/odisha-reporter/media/post_attachments/uploadimage/library/16_9/16_9_0/IMAGE_1681570385.jpg)
AmritPal Singh
ଖଲିସ୍ତାନୀ ନେତା ଅମ୍ରିଲ ପାଲ ଦୀର୍ଘ ଦିନ ହେଲା ଫେରାର ଥିଲେ ହେଁ ତା’ର ସହଯୋଗୀମାନଙ୍କୁ ପୁଲିସ୍ ଗିରଫ କରିବା ପ୍ରକ୍ରିୟା ଜାରି ରଖିଛି। ଏହିକ୍ରମରେ ଆଜି ତା’ର ଆଉ ଜଣେ ଘନିଷ୍ଠ ସହଯୋଗୀକୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଜୋଗା ସିଂହ ଉତ୍ତର ପ୍ରଦେଶ ପିଲିଭିଟରେ ଅମ୍ରିତପାଲକୁ ଲୁଚାଇବା ସହ ବିଭିନ୍ନ ପ୍ରକାରର ସହାୟତା କରିଥିଲା।
ଜୋଗା ସିଂହର ଘର ଲୁଧିଆନାରେ ହୋଇଥିବା ବେଳେ ସେ ପିଲିଭିଟରେ ଗୋଟିଏ ଡେରା ଚଳାଉଥିଲା। ଅମ୍ରିତ ପାଲ ସହ ଜୋଗା ସିଂହର ସିଧାସଳଖ ସମ୍ପର୍କ ରହିଥିଲା। ସେ ଅମ୍ରିତପାଲ ପାଇଁ ଘର ଓ ଗାଡ଼ି ଯୋଗାଡ଼ କରିଥିଲା। ପିଲିଭିଟରେ ସେ ଅମ୍ରିତପାଲକୁ ରଖିଥିଲା ଓ ପଞ୍ଜାବ ଆସିବାରେ ସହାୟତା କରିଥିଲା ବୋଲି ଡେପୁଟି ଆଇଜି(ବର୍ଡର ରେଞ୍ଜ) ନରିନ୍ଦର ଭାର୍ଗଭ ସୂଚନା ଦେଇଛନ୍ତି।
ଏହାପୂର୍ବରୁ ଅମ୍ରିତପାଲକୁ ସହଯୋଗ କରିଥିବା ଅଭିଯୋଗରେ ପୁଲିସ୍ ଆଉ ୨ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବାବକ ଗାଁର ରାଜଦୀପ ସିଂହ ଓ ଜଲନ୍ଧର ଜିଲ୍ଲାର ସରବଜିତ ସିଂହ। ଉଭୟଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ଦିନିକିଆ ରିମାଣ୍ଡରେ ପଠାଇ ଦେଇଛନ୍ତି।
ମାର୍ଚ୍ଚ ୧୮ରେ ଅମ୍ରିତପାଲକୁ ଧରିବା ପାଇଁ ଜଲନ୍ଧରରେ ପୁଲିସ୍ ସବୁ ପ୍ରକାରର ବ୍ୟବସ୍ଥା କରି ସାରିଥିଲା। କିନ୍ତୁ ଠିକଣା ସମୟରେ ସେ ପୁଲିସ୍କୁ ଚକମା ଦେଇ ଖସି ଯାଇଥିଲା। ସେବେଠାରୁ ସେ ବେଶ ବଦଳାଇ ବିଭିନ୍ନ ସ୍ଥାନରେ ବୁଲିବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
