁ, ହେଲେ ଶେଷରେ ସତ ପଦାକୁ ଆସେ ବୋଲି ପ୍ରଧାନମନ୍ତ୍ରୀ ଲେଖିଥିଲେ। ଏହି କ୍ରମରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଫିଲ୍ମକୁ ନିଜର ସମର୍ଥନ ଜଣାଇ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି।

Advertisment

ଶାହ ଶେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି, ‘ଏକ ଶକ୍ତିଶାଳୀ ଇକୋସିଷ୍ଟମ କେତେ ବି କଠିନ ଚେଷ୍ଟା କରୁ, କିନ୍ତୁ ଏହା ସତ୍ୟକୁ ସବୁଦିନ ପାଇଁ ଅନ୍ଧାରରେ ଲୁଚାଇ ପାରିବନାହିଁ। ଦ ସାବରମତି ରିପୋର୍ଟ ଚଳଚ୍ଚିତ୍ର ଏହି ଇକୋସିଷ୍ଟମକୁ ଅତୁଳନୀୟ ସାହସ ସହିତ ଦର୍ଶାଉଛି।’

ପ୍ରକାଶ ଥାଉ, ୨୭ ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧ୍ରା ଅଗ୍ନିକାଣ୍ଡ ଘଟଣା ଉପରେ ଚଳଚ୍ଚିତ୍ର ‘ଦ ସାବରମତି ରିପୋର୍ଟ’ ଆଧାରିତ। ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା କର ସେବାୟତଙ୍କ ବଗିରେ ଗୁଜରାଟର ଗୋଧ୍ରାଠାରେ ନିଆଁ ଲଗାଇଦିଆଯାଇଥିଲା। ଏହି ହୃଦୟବିଦାରକ ଘଟଣାରେ ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ୨୮ ଫେବୃଆରୀରୁ ଗୁଜରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହୋଇଥିଲା। ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

Amit Shah The Sabarmati Report Amit Shah Praises Sabarmati Report Godhra Incident