Advertisment

ଦିବ୍ରୁଗଡ଼ ଜେଲ୍‌ରେ ସୁରକ୍ଷା କଡ଼ାକଡ଼ି; ସାଥୀଙ୍କୁ ଭେଟି ପାରିବନି ଅମ୍ରିତପାଲ, ସେଲ୍‌ରେ ହିଁ ମିଳିବ ଖାଇବା

ଦିବ୍ରୁଗଡ଼ ଜେଲ୍‌ରେ ଏନଏସ୍‌ଏ ମାମଲାର କଏଦୀଙ୍କୁ ରଖାଯାଉଥିବା ବେଳେ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍‌ ଫୋର୍ସ ଏହି ଜେଲ୍‌ ଚତୁଃପାର୍ଶ୍ୱରେ ୨୪ ଘଣ୍ଟା ମୁତୟନ ରହୁଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Amritpal Singh

Amritpal Singh

ଗତକାଲି ସକାଳେ ଆତ୍ମସମର୍ପଣ କରିବା ପରେ ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି। ଉକ୍ତ ଜେଲ୍‌ରେ ଅମ୍ରିତପାଲଙ୍କ ୯ ସହଯୋଗୀ ଥିଲେ ବି ସେମାନେ ତାଙ୍କୁ ସାକ୍ଷାତ କରିପାରିବେନି। ଅମ୍ରିତପାଲଙ୍କୁ ଏକ ସେଲ୍‌ରେ କଡ଼ା ନଜରରେ ରଖାଯାଇଥିବା ବେଳେ ବାହାରକୁ ବାହାରିବାକୁ ବି ଅନୁମତି ମିଳିନି। ଏପରିକି ଉକ୍ତ ରୁମ୍‌ ଭିତରେ ହିଁ ଅମ୍ରିତପାଲଙ୍କ ଖାଇବା ବ୍ୟବସ୍ଥା କରାଯାଇଥିବା ବେଳେ ତାଙ୍କ ପାଇଁ ଜେଲ୍‌ କାମ କରିବା ବି ମନା।

Advertisment

ଦିବ୍ରୁଗଡ଼ ଜେଲ୍‌ରେ ପ୍ରାୟ ୪୨୦ କଏଦୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କେବଳ ଜାତୀୟ ସୁରକ୍ଷା ଆଇନ (ଏନଏସ୍‌ଏ)ରେ ଗିରଫ କରାଯାଇଛି। ଏହି ୧୦ ଜଣ ପଞ୍ଜାବର ହୋଇଥିବା ବେଳେ ଅମ୍ରିତପାଲ ମାମଲାରେ ବନ୍ଧା ହୋଇଛନ୍ତି।

ଦିବ୍ରୁଗଡ଼ ଜେଲ୍‌ରେ ଏନଏସ୍‌ଏ ମାମଲାର କଏଦୀଙ୍କୁ ରଖାଯାଉଥିବା ବେଳେ ଏହାର ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସେଣ୍ଟ୍ରାଲ ରିଜର୍ଭ ପୁଲିସ୍‌ ଫୋର୍ସ ଏହି ଜେଲ୍‌ ଚତୁଃପାର୍ଶ୍ୱରେ ୨୪ ଘଣ୍ଟା ମୁତୟନ ରହୁଛନ୍ତି।

Advertisment

ଖଲିସ୍ତାନୀ ନେତା ଅମ୍ରିତପାଲ ସେଲ୍‌ ଚାରିପାଖରେ ସିସିଟିଭି ଲାଗିଛି। ଫଳରେ କଏଦୀଙ୍କ ସମେତ ଯାତାୟାତ କରୁଥିବା ଲୋକଙ୍କ ଉପରେ ବି ନଜର ରଖି ହେବ । ‘ୱାରିସ୍‌ ପଞ୍ଜାବ ଦେ’ ନେତାଙ୍କ ସେଲ୍‌ ନିକଟରେ ୱାର୍ଡେନଙ୍କ କଡ଼ା ପହରା କରାଯାଇଛି।

ଗତକାଲି ସକାଳେ ରୋଡେ ଗାଁର ଗୁରୁଦ୍ୱାରରୁ ଗିରଫ କରାଯିବା ପରେ ଅମ୍ରିତପାଲଙ୍କୁ ସିଧାସଳଖ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସିଧାସଳଖ ଦିବ୍ରୁଗଡ଼ ନିଆଯାଇଥିଲା। ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଦିବ୍ରୁଗଡ଼ ଜେଲ୍‌ ନିଆଯିବା ନିମନ୍ତେ ସମ୍ପୂର୍ଣ୍ଣ ରାସ୍ତାକୁ ଖାଲି କରି ଦିଆଯାଇଥିଲା। କଡ଼ା ସୁରକ୍ଷା ବଳୟରେ ତାଙ୍କୁ ଭ୍ୟାନ୍‌ ଯୋଗେ ମେଡିକାଲ ଚେକଅପ୍‌ ପାଇଁ ନିଆଯାଇଥିଲା। ଏହାପରେ ସେଠାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା।

ସୁରକ୍ଷା ଦୃଷ୍ଟିକୋଣରୁ ଅମ୍ରିତପାଲଙ୍କୁ ସେଲ୍‌ରୁ ବାହାରିବାକୁ ଅନୁମତି ମିଳୁ ନ ଥିବା ବେଳେ ଜେଲ୍‌ରେ କାମ କରିବାକୁ ବି ଅନୁମତି ମିଳୁନି। ପ୍ରାୟ ମାସେ ହେଲାଣି ଅମ୍ରିତପାଲଙ୍କ ୯ ସହଯୋଗୀ ଦିବ୍ରୁଗଡ଼ ଜେଲ୍‌ରେ କଏଦ ହୋଇ ଅଛନ୍ତି। ଏବେ ଅମ୍ରିତପାଲ ବି ସେଠାରେ ପହଞ୍ଚି ଯାଇଥିବାରୁ ଅର୍ଦ୍ଧସୈନିକ ବଳଙ୍କୁ ମଧ୍ୟ ଏହି ଜେଲ୍‌ର ସୁରକ୍ଷାରେ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ, ଖଲିସ୍ତାନ ସପକ୍ଷରେ ଯୁକ୍ତି ବାଢ଼ି ବେଶ୍ କିଛି ସମୟ ଧରି ଦେଶରେ ଘୃଣାର ମଞ୍ଜି ପୋତି ଚାଲିଥିବା ଅମ୍ରିତପାଲ ସିଂହଙ୍କୁ ଗିରଫ କରିବାକୁ  ମାର୍ଚ୍ଚ ୧୮ ରେ ପଞ୍ଜାବ ପୁଲିସ ଜଳନ୍ଧରର ନଙ୍ଗାଲ ଅମ୍ବିଆନ ଗାଁ ପାଖରେ ନାକାବନ୍ଦୀ କରିଥିଲା। ତେବେ ଅମ୍ରିତପାଲ ସିଂହ ଖସି ପଳାଇବାରେ ସକ୍ଷମ ହୋଇଥିଲା। ଆଉ ଶେଷରେ ମାସେ ପରେ ତାକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି।

Punjab Assam Arrest Amritpal Singh