Advertisment

ବିରୋଧୀଙ୍କ ମହାଗଠବନ୍ଧନରେ ଆରମ୍ଭରୁ ଫାଟ! କଂଗ୍ରେସକୁ ଟାର୍ଗେଟ କଲା ଆପ୍‌

କଂଗ୍ରେସକୁ ବାଦ ଦେଇ ଅଧିକାଂଶ ବିରୋଧୀ ଦଳ ଆପ୍‌କୁ ସମର୍ଥନ କରିଛନ୍ତି। ହେଲେ କଂଗ୍ରେସର ବିନା ସହଯୋଗରେ ବିଲ୍‌କୁ ରୋକିବା ସମ୍ଭବ ନୁହେଁ ବୋଲି ଆପ୍‌ ଭଲ ଭାବେ ଜାଣିଛି। ତେଣୁ ଦଳ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି।

author-image
Hemant Lenka
AAP

AAP

ବିଜେପି ବିରୋଧରେ ମହଗଠବନ୍ଧନ ତିଆରି କରିବାକୁ ବିରୋଧୀ ଆରମ୍ଭ କରିଥିବା ଯୋଜନାରେ ଆମ୍ଭରୁ କେଁ ପଶିଛି। ଆଜି ୧୬ଟି ବିରୋଧୀ ଦଳର ନେତା ପାଟନାରେ ବୈଠକ କରିବା ସହ ଏକାଠି ସାମ୍ବାଦିକ ସମ୍ମିଳନୀ କରି ଏକତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ହେଲେ ବୈଠକରେ ଯୋଗ ଦେଇଥିବା ଆପ୍‌ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଛି।

Advertisment

ସର୍ତ୍ତ ରଖି ବିରୋଧୀଙ୍କ ମହା ବୈଠକରେ ସାମିଲ ହୋଇଥିବା ଆପ୍‌ ଏବେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆଗକୁ କଂଗ୍ରେସକୁ ନେଇ ବିରୋଧୀ ବୈଠକ କଳେ ଆପ୍‌ ଏଥିରେ ସାମିଲ ହେବ ନାହିଁ। ଯଦି କଂଗ୍ରେସ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଆଣିଥିବା ଅଧ୍ୟାଦେଶକୁ ଖୋଲାଖୋଲି ବିରୋଧ ନ କରିବ, ତା’ହେଲେ ଆପ୍‌ ବିରୋଧୀଙ୍କ ପରବର୍ତ୍ତୀ ବୈଠକକୁ ବୟକଟ କରିବ ବୋଲି ଦଳ କହିଛି।

ଦିଲ୍ଲୀ ପ୍ରଶାସନିକ ସେବା ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି। ଏହାକୁ କ୍ଷମତାସୀନ ଆପ୍‌ ସରକାର ବିରୋଧ କରୁଛି। ସଂସଦରେ ଏହାକୁ ଆଇନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ବିଲ୍ ଆଣିବେ। କିନ୍ତୁ ସେଠାରେ ଏହାକୁ ମାତ୍‌ ଦେବା ପାଇଁ ଆପ୍‌ ସବୁ ବିରୋଧୀଙ୍କ ସମର୍ଥନ ଲୋଡ଼ିଛି।

Advertisment

କଂଗ୍ରେସକୁ ବାଦ ଦେଇ ଅଧିକାଂଶ ବିରୋଧୀ ଦଳ ଆପ୍‌କୁ ସମର୍ଥନ କରିଛନ୍ତି। ହେଲେ କଂଗ୍ରେସର ବିନା ସହଯୋଗରେ ବିଲ୍‌କୁ ରୋକିବା ସମ୍ଭବ ନୁହେଁ ବୋଲି ଆପ୍‌ ଭଲ ଭାବେ ଜାଣିଛି। ତେଣୁ ଦଳ କଂଗ୍ରେସ ଉପରେ ଚାପ ପକାଇବା ଆରମ୍ଭ କରିଛି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ପାଟନାରେ ବିରୋଧୀଙ୍କ ବୈଠକ ଡାକିଥିଲେ। ଏଥିରେ ଆପ୍‌ ଯୋଗ ଦେଇ କଂଗ୍ରେସ କେମିତି ଅଧ୍ୟାଦେଶକୁ ବିରୋଧ କରିବ, ସେ ପ୍ରସଙ୍ଗ ଉଠାଇଥିଲା। ହେଲେ ସଂସଦ କଥା ଗୃହ ଭିତରେ ବିଚାର କରାଯିବ ବୋଲି କଂଗ୍ରେସ କହିଛି। ତେଣୁ ଏବେ ଆପ ସିଧାସଳଖ ଅନ୍ୟ ବିରୋଧୀ ଦଳଗୁଡ଼ିକ କାନ୍ଧରେ ବନ୍ଧୁକ ରଖି କଂଗ୍ରେସକୁ ବାଣ ମାରିଛି।

