Advertisment

୪ ଅଲକାଏଦା ଆତଙ୍କୀ ଗିରଫ: ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଓ ISI ଯୋଗାଯୋଗରେ ଥିଲେ

ଗିରଫ ଆତଙ୍କବାଦୀମାନେ ସୋଶାଲ ମିଡିଆରେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଥିଲେ ଓ ଅପରେସନ ସିନ୍ଦୂର ବିରୋଧରେ ଉସକାଉଥିଲେ।

author-image
Hemant Lenka
Al-Qaeda

Al-Qaeda

ଗୁଜରାଟ ଏଟିଏସ ଦ୍ୱାରା ବୁଧବାର ଗିରଫ ହୋଇଥିବା ୪ ଅଲକାଏଦା ଆତଙ୍କବାଦୀଙ୍କ ବିରୋଧରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏମାନେ ମେ’ ମାସରେ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂର ବେଳେ ପାକିସ୍ତାନ ଆର୍ମି ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ନିୟମିତ ଯୋଗାଯୋଗରେ ରହିଥିଲେ। ଏଥିସହ ସେନା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେଇଥିଲେ।

Advertisment

ଗିରଫ ଆତଙ୍କବାଦୀମାନେ ସୋଶାଲ ମିଡିଆରେ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଥିଲେ ଓ ଅପରେସନ ସିନ୍ଦୂର ବିରୋଧରେ ଉସକାଉଥିଲେ। ପାକିସ୍ତାନ ଆରମ୍ଭ କରିଥିବା ତଥାକଥିତ ଅପରେସନ ବୁନୟାନ ଉନ ମାର୍ସୋସ ସପକ୍ଷରେ ଭାରତରେ ମାହୋଲ ସୃଷ୍ଟି କରିବା ଗିରଫ ଆତଙ୍କବାଦୀମାନଙ୍କ ଉଦ୍ଦେଶ୍ୟ ରହିଥିଲା। ଏହି ଟେରର ମଡ୍ୟୁଲ ଅପରେସନ ସିନ୍ଦୂର ସମୟରେ ବେଶ ସକ୍ରିୟ ରହିଥିଲା ବୋଲି ଜଣାପଡ଼ିଛି।

ବୁଧବାର ଏଟିଏସ ଟେରର ନେଟୱର୍କର ଫର୍ଦ୍ଦାଫାସ କରିଥିଲା। କିଛି ଇନଷ୍ଟାଗ୍ରାମ ଆକାଉଣ୍ଟଧାରୀ ଭାରତୀୟ ଉପମହାଦ୍ୱୀପରେ ଅଲକାଏଦାର ମୌଳବାଦୀ ଚିନ୍ତାଧାରାକୁ ପ୍ରଚାର ପ୍ରସାର କରୁଥିଲେ। ଭାରତୀୟଙ୍କ ବିରୋଧରେ ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ଏହି ଆକାଉଣ୍ଟ ଗୁଡ଼ିକ ଜରିଆରେ ଉସକା ଯାଉଥିଲା। ଏ ସମ୍ପର୍କରେ ଜାଣିବା ପରେ ଏଟିଏସ ରେଡ ଆରମ୍ଭ କରି ୪ ଜଣଙ୍କୁ ଗିରଫ କରିଥିଲା।

Advertisment

ଗିରଫ ୪ ଆତଙ୍କବାଦୀ ହେଲେ ଦିଲ୍ଲୀର ମହମ୍ମଦ ଫୈଜ, ନୋଏଡାର ଜିଶାନ ଅଲୀ, ଆରଭଲ୍ଲି ଜିଲ୍ଲା ମୋଡାସା ସହରର ସୈଫୁଲ୍ଲା କ୍ୟୁରେଶୀ ଓ ଅହମଦାବାଦର ମହମ୍ମଦ ଫର୍ଦିନ ଶେଖ। ଏମାନେ ନିୟମିତ ଭାବେ ଅପରେସନ ସିନ୍ଦୂର ସହ ଜଡ଼ିତ ତଥ୍ୟକୁ ୨ଟି ପାକିସ୍ତାନୀ ସୋଶାଲ ମିଡିଆ ଆକାଉଣ୍ଟଧାରୀଙ୍କ ସହ ଶେୟାର କରୁଥିଲେ। ଏହି ଆକାଉଣ୍ଟ ଦ୍ୱୟରୁ ସେମାନଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ମିଳୁଥିଲା।

ଏହି ଗ୍ରୁପର ନେତୃତ୍ୱ ନେଉଥିବା ମହମ୍ମଦ ଫୈଜ ଦିଲ୍ଲୀରେ ଥିବା ଗୋଟିଏ ଫାଷ୍ଟ ଫୁଡ ଚେନ ଆଉଟଲେଟରେ ମ୍ୟାନେଜର ଭାବେ କାମ କରୁଥିଲା। ସେ ବହୁତ ପାଠ ପଢ଼ିଛି ଓ ସେ ବେଶ ସହଜରେ ଯୁବଗୋଷ୍ଠୀଙ୍କୁ ନିଜ ଜାଲରେ ଫସାଉଥିଲା। ଜିଶାନ ନୋଏଡାର ଗୋଟିଏ ମୋବାଇଲ ଦୋକାନରେ କାମ କରେ। ବାକି ଦୁଇ ଆତଙ୍କୀ ଗୁଜରାଟରେ ଦରଜି ଭାବେ କାମ କରନ୍ତି।

ଗୁଜରାଟ ଏଟିଏସର ଡିଆଜି ସୁନୀଲ ଯୋଶୀ କହିଛନ୍ତି, ଶେଖର ଘରେ କରାଯାଇଥିବା ରେଡ ବେଳେ ଗୋଟିଏ ଖଣ୍ଡା ଓ ଅପରେସନ ସିନ୍ଦୂର ପାଇଁ ଭାରତ ବିରୋଧରେ ଜିହାଦ କରିବାକୁ ଉଲ୍ଲେଖ ଥିବା ଅଲକାଏଦା ବହି ମିଳିଛି। ସେମାନଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଅଲକାଏଦାର ବିଚାରଧାରା ସହ ଜଡ଼ିତ ବିଷୟବସ୍ତୁ ରହିଛି। ଦେଶରେ ଶରିଆ ଲାଗୁ କରିବା ଓ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ସପକ୍ଷରେ ସେମାନେ ମତ ରଖୁଥିଲେ।

ଅଭିଯୁକ୍ତମାନେ ଆସିମ ଉମରର ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ। ଉମର ହେଉଛି ଜଣେ ଭାରତୀୟ। ସେ ଅଲକାଏଦାରେ ଯୋଗ ଦେଇଥିଲା। କିନ୍ତୁ ୨୦୧୯ରେ ଆଫଗାନିସ୍ତାନରେ ସେ ପ୍ରାଣ ହରାଇଥିଲା। ପୁଲିସ ଏବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୂରା ଟେରର ନେଟୱର୍କର ପର୍ଦ୍ଦାଫାସ କରିବା ଲକ୍ଷ୍ୟରେ ରହିଛି।

Pakistan Al-Qaeda Operation Sindoor