Advertisment

ପତ୍ନୀଙ୍କୁ ଅର୍ଦ୍ଧନଗ୍ନ କରି ପିଟିଲେ ୧୨୦ ପୁରୁଷ, ଭିଡିଓ ଜାରି କରି ଡିଜିପିଙ୍କ ସହାୟତା ଲୋଡ଼ିଲେ ଯବାନ

ସେ ଏକ ଭିଡିଓ ଜରିଆରେ ଏହି ଅଭିଯୋଗ କରିଥିବା ବେଳେ ଭିଡିଓଟିକୁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

author-image
Jitendra Garnayak
Jawan Prabhakaran

Jawan Prabhakaran

ଭାରତୀୟ ସେନାର ଜଣେ ଯବାନ ଅଭିଯୋଗ କରିଛନ୍ତି ଯେ ୧୨୦ ଜଣ ପୁରୁଷ ତାଙ୍କ ପତ୍ନୀଙ୍କୁ ଅର୍ଦ୍ଧନଗ୍ନ କରି ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିଛନ୍ତି। ଏହି ଯବାନଙ୍କ ନାଁ ପ୍ରଭାକରନ। ସେ ଭାରତୀୟ ସେନାରେ ହାବିଲଦାର ଅଛନ୍ତି ଓ ଏବେ କାଶ୍ମୀରରେ ମୁତୟନ ହୋଇଛନ୍ତି। ତାଙ୍କ ଘର ତାମିଲନାଡୁର ପଡାବେଡୁ ଗାଁରେ। 

Advertisment

ପ୍ରଭାକରନ ଏକ ଭିଡିଓ ଜରିଆରେ ଏହି ଅଭିଯୋଗ କରିଥିବା ବେଳେ ଭିଡିଓଟିକୁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ପ୍ରଭାକରନ କହିଛନ୍ତି, ମୋ ପତ୍ନୀ ଏକ ଦୋକାନ କରିଛନ୍ତି। ତାଙ୍କୁ ୧୨୦ ଜଣ ପୁରୁଷ ମିଶି ମାଡ଼ ମାରିଛନ୍ତି ଓ ଦୋକାନର ସମସ୍ତ ଜିନିଷପତ୍ର ଫିଙ୍ଗି ଦେଇଛନ୍ତି। ମୁଁ ଏସ୍‌ପିଙ୍କ ନିକଟକୁ ଏକ ଆବେଦନ ପତ୍ର ପଠାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଡିଜିପି ସାର, ଦୟାକରି ସାହାଯ୍ୟ କରନ୍ତୁ। ସେମାନେ ଛୁରୀ ଧରି ମୋ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ ଓ ଧମକ ଦେଇଥିଲେ। ମୋ ପତ୍ନୀଙ୍କୁ ସେମାନେ ଅର୍ଦ୍ଧନଗ୍ନ କରି ନିର୍ଦ୍ଦୟ ଭାବେ ପିଟିଥିଲେ।

ଅନ୍ୟପକ୍ଷରେ ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି ଯେ ପ୍ରଭାକରନ ଘଟଣାକୁ ନେଇ ବଢ଼ାଇ ଚଢ଼ାଇ କହୁଛନ୍ତି। ଏହାକୁ ଅତିରଞ୍ଜିତ କରାଯାଉଛି।

Advertisment

ପୁଲିସ୍ କହିଛି, ପ୍ରଭାକରନଙ୍କ ଶ୍ୱଶୁର ସେଲଭାମୂର୍ତ୍ତି ରେଣୁଗାମ୍ବଲ ମନ୍ଦିର ଜାଗାରେ ନିର୍ମିତ ଏକ ଦୋକାନ ଘରକୁ ୫ ବର୍ଷ ପାଇଁ ୯.୫ ଲକ୍ଷ ଟଙ୍କାରେ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲିଜ୍ ସୂତ୍ରରେ ନେଇଛନ୍ତି। କୁମାରଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରାମୁ ନିଜେ ଉକ୍ତ ଦୋକାନ ଘରେ କିଛି ବ୍ୟବସାୟ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ସେଲଭାମୂର୍ତ୍ତିଙ୍କୁ ଦୋକାନ ଛାଡ଼ିବାକୁ କହିଥିଲେ। ସେ ଟଙ୍କା ଫେରାଇବାକୁ ରାଜି ହୋଇଯାଇଥିବା ବେଳେ ଗତ ଫେବ୍ରୁଆରୀ ୧୦ ତାରିଖରେ ଏନେଇ ଏକ ଚୁକ୍ତି ହୋଇଥିଲା। କିନ୍ତୁ ରାମୁଙ୍କ କହିବା ମୁତାବକ ପରେ ସେଲଭାମୂର୍ତ୍ତି ପଇସା ନେବାକୁ ମନା କରିଥିଲେ ଓ ତା’ ସହିତ ଦୋକାନ ଖାଲି କରିବାକୁ ବି ମନା କରିଥିଲେ।

ଗତ ଜୁନ ୧୦ ତାରିଖରେ ରାମୁ ଟଙ୍କା ନେଇ ଉକ୍ତ ଦୋକାନକୁ ଯାଇଥିଲେ। ସେ ସେଲଭାମୂର୍ତ୍ତିଙ୍କ ପୁଅ ଜୀବା ଓ ଉଦୟଙ୍କୁ ଟଙ୍କା ଫେରସ୍ତ କରିଥିଲେ। କିନ୍ତୁ ଟଙ୍କା ନେବା ବଦଳରେ ସେମାନେ ରାମୁଙ୍କୁ ଆକ୍ରମଣ କରିଥିଲେ। ରାମୁଙ୍କ ମୁଣ୍ଡକୁ ଜୀବା ଏକ ଛୁରୀରେ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲେ।

ଏହି ଘଟଣା ଦେଖି ଆଖପାଖରେ ଥିବା ଲୋକେ ରାମୁଙ୍କ ସମର୍ଥନରେ ବାହାରି ଦୋକାନ ଭିତରେ ପଶି ଜିନିଷ ଗୁଡ଼ିକୁ ଏଣେତେଣେ ଫୋପାଡ଼ି ଦେଇଥିଲେ। ସେହି ସମୟରେ ଯବାନ ପ୍ରଭାକରନଙ୍କ ପତ୍ନୀ କୀର୍ତ୍ତି ତାଙ୍କ ମା’ଙ୍କ ସହିତ ଦୋକାନରେ ଉପସ୍ଥିତ ଥିଲେ। କିନ୍ତୁ ଲୋକେ ସେମାନଙ୍କୁ କିଛି କରି ନଥିଲେ।

ସ୍ଥାନୀୟ ପୁଲିସ ଉଭୟ ପକ୍ଷର ଅଭିଯୋଗ ରଖି ମାମଲା ରୁଜୁ କରିଛି। ତା’ ସହିତ ଘଟଣାର ତଦନ୍ତ କରୁଛି। ତେବେ ଯବାନ ପ୍ରଭାକରନ କରିଥିବା ଦାବି ଅତିରଞ୍ଜିତ ବୋଲି ପୁଲିସ କହିଛି। ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରାଯାଇନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Tamilnadu Indian Army