ଶଶାଙ୍କ ତିୱାରୀ
ଅଦମ୍ୟ ସାହସ ଦେଖାଇ ଉଚ୍ଛୁଳା ନଦୀକୁ ଡେଇଁ ଥିବା ଭାରତୀୟ ସ୍ଥଳ ସେନାର ଜଣେ ଅଧିକାରୀ ଜୀବନ ହରାଇଛନ୍ତି। ସିକ୍କିମର ଗୋଟିଏ ନଦୀରେ ବୁଡ଼ି ଯାଉଥିବା ସାଥୀ ସୈନ୍ୟଙ୍କୁ ବଞ୍ଚାଇବାକୁ ଅଧିକାରୀ ଜଣଙ୍କ ପାଣିକୁ ଡେଇଁଥିଲେ। ହେଲେ ପ୍ରଖର ସ୍ରୋତରେ ସେ ଭାସି ଯାଇ ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି।
ସିକ୍କିମ ସ୍କାଉଟ୍ସର ୨୩ ବର୍ଷୀୟ ଲେଫ୍ଟନାଣ୍ଟ ଶଶାଙ୍କ ତିୱାରୀ ମାତ୍ର ୬ ମାସ ତଳେ ସେନା ବାହିନୀରେ ଯୋଗ ଦେଇଥିଲେ। ଗତବର୍ଷ ଡିସେମ୍ବର ମାସରୁ ସେ ଦେଶର ସେବା ଆରମ୍ଭ କରିଥିଲା। ସିକ୍କିମର ଗୋଟିଏ ବେସ୍ରୁ ସାଥୀ ଯବାନଙ୍କ ନେତୃତ୍ୱ ନେଇ ସେ ପ୍ୟାଟ୍ରୋଲିଂରେ ବାହାରିଥିଲେ। ଭବିଷ୍ୟତର ମୁତୟନ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରମୁଖ ବେସ୍କୁ ସେମାନେ ପାଦରେ ଚାଲି ଚାଲି ଯାଉଥିଲେ।
ଏତିକି ବେଳେ ଯବାନମାନଙ୍କୁ ନଦୀ ଉପରେ ଥିବା ଗୋଟିଏ ସରୁ କାଠର ବ୍ରିଜକୁ ଅତିକ୍ରମ କରିବାକୁ ପଡ଼ିଥିଲା। ଦିନ ପ୍ରାୟ ୧୧ଟା ବେଳେ ସେମାନେ ବ୍ରିଜ ଅତିକ୍ରମ କରୁଥିଲେ। ଏହି ସମୟରେ ହଠାତ୍ ଜଣେ ଯବାନଙ୍କ ଗୋଡ଼ ବ୍ରିଜରେ ଖସି ଯାଇଥିଲା। ସେ ସିଧା ନଦୀରେ ଖସି ପଡ଼ିଥିଲେ। ଅଗ୍ନିବୀର ଷ୍ଟେଫେନ ସୁବ୍ବା ପାହାଡ଼ରୁ ବାହାରିଥିବା ଝରଣାର ସ୍ରୋତରେ ଭାସି ଯାଉଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଲେଫ୍ଟନାଣ୍ଟ ତିୱାରୀ ଚେଷ୍ଟା କରିଥିଲେ।
ସେ ତୁରନ୍ତ ପାଣିକୁ ଡେଇଁ ପଡ଼ିଥିଲେ। ତାଙ୍କୁ ସହଯୋଗ କରିବାକୁ ଆଉ ଜଣେ ସୈନ୍ୟ ନାଏକ ପୁକାର କାଟେଲ ମଧ୍ୟ ପାଣିକୁ ଡେଇଁଥିଲେ। ସେମାନେ ମିଳିତ ଭାବେ ବୁଡ଼ି ଯାଉଥିବା ଅଗ୍ନିବୀରଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ଯଦିଓ ଯବାନ ସୁବ୍ବା ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ କିନ୍ତୁ ଲେପ୍ଟନାଣ୍ଟ ତିୱାରୀ ପ୍ରଖର ସ୍ରୋତରେ ଭାସି ଯାଇଥିଲା।
୩୦ ମିନିଟ ପରେ ଓ ଘଟଣା ସ୍ଥଳରୁ ୮୦୦ ମିଟର ଦୂରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ୨୩ ବର୍ଷୀୟ ଲେଫ୍ଟନାଣ୍ଟ ତିୱାରୀଙ୍କୁ ହରାଇ ତାଙ୍କ ବାପା ମା’ ଓ ଭଉଣୀ ପୂରା ଏକା ହୋଇଯାଇଛନ୍ତି। ହେଲେ ସେ ଦେଖାଇଥିବା ସାହସକୁ ସମସ୍ତେ ପ୍ରଶଂସା କରିଛନ୍ତି।
ଭାରତୀୟ ସେନା ତାଙ୍କ ସାହସକୁ ପ୍ରଶଂସା କରିଥିବା ବେଳେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ତିୱାରୀଙ୍କ ଘର ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1748057497.jpg)