/odisha-reporter/media/media_files/2025/12/01/blo-2025-12-01-15-53-46.jpg)
ସର୍ବେଶ କୁମାର ସିଂହ
ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସ୍ଆଇଆର)ର ଚାପ ଏବେ ବୁଥ ସ୍ତରୀୟ ଅଫିସର(ବିଏଲଓ)ଙ୍କ ଉପରେ ବଢ଼ିବାରେ ଲାଗିଛି। ଅତ୍ୟଧିକ ଚାପ ଯୋଗୁ ଜଣଙ୍କ ଜଣେ ବିଏଲଏ ଜୀବନ ହାରିବାରେ ଲାଗିଛନ୍ତି। ଏହିକ୍ରମରେ ଉତ୍ତର ପ୍ରଦେଶରେ ପୁଣି ଜଣେ ବିଏଲଓ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।
ଶିକ୍ଷକ ଭାବେ କାମ କରୁଥିବା ଏହି ବ୍ୟକ୍ତିଙ୍କୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ହେଲେ ଉତ୍ତର ପ୍ରଦେଶ ସ୍ଥିତ ମୋରଦାବାଦ ଘରୁ ତାଙ୍କର ମୃତଦେହ ମିଳିଛି। ମୃତଦେହ ମିଳିବାର ଦିନକ ପରେ ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ।
ଆତ୍ମହତ୍ୟା କରିବା ପୂର୍ବରୁ ବିଏଲଓ ଜଣଙ୍କ ନିଜ ପରିବାର ପାଇଁ କୋହ ଭରା କଣ୍ଠରେ ଶେଷ ବାର୍ତ୍ତାକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ। ସେ କାନ୍ଦିକାନ୍ଦି ମା’ ମୁଁ ବଞ୍ଚିବାକୁ ଚାହୁଁଛି ବୋଲି କହୁଥିବା ଦେଖିବାକୁ ଓ ଶୁଣିବାକୁ ମିଳୁଛି।
ଭିଡିଓରେ ୪୬ ବର୍ଷୀୟ ସର୍ବେଶ କୁମାର ସିଂହ ଭୋଟର ତାଲିକା ସର୍ଭେ ଟାର୍ଗେଟକୁ ପୂରଣ କରିବାରେ ବିଫଳ ହୋଇଥିବା କଥା କହୁଛନ୍ତି। ଏଥିସହ ଏହି ବିଶ୍ୱରୁ ସେ ଅନେକ ଦୂରକୁ ଚାଲିଯାଉଥିବାରୁ ପରିବାର ଲୋକଙ୍କୁ କ୍ଷମା ମାଗୁଛନ୍ତି। ନିଜର ୪ ଝିଅଙ୍କ ଯତ୍ନ ନେବାକୁ ମଧ୍ୟ ସେ ଭିଡିଓରେ ତାଙ୍କ ମା’ ଓ ଭଉଣୀଙ୍କୁ କାନ୍ଦି କାନ୍ଦି ନିବେଦନ କରୁଛନ୍ତି।
ସ୍ଥାନୀୟ ସରକାରୀ ସ୍କୁଲରେ ସହାୟକ ଶିକ୍ଷକ ଭାବେ କାମ କରୁଥିଲେ ଶ୍ରୀ ସିଂହ। ଅକ୍ଟୋବର ୭ରୁ ତାଙ୍କୁ ବିଏଲଓ ଭାବେ ନିଯୁକ୍ତ କରାଯାଇଥିଲା। ପ୍ରଥମଥର ପାଇଁ ସେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ସାମିଲ ହୋଇଥିଲେ। ଦାୟିତ୍ୱ ମିଳିବା ପରେ ତାଙ୍କୁ ନିର୍ଦ୍ଦିଷ୍ଟ ଟାର୍ଗେଟ ଦିଆଯିବା ସହ ଘର ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ ପାଇଁ କୁହାଯାଇଥିଲା।
କିନ୍ତୁ ଶିକ୍ଷକ ଭାବେ କାମ କରୁଥିବା ଶ୍ରୀ ସିଂହ ବିଏଲଓ ଭାବେ କାମ କରିବା ଚାପକୁ ସହ୍ୟ କରି ପାରି ନଥିଲେ। ଏଥିଯୋଗୁ ସେ ଜୀବନ ହାରିଥିବା ରବିବାର ତାଙ୍କ ପତ୍ନୀ ବବଲୀ କହିଥିଲେ।
ଏବେ ଭିଡିଓରେ ଶ୍ରୀ ସିଂହ ସାମ୍ନା କରୁଥିବା କଷ୍ଟ ସମ୍ପର୍କରେ ପୂରା ଦେଶକୁ ଜଣାଇଛନ୍ତି। ସେ କହିଛନ୍ତି, “ଦିଦି, ମୋତେ କ୍ଷମା କରିଦେବ। ମା’ ଦୟା କରି ମୋ ପିଲାଙ୍କ ଯତ୍ନ ନେବ। ମୁଁ ଏହି ନିର୍ବାଚନ କାମରେ ଫେଲ ମାରିଛି। ମୁଁ ଗୋଟିଏ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଏଥିପାଇଁ କେବଳ ମୁଁ ହିଁ ଦାୟୀ। କାହାର ଏଥିରେ କୌଣସି ଭୁଲ ନାହିଁ। ମୁଁ ବହୁତ ଦୁଃଖରେ ଅଛି।
