Advertisment

‘ ଆମ ମାମଲାକୁ ଚାପି ଦେବାକୁ ଆପ୍ରାଣ ଚେଷ୍ଟା କରିଥିଲେ କ୍ରୀଡ଼ା ମନ୍ତ୍ରୀ ’

ଖୋଦ୍‌ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରି ତାହାକୁ ଚାପି ଦେବାକୁ ଆପ୍ରାଣ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ଭିନେଶ ଫୋଗଟ ।

author-image
Niharika Rout
Vinesh Phogat & Anurag Thakur

Vinesh Phogat & Anurag Thakur

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି ରେସଲରମାନେ । ବ୍ରିଜ ଭୂଷଣଙ୍କ ଗିରଫଦାରୀ ଦାବି କରି ସେମାନେ ନିଜ ଜିଦ୍‌ରେ ଅଡ଼ି ବସିଥିବା ବେଳେ ଷ୍ଟାର ରେସଲର ଭିନେଶ ଫୋଗଟ ଦେଇଛନ୍ତି ଚାଞ୍ଚଲ୍ୟକର ମନ୍ତବ୍ୟ ।

Advertisment

ନିଜ ଶକ୍ତିର ଦୁରପଯୋଗ କରୁଥିବା ଜଣେ କ୍ଷମତାଶାଳୀ ବ୍ୟକ୍ତିଙ୍କ ବିରୋଧରେ ଛିଡ଼ା ହେବା ଖୁବ୍‌ କଷ୍ଟକର ପାଠ। ଆମେ ନ୍ୟାୟ ପାଇଁ ଏପରି ଜଣେ ବ୍ୟକ୍ତିଙ୍କ ବିରୋଧରେ ଛିଡ଼ା ହୋଇଥିବା ବେଳେ ବିଭିନ୍ନ ଆଡ଼ୁ ଚାପର ଶିକାର ହେଉଛୁ। ଖୋଦ୍‌ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରି ଏହି ମାମଲାକୁ ଚାପି ଦେବାକୁ ଆପ୍ରାଣ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ଭିନେଶ ଫୋଗଟ ।

ପ୍ରଥମ ଥର ଜନ୍ତର ମନ୍ତରରେ ଆନ୍ଦୋଳନ ଆରମ୍ଭ କରିବାର ପ୍ରାୟ ୪ ମାସ ପୂର୍ବରୁ ଆମର ଏକ ଦଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଅଧିକାରୀଙ୍କ ନିକଟରେ ନିଜ ଅଭିଯୋଗ ରଖିଥିଲେ । ଏପରିକି ଯୌନ ଉତ୍ପୀଡ଼ନ ଓ ମାନସିକ ନିର୍ଯାତନାର ଶିକାର ହେଉଥିବା ନେଇ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲାନି। ଏହାପରେ ଆମେ ଧାରଣାରେ ବସିବାକୁ ସ୍ଥିର କଲୁ ବୋଲି କହିଛନ୍ତି ଭିନେଶ ଫୋଗଟ ।

Advertisment

ଏପରିକି କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସାକ୍ଷାତ କରି ଆମେ ସମସ୍ତ ସମସ୍ୟା ଜଣାଇଥିଲୁ। ତାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଥିଲୁ। ଏପରିକି ଏକ କମିଟି ଏହାର ଯାଞ୍ଚ କରିବ ବୋଲି ସେ କହିଥିବା ବେଳେ ଉକ୍ତ କମିଟି କିନ୍ତୁ ମାମଲାକୁ ଚାପିବାକୁ ନିଜର ସମସ୍ତ ବଳ ପ୍ରୟୋଗ କଲା ବୋଲି ସେ ଅଭିଯୋଗ କରିଛନ୍ତି।

ରେସଲର ଚୟନ ପାଇଁ ଥିବା ନିୟମକୁ ପରିବର୍ତ୍ତନ କରିଥିବାରୁ ସେମାନେ ଟାର୍ଗେଟ କରୁଛନ୍ତି ବୋଲି ବ୍ରିଜ ଭୂଷଣ କହିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ପହଲିମାନ ବଜରଙ୍ଗ ପୁନିଆ । ଯୌନ ଉତ୍ପୀଡ଼ନ ବିରୋଧ ମାମଲାରେ ନ୍ୟାୟ ଦାବି କରି ଆମେ ଏହି ଧାରଣା ଦେଇଛୁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ନିଜ ଜିଦ୍‌ରେ ଅଟଳ ଥିବା ରେସଲର କହିଛନ୍ତି ଯେ, ଆମକୁ କେବଳ ନ୍ୟାୟ ଦରକାର। ଶୁକ୍ରବାର ଦିଲ୍ଲୀ ପୁଲିସ୍‌ ଏ ନେଇ ଏଫଆଇଆର ରୁଜୁ କରିଥିବା ବେଳେ ଏନେଇ କିନ୍ତୁ ବ୍ରିଜ ଭୂଷଣଙ୍କୁ ପଚରାଉଚରା ପାଇଁ ଡାକି ନାହିଁ। ଅପରପକ୍ଷେ, ଗତ ଶନିବାର ଇସ୍ତଫା ଦେବାକୁ ସଫା ସଫା ମନା କରୁଥିବା ବ୍ରିଜ ଭୂଷଣ କିନ୍ତୁ ଆଜି ଏଥିନିମନ୍ତେ ରାଜି ହୋଇ ଯାଇଛନ୍ତି।

Protest Delhi Indian Wrestler