Advertisment

ପୁଣି ଅଶାନ୍ତ ହେଲାଣି ମଣିପୁର: ୫ ଜିଲ୍ଲାରେ ଲାଗୁ ହେଲା AFSPA

୬ ପୁଲିସ୍‌ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା ଆଫସା ଲାଗୁ କରାଯାଇଛି।

author-image
Hemant Lenka
Manipur

Manipur

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଏଥିପାଇଁ ୬ ପୁଲିସ୍‌ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା AFSPA ଲାଗୁ କରାଯାଇଛି। ଏହାର ଅର୍ଥ ଆଫସା ଲାଗୁ ହୋଇଥିବା ସ୍ଥାନରେ ସୁରକ୍ଷାକର୍ମୀ ସର୍ବୋଚ୍ଚ କ୍ଷମତାର ଅଧିକାରୀ ହୋଇଛନ୍ତି।

Advertisment

ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିଜ ଇଚ୍ଛା ଅନୁସାରେ କଟକଣା ଲଗାଇ ପାରିବେ। ସେହିପରି ସ୍ୱତନ୍ତ୍ର ଅପରେସନ କରି ବିନା ୱାରେଣ୍ଟରେ ଗିରଫଦାରୀ ମଧ୍ୟ କରିପାରିବେ। ହିଂସା ଯୋଗୁ ଅଧିକ ପ୍ରଭାବିତ ହୋଇଥିବା ଜିରିବାମ ସମେତ ୫ ଜିଲ୍ଲାରେ ଆଫସା ଲାଗୁ ହୋଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁସାରେ, ମଣିପୁରର ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ, ଜିରିବାମ, କାଙ୍ଗପୋକପାଇ ଓ ବିଷ୍ଣୁପୁର ଅଞ୍ଚଳରେ ଆଫସା ଲାଗୁ କରାଯାଇଛି। ଅକ୍ଟୋବର ୧ରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ ଏହି ଅଞ୍ଚଳଗୁଡ଼ିକୁ ୬ ମାସ ଯାଏ ଆଫସାରୁ ମୁକ୍ତ ରଖିଥିଲେ। ସେଠାରେ ସ୍ଥିତି ସ୍ୱାଭାବିକ ହେବାରୁ ଏପରି ପଦକ୍ଷେପ ନିଆଯାଇଥିଲା। ମୋଟ ଉପରେ ମଣିପୁରର ୧୯ଟି ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳକୁ ଆଫସା ବାହାରେ ରଖାଯାଇଥିଲା।

Advertisment

ନିକଟରେ ମଣିପୁରର ଜିରିବାମରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୧ ଜଣ କୁକି ସଂପ୍ରଦାୟର ସନ୍ଦିଗ୍ଧ ଉଗ୍ରବାଦୀ ନିହତ ହୋଇଥିଲେ। ଉଗ୍ରବାଦୀମାନେ ସ୍ଥାନୀୟ ପୁଲିସ୍‌ ଷ୍ଟେସନ ଉପରେ ଆକ୍ରମଣ କରିବାରୁ ଏହାର ଜବାବ ସୁରକ୍ଷାକର୍ମୀମାନେ ଦେଇଥିଲେ।

ଦିନକ ପରେ ସମାନ ଅଞ୍ଚଳରୁ ୩ ମହିଳା ଓ ୩ ଶିଶୁଙ୍କ ସହ ୬ ଜଣଙ୍କୁ ଅପହରଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ ନାଗରିକଙ୍କୁ ଜବୀନ୍ତ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ଜିରିବାମରେ କର୍ଫ୍ୟୁ ଲାଗୁ କରାଯାଇଥିଲା।

ଏସବୁ ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁଇ ସଂପ୍ରଦାୟର ଲୋକମାନେ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଆଫସା ଲାଗୁ କରାଯାଇଛି।

୨୦୨୩ ମେ’ ମାସରୁ ଦୁଇ ଗୋଷ୍ଠୀର ସଂଘର୍ଷ ଯୋଗୁ ମଣିପୁରରେ ହିଂସା ଦେଖିବାକୁ ମିଳୁଛି। ଏଥିଯୋଗୁ ୨୩୭ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ତେବେ କିଛି ଦିନ ପୂର୍ବରୁ ସ୍ଥିତିରେ ସୁଧାର ଆସିଥିଲା। ଏବେ ପୁଣି ମଣିପୁର ଅଶାନ୍ତ ହୋଇ ଉଠିଛି।

Manipur Manipur Violence AFSPA