ମୁଁ ଦୀର୍ଘ ୨୦ ଦିନ ହେଲା ଶୋଇ ପାରୁ ନାହିଁ। ଯଦି ମୋ ପାଖରେ ସମୟ ଥାଆନ୍ତା, ତା’ହେଲେ ମୁଁ ମୋ କାମ ନିଶ୍ଚିତ ଶେଷ କରି ଥାଆନ୍ତି। ମୋର ୪ ଜଣ ଛୋଟ ଝିଅ ରହିଛନ୍ତି। ଦୟା କରି ମୋତେ କ୍ଷମା କରିଦେବ। ମୁଁ ଏହି ଦୁନିଆରୁ ବହୁତ ଦୂରକୁ ଚାଲି ଯାଉଛି। ମୁଁ ବଞ୍ଚିବାକୁ ଚାହୁଁଛି। କିନ୍ତୁ ଚାପ ବହୁତ ଅଧିକ।”
More than 30 BLOs have committed suicide due to the extreme mental stress of SIR work. This is the video of BLO Sarvesh Singh in which he was crying before taking his life.@ECISVEEP and Gyanesh Kumar have not even acknowledged these deaths, let alone offered a word of… pic.twitter.com/u0eBDzcwX3
— Dr. Shama Mohamed (@drshamamohd) December 1, 2025
ନିର୍ବାଚନ କମିଶନ(Election Commission) ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ସମଗ୍ର ଦେଶରେ ଏସ୍ଆଇଆର ଆରମ୍ଭ କରିଛନ୍ତି। କିନ୍ତୁ ଏଥିପାଇଁ ବିଏଲଓଙ୍କ ଉପରେ ପ୍ରବଳ ଚାପ ରହୁଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି। ଏସବୁ ଭିତରେ କୁମାରଙ୍କ ଏପରି ଭିଡିଓ ସାମ୍ନାକୁ ଆସିଛି। ଏସ୍ଆଇଆରରେ କାମ ଆରମ୍ଭ କରିବା ପରେ ଏକାଧିକ ବିଏଲଓ ପ୍ରାଣ ହରାଇବାର ଖବର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି।
ବିଏଲଓଙ୍କ କହିବା କଥା ଯେ ସେମାନଙ୍କୁ ୧୪ରୁ ୧୫ ଘଣ୍ଟା ଦୈନିକ କାମ କରିବାକୁ ପଡ଼ୁଛି। ହେଲେ ସେହି ଅନୁସାରେ ପ୍ରାପ୍ୟ ମିଳୁ ନାହିଁ। ଧାର୍ଯ୍ୟ ଟାର୍ଗେଟକୁ ସମୟ ଅନୁସାରେ ଶେଷ ନ କଲେ ସେମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ମିଳୁଛି।
ରବିବାର ପ୍ରାଣ ହରାଇଥିବା ବିଏଲଓ ଶ୍ରୀ ସିଂହ ଜଣେ ଦଳିତ। ସେ ତାଙ୍କ ପରିବାର ଲୋକଙ୍କ ସହ ମୋରଦାବାଦର ବାହେଡି ଗାଁରେ ରହୁଥିଲେ। ଏବେ ତାଙ୍କ ଆତ୍ମହତ୍ୟା ପରିବାର ଲୋକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତାଙ୍କ ପତ୍ନୀ ବବଲୀ କହିବା କଥା ଯେ ତାଙ୍କ ସ୍ୱାମୀ ବେଶ କିଛି ଦିନ ହେବ କେବଳ ୨ରୁ ୩ ଘଣ୍ଟା ରାତିରେ ଶୋଇବାକୁ ସମୟ ପାଇଛଥିଲେ। ଡିଜିଟାଲ ପ୍ରକ୍ରିୟାକୁ ସେ ଠିକ ଭାବେ ଶେଷ କରି ପାରୁ ନଥିଲେ। ବିଶେଷ କରି ଫର୍ମ ଅପଲୋଡ, ଦୈନିକ ଟାର୍ଗେଟ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଭୟ ତାଙ୍କୁ ଘାରିବାରେ ଲାଗିଥିଲା।
ସର୍ବେଶ କୁମାର ସିଂହଙ୍କୁ ପ୍ରତିଦିନ ତାଙ୍କ ଉପରିସ୍ଥ ଅଧିକାରୀମାନେ ମେସେଜ କରି ଅପଡେଟ ମାଗୁଥିଲେ ଓ ଟାର୍ଗେଟ ପୂରଣ ନ କଲେ କାର୍ଯ୍ୟାନୁଷ୍ଠାନର ଧମକ ଦେଉଥିଲେ। ଏଥିଯୋଗୁ ଶ୍ରୀ ସିଂହ ପ୍ରବଳ ଚାପରେ ରହିଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
