/odisha-reporter/media/post_attachments/uploadimage/library/16_9/16_9_0/Kirandeep_1681979955.jpg)
Kirandeep
ଫେରାର ହୋଇଯାଇଥିବା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଅମୃତସର ବିମାନବନ୍ଦରରେ ଅଟକ ରଖାଯାଇଛି। ସେ ଆଜି ଇଂଲଣ୍ଡ ଯାଉଥିବା ବେଳେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, କିରଣଦୀପ ଦେଶ ଛାଡ଼ି ଯାଇପାରିବେ ନାହିଁ। ତଦନ୍ତ ପ୍ରକ୍ରିୟାରେ ତାଙ୍କର ଆବଶ୍ୟକତା ରହିଥିବାରୁ ତାଙ୍କୁ ଛଡ଼ା ଯାଇପାରିବ ନାହିଁ। ଏ ନେଇ ପୂର୍ବରୁ ସର୍କୁଲାର ମଧ୍ୟ ଜାରି କରାଯାଇଛି। ଉକ୍ତ ସର୍କୁଲାରରେ ଅମ୍ରିତପାଲଙ୍କ କୌଣସି ସହଯୋଗୀ ବା ସଂପର୍କୀୟ ଦେଶ ଛାଡ଼ି ପାରିବେ ନାହିଁ ବୋଲି କୁହାଯାଇଥିଲା।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କିରଣଦୀପ ହେଉଛନ୍ତି ୟୁକେର ନାଗରିକ। ତାଙ୍କ ନାଁରେ ପଞ୍ଜାବରେ ଅବା ଦେଶର ଅନ୍ୟ କୌଣସି ସ୍ଥାନରେ କୌଣସି ମାମଲା ନାହିଁ।
କିରଣଦୀପ ୟୁକେରେ ରହୁଥିଲେ ହେଁ ସେ ବାବ୍ବର ଖାଲସା ଇଣ୍ଟରନ୍ୟାସନାଲର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ନେଇ କୌଣସି ଠୋସ୍ ପ୍ରମାଣ ନାହିଁ କି ତାଙ୍କ ନାଁରେ ପଞ୍ଜାବ ପୁଲିସ୍ ନିକଟରେ ଅବା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ନିକଟରେ କୌଣସି ମାମଲା ରୁଜୁ ହୋଇନାହିଁ।
ସତ୍ତର୍କତାମୂଳକ ପଦକ୍ଷେପ ସ୍ୱରୂପ କିରଣଦୀପଙ୍କୁ ଅଟକ ରଖାଯାଇଛି। ଆଇନର ଯେଉଁ ବ୍ୟବସ୍ଥା ଅନୁଯାୟୀ ଅମ୍ରିତପାଲଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଥିଲା ସେହି ନିୟମ ଅନୁଯାୟୀ କିରଣଦୀପଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଗତ ମାର୍ଚ୍ଚ ମାସରେ କିରଣଦୀପଙ୍କୁ ଜଲ୍ଲୁପୁର ଖେଡ଼ା ଗାଁରେ ମଧ୍ୟ ପଚରାଉଚରା କରାଯାଇଥିଲା। ଅମ୍ରିତପାଲଙ୍କ ନିକଟକୁ ବିଦେଶରୁ ପାଣ୍ଠି ଆସୁଥିବା କଥା କୁହାଯାଉଥିବା ବେଳେ ସେ ସଂପର୍କରେ ତାଙ୍କ ପତ୍ନୀ କିରଣଦୀପଙ୍କୁ ପଚରାଉଚରା କରାଯାଇଥିଲା।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଅମ୍ରିତପାଲ ସିଂହଙ୍କୁ ବିବାହ କରିଥିଲେ କିରଣଦୀପ କୌର। ବିବାହ ପରେ ସେ ପଞ୍ଜାବ ଆସି ଅମ୍ରିତପାଲଙ୍କ ପୈତୃକ ଗାଁ ଜଲ୍ଲୁପୁର ଖେଡ଼ାରେ ରହୁଥିଲେ। କିରଣଦୀପ ଜଣେ ଏନ୍ଆରଆଇ ହୋଇଥିଲେ ହେଁ ତାଙ୍କ ବାପାଙ୍କ ବଂଶ ଲୋକେ ପଞ୍ଜାବର ଜଳନ୍ଧରର ମୂଳବାସିନ୍ଦା।
ସୂଚନାଯୋଗ୍ୟ, ଅମ୍ରିତପାଲ ସିଂହ ଫେରାର ହେବାର ମାସେ ପୂରି ଯାଇଛି। ମାର୍ଚ୍ଚ ୧୮ ତାରିଖରେ ଜଲନ୍ଧର ନିକଟରେ ପୁଲିସ୍ ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ସେ ଖସିଯିବାକୁ ସକ୍ଷମ ହୋଇଥିଲା ସେବେଠାରୁ ପଞ୍ଜାବ ପୁଲିସ୍ ଓ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଅମ୍ରିତପାଲକୁ ଧରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଯାଏ ସଫଳତା ମିଳିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
