Advertisment

ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ପ୍ରହାର: ସେନା ଜାରି କଲା ଭିଡିଓ, ୭ ଆତଙ୍କୀ ସଫା

ପାକିସ୍ତାନର ଆଟାକ ମଧ୍ୟରେ ଜମ୍ମୁ-କଶ୍ମୀରର ସାମ୍ବାରେ ଅନୁପ୍ରବେଶ ଉଦ୍ୟମ ମଧ୍ୟ ହୋଇଥିଲା। ଏହାକୁ ବିସିଏଫ ପଣ୍ଡ କରିବା ସହ ୭ ଜଣ ଆତଙ୍କବାଦୀଙ୍କୁ ଖତମ କରିଛି। ନିହତ ୭ ଆତଙ୍କବାଦୀ ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Army

Army

ଗୁରୁବାର ଭାରତର ବିଭିନ୍ନ ଜନବସତି ଓ ସାମରିକ ଘାଟିକୁ ଟାର୍ଗେଟ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଭାରତର ପ୍ରଚଣ୍ଡ ପ୍ରହାରରେ ଘାଇଲା ହୋଇଛି ପୂରା ପାକିସ୍ତାନ। କାଉଣ୍ଟର ଷ୍ଟ୍ରାଇକରେ ଦୋହଲି ଯାଇଛି ପାକିସ୍ତାନ। ଜମ୍ମୁ ଠାରୁ ଆରମ୍ଭ କରି ଗୁଜରାଟ ଭଳି ସୀମାବର୍ତ୍ତୀ ରାଜ୍ୟକୁ ପାକିସ୍ତାନ ପ୍ରଥମେ ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। ଏହାପରେ ଏଲଓସିରେ ମଧ୍ୟ ଗୁଳି ବର୍ଷା କରିଥିଲା। ଆଜି ବି ପାକିସ୍ତାନ ସେନା ଏଲଓସିରେ ଗୁଳି ମାଡ଼ କରୁଛି। ହେଲେ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଛି।

Advertisment

ଏଲଓସିରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ପରେ ଭାରତ କେମିତି ଏହାର ଏକାଧିକ ସାମରିକ ପୋଷ୍ଟକୁ ଧ୍ୱଂସ କରିଛି, ତା’ର ଭିଡିଓ ସାମ୍ନାକୁ ଆସିଛି। ସେନା ପକ୍ଷରୁ ଏହି ଭିଡିଓକୁ ଜାରି କରାଯାଇଛି। ଏଥିରେ ଭାରତୀୟ ସେନା ଡ୍ରୋନ ପାକିସ୍ତାନର ସାମରିକ ପୋଷ୍ଟକୁ ଧ୍ୱଂସ କରିବା ବେଳର ଦୃଶ୍ୟ ରହିଛି।

ଅପରେସନ ସିନ୍ଦୂର ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଗୁରୁବାର ସନ୍ଧ୍ୟାରେ ଭାରତକୁ ଟାର୍ଗେଟ କରିଥିଲା। କିନ୍ତୁ ପାକିସ୍ତାନ ମାଡ଼ କରିଥିବା ପ୍ରାୟ ୫୦ଟି ଡ୍ରୋନ ଓ ମିସାଇଲକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶ ପଥରେ ହିଁ ନଷ୍ଟ କରିଦେଇଥିଲା। ଆକାଶ ପଥରେ ଫେଲ ମାରିବା ପରେ ପାକିସ୍ତାନ ସେନା ଏଲଓସିର ବିଭିନ୍ନ ସ୍ଥାନରେ ଗୁଳି ବର୍ଷା କରିଥିଲା।

Advertisment

ହେଲେ ଭାରତୀୟ ସେନା ପ୍ରଭାବଶାଳୀ ଢଙ୍ଗରେ ଏକାଧିକ ପାକିସ୍ତାନୀ ପୋଷ୍ଟକୁ ଧ୍ୱଂସ କରିଦେଇଛି। ଉକ୍ତ ପୋଷ୍ଟ ଗୁଡ଼ିକରୁ ହିଁ ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ କରାଯାଉଥିଲା। ଏଲଓସି ନିକଟରେ ଥିବା ଗୋଟିଏ ପାକିସ୍ତାନୀ ମିଲିଟାରୀ ପୋଷ୍ଟ ଧ୍ୱଂସ ହେବା ବେଳର ଭିଡିଓକୁ ଭାରତୀୟ ସେନା ପ୍ରଥମଥର ଶେୟାର କରିଛି। ପାକିସ୍ତାନୀ ପୋଷ୍ଟକୁ ଟାର୍ଗେଟ କରିବା ପାଇଁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲର ବ୍ୟବହାର ହୋଇଥିବା ଜଣାପଡ଼ିଛି।

