/odisha-reporter/media/media_files/2026/01/02/mp-2026-01-02-14-23-50.jpg)
ମହିଳାଙ୍କ କ୍ଷୋଭ
ମଧ୍ୟପ୍ରଦେଶର ଜବଲପୁର ଅନ୍ତର୍ଗତ ବାବା ଟୋଲା ଓ ସିନ୍ଧି କ୍ୟାମ୍ପ ଅଞ୍ଚଳରେ ବିଷାକ୍ତ ମଦ(Illicit Liquor) ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଗୋଟିଏ ମାସରୁ କମ ସମୟ ମଧ୍ୟରେ ଏଠାରେ ବିଷାକ୍ତ ମଦ ଯୋଗୁ ୧୯ ଜଣଙ୍କ ଜୀବନ ଗଲାଣି। ଏହା କେବଳ ସଂଖ୍ୟା ନୁହେଁ, ବିଷାକ୍ତ ମଦ ଅନେକ ପରିବାରକୁ ଉଜାଡ଼ି ଦେଇଛି। ଘର ଭିତରେ ଅସମ୍ଭବ ନୀରବତା ସୃଷ୍ଟି କରିଛି। ଅନେକ ଛୋଟ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି।
୧୯ ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ ହେଁ କେହି ବି ଏହାକୁ ଗୁରୁତ୍ୱ ଦେଉ ନଥିଲେ। କିନ୍ତୁ ଶହଶହ ମହିଳା ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରି ଏସ୍ପି ଅଫିସ ଘେରାଉ କରିବାରୁ ପ୍ରଶାସନର ନିଦ ଭାଙ୍ଗିଛି। ସେମାନେ ନିଜର କ୍ରୋଧ ଜାହିର କରିବା ସହ ଗୋଟିଏ ସ୍ୱରରେ ମଦ ବିକ୍ରି ଉପରେ ସଂପୂର୍ଣ୍ଣ ରୋକ ଲଗାଇବାକୁ ଦାବି କରିଛନ୍ତି।
ଅନେକ ମହିଳା ନିଜ ସହ ଘଟିଥିବା ଛାତିଥରା କାହାଣୀକୁ ମଧ୍ୟ କ୍ୟାମେରା ଆଗରେ ବଖାଣିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ମାୟା ବାଈ। ସେ ବିକ୍ଷୋଭରେ ସାମିଲ ହୋଇଥିବା ବେଳେ କେବଳ କାନ୍ଦି ଚାଲିଥିଲେ। ତାଙ୍କର ସ୍ୱାମୀ ଓ ଦୁଇ ପୁଅ ରହିଥିଲେ। ସମସ୍ତେ ମଦର ନିଶାରେ ପଡ଼ିଥିଲେ। ମଦ ଜଣଙ୍କ ପରେ ଜଣଙ୍କୁ ମାୟା ବାଈଙ୍କ ଠାରୁ ନେଇ ଯାଇଛି। ଏବେ ମାୟା ବାଈଙ୍କ ପାଖରେ ସ୍ୱାମୀ କିମ୍ବା ଦୁଇ ପୁଅ କେହି ବି ନାହାନ୍ତି। ଏବେ ସେ ନିଜର ଝିଅ ଓ ବୋହୂଙ୍କ ହାତ ଟେକାରେ ଜୀବନ କାଟୁଛନ୍ତି।
ମଦ ଛାଡ଼ିବାକୁ ସେ ତାଙ୍କର ଦୁଇ ପୁଅଙ୍କୁ ବାରମ୍ବାର ବୁଝାଇଥିଲେ। କିନ୍ତୁ ଶସ୍ତା ଓ ସହଜରେ ମଦ ମିଳୁଥିବାରୁ ତାଙ୍କର ସବୁ ଉଦ୍ୟମ ଫେଲ ମାରିଥିଲା। ଯଦି ଏଠାରେ ମଦ ବନ୍ଦ ନ ହେବ, ତା’ହେଲେ ପୂରା ଅଞ୍ଚଳ ଗୋଟିଏ ଦିନ ପୁରୁଷ ଶୂନ୍ୟ ହୋଇଯିବ ବୋଲି ସେ କାନ୍ଦି କାନ୍ଦି କହିଛନ୍ତି।
କେବଳ ମାୟା ବାଈ ନୁହନ୍ତି, ବାବା ଟୋଲା ଓ ସିନ୍ଧି କ୍ୟାମ୍ପରେ ରହୁଥିବା ଅନେକ ଲୋକ ଶସ୍ତା ମଦ ଯୋଗୁ ନିଜ ପରିବାରର ୩ରୁ ୪ ଜଣ ସଦସ୍ୟ ହରାଇ ସାରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବେଆଇନ ମଦ କାରବାର ଖୋଲାଖୋଲି ଚାଲିଛି। ୧୦, ୨୦ ଓ ୫୦ ଟଙ୍କାରେ ପାଉଚ ମଦ ସହଜରେ ଉପଲବ୍ଧ ହେଉଛି। ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବ୍ୟତୀତ ଏଠାରେ ଅନେକ ବେଆଇନ ମଦ ଦୋକାନ ଖୋଲି ଉଠିଛି।
ଆଇନଗତ ଉପାୟରେ ଯେଉଁ ମଦ ୧୦୦ ଟଙ୍କାରେ ବିକ୍ରି ହେଉଛି, ସେହି ମଦ ବାହାରେ କିଛି ଲୋକ ୫୦ ଟଙ୍କାରେ ଯୋଗାଇ ଦେଉଛନ୍ତି। ଫଳରେ ଗରିବ ଓ ଦିନ ମଜୁରିଆ କମ ଦାମରେ ମିଳୁଥିବା ବିଷାକ୍ତ ମଦକୁ ପିଇବାରେ ଲାଗିଛନ୍ତି। ନିଶା ଅଭ୍ୟାସ ଯୋଗୁ ଘରର ପୁରୁଷ ମଦରେ ପ୍ରବଳ ଟଙ୍କା କରୁଛି। ଏଥିଯୋଗୁ ପରିବାର ଲୋକ ଭୋକରେ ରହୁଛନ୍ତି। ସେମାନେ ଚଳିବା ପାଇଁ ଋଣ କରୁଛନ୍ତି।
ମାସକ ମଧ୍ୟରେ ୧୯ ଜଣଙ୍କ ମୃତ୍ୟୁ ହେବାରୁ ଶହଶହ ମହିଳା ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁ ପ୍ରଶାସନ ପୂରା ଘଟଣାକୁ ଗୁରୁତ୍ୱର ସହ ନେଇଛି। ପୁଲିସ୍ ଓ ଜିଲ୍ଲା ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳରେ କ୍ୟାମ୍ପ ପକାଇଛନ୍ତି। ସେମାନେ ଘର ଘର ବୁଲି ପୀଡ଼ୀତଙ୍କ ପରିବାର ବର୍ଗଙ୍କ ବୟାନ ରେକର୍ଡ କରୁଛନ୍ତି। ପ୍ରଶାସନର କହିବା କଥା ଯେ ପ୍ରଚୁର ପରିମାଣର ମଦ ପିଇବା ଯୋଗୁ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ବେଆଇନ ଓ ବିଷାକ୍ତ ମଦ କାରବାର ତଦନ୍ତ ମଧ୍ୟ ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