ଆପ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “କଂଗ୍ରେସ ଟିମ ପ୍ଲେୟାର ହେବାକୁ ପଛଘୁଞ୍ଚା ଦେଉଛି ଓ ମନା କରୁଛି। ବିଶେଷ ଅଧ୍ୟାଦେଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ କଂଗ୍ରେସ ଏକାଠି ହେବାକୁ ମନା କରୁଛି। ତେଣୁ କଂଗ୍ରେସ ଯେଉଁଠି ଥିବ, ସେଠାରେ ଆପ୍‌ ପାଇଁ ମେଣ୍ଟ କରିବା ବହୁତ କଷ୍ଟ।

କଂଗ୍ରେସ ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଆଣିଥିବା କଳା ଅଧ୍ୟାଦେଶକୁ ଖୋଲା ଖୋଲି ଭାବେ ବିରୋଧ କରିନି କିମ୍ବା ରାଜ୍ୟସଭାରେ ଦଳର ୩୧ ସାଂସଦ ଅଧ୍ୟାଦେଶ ବିରୋଧରେ ମତ ରଖିବେ ବୋଲି କହି ନାହିଁ, ସେ ଯାଏ ଆପ୍‌ ଅନ୍ୟ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗ ଦେବନି।”

ମହା ବୈଠକ ପରେ ବିରୋଧୀ ଦଳଗୁଡ଼ିକ ଏକାଠି ସାମ୍ବାଦିକ ସମ୍ମିଳନୀ କରିଥିଲେ। କିନ୍ତୁ ଆପ୍‌ ମୁଖିଆ ଏଥିରେ ସାମିଲ ହୋଇ ନଥିଲେ। ବିମାନ ସମୟ ହୋଇଯାଇଥିବାରୁ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବୈଠକ ପରେ ସିଧା ଏୟାରପୋର୍ଟ ଚାଲି ଯାଇଥିଲେ। ଏହାକୁ ନେଇ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଥିବା ବେଳେ ଆପ୍‌ ପକ୍ଷରୁ ବିବୃତି ଜାରି କରି କଂଗ୍ରେସକୁ ଟାର୍ଗେଟ କରାଯାଇଛି।

ଦଳ ପକ୍ଷରୁ ଆହୁରି କୁହାଯାଇଛି ଯେ କଂଗ୍ରେସ ଦିଲ୍ଲୀବାସୀଙ୍କ ସହ ନା ମୋଦି ସରକାରଙ୍କ ସହ ଅଛି, ତାହା ସ୍ପଷ୍ଟ କରୁ। ବ୍ୟକ୍ତିଗତ ଆଲୋଚନା ବେଳେ ବରିଷ୍ଠ କଂଗ୍ରେସ ନେତାମାନେ ସଙ୍କେତ ଦେଇଛନ୍ତି ଯେ ରାଜ୍ୟସଭାରେ ତାଙ୍କ ସାଂସଦମାନେ ଅଧ୍ୟାଦେଶ ଉପରେ ଭୋଟିଂ ବେଳେ ଅନୁପସ୍ଥିତ ରହିବେ।

କଂଗ୍ରେସର ନୀରବତା ସନ୍ଦେହ ସୃଷ୍ଟି କରୁଛି। କଂଗ୍ରେସ ଅନୁପସ୍ଥିତ ରହିଲେ, ବିଜେପି ଗଣତନ୍ତ୍ର ଉପରେ କରୁଥିବା ଆକ୍ରମଣକୁ ଫାଇଦା ମିଳିବ। ତେଣୁ କଂଗ୍ରେସ ଏବେ ତା’ର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।

Congress Arvind Kejriwal Aam Aadmi Party