ସେନା ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ସେନା ପଶ୍ଚିମ ସୀମାନ୍ତରୁ ମେ’ ୮ ଓ ୯ ତାରିଖ ରାତିରେ ଏକାଧିକ ଡ୍ରୋନ ଦ୍ୱାରା ଆକ୍ରମଣ କରିଥିଲା। ଏଥିସହ ପାକିସ୍ତାନ ଟ୍ରୁପ୍ସ ଜମ୍ମୁ-କଶ୍ମୀରରେ ଏଲଓସିର ବିଭିନ୍ନ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ମଧ୍ୟ କରିଥିଲା। ପାକିସ୍ତାନର ସମସ୍ତ ଡ୍ରୋନ ହମଲାକୁ ନିଷ୍କ୍ରିୟ କରାଯାଇଛି। ଏହାବାଦ ଅସ୍ତ୍ରବିରତି ଉଲ୍ଲଙ୍ଘନର ଜୋରଦାର ଜବାବ ଆର୍ମି ଦେଇଛି। ଭାରତୀୟ ଆର୍ମି ସବୁବେଳେ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ଦିଗରେ ପ୍ରତିଶ୍ରୁତିବଦ୍ଧ। ସମସ୍ତ ପ୍ରକାରର ଦୁଃସାହାସର ଜବାବ ଜୋରଦାର ଢଙ୍ଗରେ ଦିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ସେନା ପକ୍ଷରୁ କୁହାଯାଇଥିଲା ଯେ ଜମ୍ମୁ, ପଠାନକୋଟ ଓ ଉଧମପୁରରେ ଥିବା ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରି ପାକିସ୍ତାନ ଡ୍ରୋନ ମାଡ଼ କରିଥିଲେ ହେଁ ସମସ୍ତ ପ୍ରକାରର ବିପଦକୁ ବେଶ ଭଲ ଭାବେ ନିଷ୍କ୍ରିୟ କରି ଦିଆଯାଇଛି। ପାକିସ୍ତାନର ଆଟାକ ମଧ୍ୟରେ ଜମ୍ମୁ-କଶ୍ମୀରର ସାମ୍ବାରେ ଅନୁପ୍ରବେଶ ଉଦ୍ୟମ ମଧ୍ୟ ହୋଇଥିଲା। ଏହାକୁ ବିସିଏଫ ପଣ୍ଡ କରିବା ସହ ୭ ଜଣ ଆତଙ୍କବାଦୀଙ୍କୁ ଖତମ କରିଛି। ନିହତ ୭ ଆତଙ୍କବାଦୀ ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି।

ଗୁରୁବାର ରାତି ପ୍ରାୟ ୮.୩୦ରେ ଜମ୍ମୁ ଠାରୁ ଆରମ୍ଭ କରି ପଞ୍ଜାବ ଓ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ମିସାଇଲ ମାଡ଼ କରିଥିଲା। ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏହାକୁ କାଉଣ୍ଟର କରିଥିବା ବେଳେ ଶ୍ରୀନଗର ଠାରୁ ଆରମ୍ଭ କରି ଜୈସଲମେର ଯାଏ ହାଇଲଆଲର୍ଟ ଜାରି କରାଯାଇଥିଲା।

ପାକିସ୍ତାନ ଜମ୍ମୁ ଏୟାର ଷ୍ଟ୍ରିପକୁ ଟାର୍ଗେଟ କରିଥିବାରୁ ଭାରତୀୟ ସେନା ଯୁଦ୍ଧ ସାଇରନ ବଜାଇ ସମସ୍ତଙ୍କୁ ସତର୍କ କରାଥିଲା। ସେହିପରି ପୂରା ଜମ୍ମୁରେ ବ୍ଲାକଆଉଟ କରାଯାଇଥିଲା। ଜମ୍ମୁରେ ବ୍ଲାକଆଉଟ ହୋଇଥିବାରୁ ମୋବାଇଲ ସେବା ମଧ୍ୟ କାମ କରୁ ନଥିବା ଜଣାପଡ଼ିଛି। ମିସାଇଲକୁ ଭାରତୀୟ ସେନା ନଷ୍ଟ କରିଦେଇଥିଲେ ହେଁ କିଛି ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା।

