/odisha-reporter/media/media_files/2026/02/25/anil-ambani-2026-02-25-18-18-36.jpg)
ଅନୀଲ ଅମ୍ବାନୀ ଓ ତାଙ୍କ ଘର
ଶିଳ୍ପପତି ଅନୀଲ ଅମ୍ବାନୀ(Anil Ambani)ଙ୍କୁ ବଡ଼ ଝଟକା। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ଇଡି ପକ୍ଷରୁ ଆଜି ଅନୀଲ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତି ବିଳାଶପୂର୍ଣ୍ଣ ଘରକୁ ଆଟାଚ କରାଯାଇଛି। ଏହି ଘରର ମୂଲ୍ୟ ୩୭୧୬ କୋଟି ଟଙ୍କା। ଏହା ଆବୋଡେ ନାଁରେ ପରିଚିତ।
ଇଡି ତାଙ୍କ ଘରକୁ ଆଟାଚ କରିଥିବା ବେଳେ ତାଙ୍କୁ ଆସନ୍ତାକାଲି ତଦନ୍ତରେ ସାମିଲ ହେବାକୁ ନୋଟିସ ମଧ୍ୟ କରିଛି। ମନି ଲଣ୍ଡରିଂ ମାମଲାରେ ଅନୀଲ ଅମ୍ବାନୀଙ୍କୁ ମାରାଥନ ଜେରା କରିବା ମୁଡରେ ରହିଛି ଇଡି। ଆସନ୍ତାକାଲି ତାଙ୍କୁ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏହାପୂର୍ବରୁ ୨୦୨୫ ଅଗଷ୍ଟ ମାସରେ ମଧ୍ୟ ଇଡି ଅନୀଲ ଅମ୍ବାନୀଙ୍କୁ ଜେରା କରିଥିଲା। ପିଏମଏଲଏ ଅଧୀନରେ ତାଙ୍କ ବୟାନକୁ ମଧ୍ୟ ରେକର୍ଡ କରିଥିଲା।
ଅନୀଲ ଧିରୁଭାଇ ଅମ୍ବାନୀ ଗ୍ରୁପ ନାଁରେ ଥିବା ବ୍ୟାଙ୍କ ଠକେଇ ଓ ଆର୍ଥିକ ହେରଫେରର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛି ଇଡି। ଏହି ଟିମ ଅନୀଲ ଅମ୍ବାନୀଙ୍କ ସହ ଜଡ଼ିତ ଆର୍ଥିକ ଜାତିଆତିର ତଦନ୍ତ କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏଯାଏ ତଦନ୍ତର ଅଂଶବିଶେଷ ଭାବେ ଇଡି ଅନୀଲ ଅମ୍ବାନୀଙ୍କ ୧୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରି ସାରିଲାଣି। ସେହିପରି ୩ଟି ଇସିଆଇଆର ବା ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ ରିଲାଏନ୍ସ ଗ୍ରୁପ ଅଫ କମ୍ପାନୀଜ ବିରୋଧରେ ଦାଖଲ କରିଛି। RCOM ହେଉଛି ରିଲାଏନ୍ସ ଗ୍ରୁପ ଅଫ କମ୍ପାନୀ। ୪୦ ହଜାର କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗର ତଦନ୍ତ ଏହି କମ୍ପାନୀ ବିରୋଧରେ ଚାଲିଛି।
ଏହାପୂର୍ବରୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ଘନିଷ୍ଠ ସହଯୋଗୀ ଅଶୋକ କୁମାର ପାଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ସେ ରିଲାଏନ୍ସ ପାୱାର ଲିଃରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।
ଗୋଟିଏ ନକଲି ବ୍ୟାଙ୍କ ଗ୍ୟାରେଣ୍ଟୀ କେସରେ ଇଡି ମନି ଲଣ୍ଡରିଂ(Money Laundering) ମାମଲା ରୁଜୁ କରିଥିଲା। ସେହି ମାମଲାରେ ଅଶୋକଙ୍କୁ ଗିରଫ କରାଯାଇଥିଲା। ରିଲାଏନ୍ସ ପାୱାରରେ ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ ୭ ବର୍ଷରୁ ଅଧିକ ସମୟ ହେଲା କାମ କରୁଥିଲେ ଅଶୋକ। ନୂତନ ଓ ପୁନଃ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ସୋଲାର ଏନର୍ଜୀ କର୍ପୋରେସନ ଅଫ ଇଣ୍ଡିଆ(ଏସ୍ଇସିଆଇ) ନିକଟରେ ସେ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟୀର କାଗଜପତ୍ର ଦାଖଲ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
