Advertisment

ଜେଲ୍‌ରୁ ମୁକୁଳିବା ପରେ କେଜ୍ରିୱାଲଙ୍କ ପତ୍ନୀଙ୍କୁ ଭେଟିଲେ ସଞ୍ଜୟ ସିଂ, ପାଦ ଛୁଇଁଲେ

ଜେଲ୍‌ରୁ ମୁକୁଳିବା ପରେ ଆପ୍‌ ସାଂସଦ ସଞ୍ଜୟ ସିଂହ ସିଧାସଳଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସେ କେଜ୍ରିୱାଲଙ୍କ ପତ୍ନୀ ସୁନିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।

author-image
Niharika Rout
AAP

AAP

ତଥାକଥିତ ଦିଲ୍ଲୀ ଅବକରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିବା ଆପ୍‌ ସାଂସଦ ସଞ୍ଜୟ ସିଂହ ଗତକାଲି ସନ୍ଧ୍ୟାରେ ଜେଲ୍‌ରୁ ମୁକୁଳିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ସେ ସିଧାସଳଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସେ କେଜ୍ରିୱାଲଙ୍କ ପତ୍ନୀ ସୁନିତାଙ୍କୁ ସାକ୍ଷାତ କରିବା ସହ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।

Advertisment

 ଗତ ୬ ମାସ ହେଲା ଗିରଫ ହୋଇ ତିହାର ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ଗତ ମଙ୍ଗଳବାର ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ଏହାପରେ ସେ ଜେଲ୍‌ରୁ ମୁକୁଳିଥିଲେ। ସେ ଜେଲରୁ ବାହାରିବାକୁ ଥିବାରୁ ଆପ୍‌ର କର୍ମକର୍ତ୍ତା ଓ ସମର୍ଥକମାନେ ତିହାର ଜେଲ ବାହାରେ ଭବ୍ୟ ସ୍ୱାଗତ ପାଇଁ ଉପସ୍ଥିତ ରହିଥିଲେ।

ଏହି ସମୟରେ ପରେ ନିଜ ସମର୍ଥକ ଓ ଗଣମାଧ୍ୟମ ଆଗରେ ଜୋରଦାର ବର୍ଷିଥିଲେ ସଞ୍ଜୟ ସିଂହ। ସେ କହିଥିଲେ, ଉତ୍ସବ ମନାଇବାର ସମୟ ଆସିନି। ଏହା ସଂଘର୍ଷର ସମୟ। ଜେଲ୍‌ ର ଚାବି ନିଶ୍ଚିତ ଭାଙ୍ଗିବ । ଆମ ପାର୍ଟିର ସବୁଠାରୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ରଖାଯାଇଛି। ମୋର ଭରସା ଓ ବିଶ୍ୱାସ ଅଛି ଯେ ନିହାତି ଭାବେ ଦିନେ ଜେଲ୍‌ର ଚାବି ଭାଙ୍ଗିବ। ମୋ ଭଳି ଅନ୍ୟ ନେତାମାନେ ମଧ୍ୟ ଜେଲ୍‌ରୁ ମୁକୁଳିବେ।

Advertisment

ବିଜେପି ଉପରେ ବର୍ଷି ସଞ୍ଜୟ ସିଂ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଦୋଷ କ’ଣ। ସେମାନଙ୍କ ଦୋଷ ହେଉଛି ସେମାନେ ଦିଲ୍ଲୀର ଦୁଇ କୋଟି ଜନସାଧାରଣଙ୍କୁ ଉନ୍ନତମାନର ଶିକ୍ଷା, ମାଗଣା ପାଣି, ବିଜୁଳି ଦେବାକୁ ସର୍ବଦା ପ୍ରୟାସ କରୁଛନ୍ତି। 

ଇସ୍ତଫା ଦେବା ନିମନ୍ତେ କେଜ୍ରିୱାଲଙ୍କ ଉପରେ ବିଜେପି ଚାପ ପକାଉଥିବା ଅଭିଯୋଗ ଆଣି ଆପ୍‌ ସାଂସଦ କହିଛନ୍ତି, ଆମ ଦଳର ସମସ୍ତ କର୍ମୀ, ନେତା କେଜ୍ରିୱାଲଙ୍କ ସହ ଛିଡ଼ା ହୋଇଛୁ। ସେମାନେ କେବଳ କେଜ୍ରିୱାଲଙ୍କ ଇସ୍ତଫା ଦାବି କରୁ ନାହାନ୍ତି ସେମାନେ ଚାହୁଁଛନ୍ତି ଦିଲ୍ଲୀବାସୀଙ୍କୁ ମାଗଣାରେ ମିଳୁଥିବା ସବୁ ମୌଳିକ ସୁବିଧା ବନ୍ଦ ହୋଇଯାଉ । କିନ୍ତୁ ଏହା କେବେ ବି ସମ୍ଭବ ହୋଇ ପାରିବନି ବୋଲି କଡ଼ା ଚେତାବନୀ ଦେଇଛନ୍ତି ସଞ୍ଜୟ ସିଂ ।

ଏଥିସହ ବିଜେପିକୁ ଆହ୍ୱାନ ଦେଇ ସେ କହିଛନ୍ତି, ଆମ କର୍ମୀ ଭୟଭୀତ ହୋଇ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି । ଆପଣଙ୍କ ପାଖରେ ଯେତେ ଶକ୍ତିଶାଳୀ ଲାଠି ଅଛି, ଆମ ପାଖରେ ତା’ଠୁ ମଜଭୁତ କାନ୍ଧ ରହିଛି। ଏଥିସହ ବିଜେପିକୁ ସମାଲୋଚନା କରି ସେ କହିଛନ୍ତି, ଯେ ଯେତେ ବଡ଼ ଭ୍ରଷ୍ଟାଚାରୀ, ସେ ସେତେ ବଡ଼ ପଦାଧିକାରୀ।

ମଙ୍ଗଳବାର ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି କରି ଇଡିକୁ କଡ଼ା ପ୍ରଶ୍ନ କରିଥିଲେ। ଅବକାରୀ ନୀତିରେ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଇଡି କହୁଥିଲେ ମଧ୍ୟ ଟଙ୍କାଟିଏ ଜବତ କରିବାରେ ସକ୍ଷମ ହୋଇନାହିଁ।

ଏଥିସହ ସଞ୍ଜୟ ସିଂହଙ୍କୁ ଆଉ ହେପାଜତକୁ ନେବାର କୌଣସି ଯୋଜନା ନାହିଁ। ଏପରି ସ୍ଥିତିରେ ସେ ଜାମିନ ପାଇବାକୁ ହକଦାର ବୋଲି ସୁପ୍ରିମକୋର୍ଟ କହିବା ସହ ଖଲାସ ନିର୍ଦ୍ଦେଶ ଦେଇଥିଲେ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଜେଲ୍‌ରେ ବନ୍ଦୀ ଅବସ୍ଥାରେ ଅଛନ୍ତି ।

AAP