ଜମ୍ମୁ ବ୍ୟତୀତ ଉଦ୍ଧମପୁର, ଅଖନୁର, ପଠାନକୋଟ, ସାମ୍ବା, ଆରଏସ୍‌ ପୁରାରେ ପାକିସ୍ତାନ ଡ୍ରୋନ ଦ୍ୱାରା ଆକ୍ରମଣ କରିବାକୁ ଚେଷ୍ଟା କରିଛି। ହେଲେ ଏଠାରେ ଭାରତୀୟ ସେନା ଗୁଳି କରି ପାକିସ୍ତାନ ଡ୍ରୋନ ଗୁଡ଼ିକୁ ଖସାଇ ଦେଇଛନ୍ତି। ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ମଧ୍ୟ ୨ଟି ଡ୍ରୋନ ପଡ଼ିଥିବା ଖବର ମିଳିଛି।

ଜମ୍ମୁ ସମେତ ରାଜସ୍ଥାନ ସୀମାରେ ମଧ୍ୟ ପାକିସ୍ତାନ ପଟୁ ବିପଦ ସୃଷ୍ଟି ହୋଇଛି। ଏହାକୁ ମାତ ଦେବା ପାଇଁ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ହାଇ ଆଲର୍ଟ କରାଯାଇଛି। କିଛି ସ୍ଥାନରେ ବ୍ଲାକଆଉଟ କରାଯାଇଛି। ବ୍ଲାକଆଉଟ ଯୋଗୁ ପୂରା ଅଞ୍ଚଳ ଅନ୍ଧାର ମଧ୍ୟରେ ରହିଛି। ପଞ୍ଜାବର ପଠାନକୋଟ ଅଞ୍ଚଳରେ ମଧ୍ୟ ବ୍ଲାକଆଉଟ ହୋଇଛି। ପାକିସ୍ତାନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବାରେ ଲାଗିଥିବାରୁ କିଛି ବି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ପାକିସ୍ତାନର ଡ୍ରୋନ, ମିସାଇଲ ଓ ଯୁଦ୍ଧ ବିମାନକୁ ମାତ ଦେବା ପାଇଁ ଭାରତ ପକ୍ଷରୁ ୪ଟି ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଆକ୍ଟିଭ କରାଯାଇଛି। ଜମ୍ମୁ-କଶ୍ମୀର ଠାରୁ ପଞ୍ଜାବ ଓ ରାଜସ୍ଥାନ ଯାଏ ଏହି ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ରହିଛି। S-400, L-70, ZSU-23 ଓ ସିଲ୍‌କା ଦ୍ୱାରା ପାକିସ୍ତାନ ମିସାଇଲ ଓ ଡ୍ରୋନକୁ ଆକାଶ ପଥରେ ମଧ୍ୟ ନଷ୍ଟ କରାଯାଉଛି।

ସ୍ଥିତିକୁ ଦେଖି ଶ୍ରୀନଗର ଏୟାରପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଏଠାରେ ଡ୍ରୋନ ଆଟାକ୍‌ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ବିମାନ ବନ୍ଦର ପାଖପାଖି ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜମ୍ମୁ କଶ୍ମୀରର ଉରି ଓ ବାରମୁଲ୍ଲାରେ ବ୍ଲାକ୍ ଆଉଟ୍ କରାଯାଇଛି। ଜମ୍ମୁ-କଶ୍ମୀରରେ ଥିବା ସମସ୍ତ ସେନା ପ୍ରତିଷ୍ଠାନର ଆଲୁଅ ବନ୍ଦ ରଖିବାକୁ ନିର୍ଦ୍ଦେଶ ମିଳିଛି।

ରାଜସ୍ଥାନର ବିକାନେର୍ ଓ ଜୈସଲମେର ସହର ବ୍ଲାକ୍ ଆଉଟ୍ କରାଯିବା ସହ ସହରର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ପଞ୍ଜାବର ଅମୃତସର, ମୋହାଲି, ଚଣ୍ଡିଗଡ଼ ଓ ଜଳନ୍ଧର ସହର ବି ସଂପୂର୍ଣ୍ଣ ବ୍ଲାକ୍ ଆଉଟ୍ ହୋଇଛି। ପାକିସ୍ତାନର ଡ୍ରୋନ୍ ଆଟାକ ପରେ ବ୍ଲାକ୍ ଆଉଟ୍ କରାଯାଇଥିଲା।

Terror Attack Pahalgam Operation Sindoor