Advertisment

ଭାରତ ଇତିହାସରେ ପ୍ରଥମ: ଗିରଫ ହେଲେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ

ଆପ୍‌ ମୁଖ୍ୟ କେଜ୍ରିୱାଲ ଦଳର ୪ର୍ଥ ବରିଷ୍ଠ ନେତା ଯିଏ ଅବକାରୀ ନୀତି ଦୁର୍ନୀତି ଘଟଣାରେ ବନ୍ଧା ହୋଇଛନ୍ତି। ଏହାପୂର୍ବରୁ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ସଞ୍ଜୟ ସିଂହଙ୍କୁ ଇଡି ସମାନ ମାମଲାରେ ଗିରଫ କରିଥିଲା।

author-image
Hemant Lenka
Kejriwal

Kejriwal

ଭାରତ ଇତିହାସରେ ପ୍ରଥମଥର ପାଇଁ କୌଣସି କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଅରବିନ୍ଦ କେଜ୍ରିୱାଲ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛନ୍ତି। ଦିଲ୍ଲୀ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଆଜି କେଜ୍ରିୱାଲଙ୍କୁ ଗିରଫ କରିଛି।

Advertisment

ଆପ୍‌ ମୁଖ୍ୟ କେଜ୍ରିୱାଲ ଦଳର ୪ର୍ଥ ବରିଷ୍ଠ ନେତା ଯିଏ ଅବକାରୀ ନୀତି ଦୁର୍ନୀତି ଘଟଣାରେ ବନ୍ଧା ହୋଇଛନ୍ତି। ଏହାପୂର୍ବରୁ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ ଓ ସଞ୍ଜୟ ସିଂହଙ୍କୁ ଇଡି ସମାନ ମାମଲାରେ ଗିରଫ କରିଥିଲା।

ଅବକାରୀ ନୀତି ଦୁର୍ନୀତି ଘଟଣାରେ କେଜ୍ରିୱାଲଙ୍କୁ ଇଡି ୯ଥର ସମନ କରିଥିଲା। ତଥାପି ସେ ଇଡି ମୁଖ୍ୟାଳୟରେ ଜେରା ପାଇଁ ହାଜର ହୋଇ ନଥିଲେ। ସେ ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କୁ କୋର୍ଟର ଆଶ୍ୱସ୍ତି ମିଳି ନଥିଲା। କୋର୍ଟରୁ ନିରାଶ ହେବା କ୍ଷଣି ଇଡି କେଜ୍ରିୱାଲଙ୍କୁ ଗିରଫ କରିଛି।

Advertisment

ସମାନ ତଦନ୍ତକାରୀ ସଂସ୍ଥା ଜାନୁଆରୀ ୩୧ରେ ଝାରଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ୬୦୦ କୋଟିର କୋଇଲା ଦୁର୍ନୀତି ଘଟଣାରେ ତାଙ୍କୁ ଗିରଫ କରାଯାଇଥିଲା। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଇଡି ତାଙ୍କୁ ଜେରା କରିଥିଲା। ଗିରଫ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରିଥିଲେ ହେଁ ହେମନ୍ତ ସୋରେନ ଇଡିର ଗିରଫ ମେମୁରେ ଦସ୍ତଖତ କରିଥିଲେ। ସେ ରାଜଭବନକୁ ଯିବା ସହ ପ୍ରଥମେ ଇସ୍ତଫା ଦେବାକୁ ମନ ବଳାଇଥିଲେ।

ଯେତେବେଳେ ତାଙ୍କୁ ୬ ଘଣ୍ଟାର ଜେରା ପରେ ଇଡି କାର୍ଯ୍ୟାଳୟକୁ ନିଆଯାଉଥିଲା ସେତେବେଳେ ସେ ରାଜଭବନକୁ ଯିବାକୁ ଇଚ୍ଛା କରିଥିଲେ। ସେଠାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ଇସ୍ତଫା ଦେବା କ୍ଷଣି ତାଙ୍କୁ ଗିରଫ କରାଯାଇଥିଲା। ମାତ୍ର କିଛି ମିନିଟ ମଧ୍ୟରେ ଗିରଫଦାରୀ କରାଯାଇଥିଲେ ହେଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇ ସାରିଥିଲେ।

କିନ୍ତୁ କେଜ୍ରିୱାଲ କୌଣସି ପ୍ରକାରର ଇସ୍ତଫା ଦେଇ ନାହାନ୍ତି। ଗିରଫଦାରୀ ପରେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ ବୋଲି ଆପ କହି ସାରିଛି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗିରଫ ହୋଇ ଜେଲ ଯାଇଥିବା ନେତାଙ୍କ ମଧ୍ୟରେ ଲାଲୁ ପ୍ରସାଦ ଯାଦବ, ଦିବଙ୍ଗତ ଜେ ଜୟଲଳିତା, ଚନ୍ଦ୍ରବାବୁ ନାଇଡୁ ଓ ଓମ ପ୍ରକାଶ ଚୌତାଲା।

ED Raid Arvind Kejriwal