Advertisment

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଜୁନ୍ ୨ ତାରିଖରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ।

author-image
Jitendra Garnayak
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ମିଳିଛି ଅନ୍ତରୀଣ ଜାମିନ। ତା’ପର ଦିନ ଅର୍ଥାତ୍ ଜୁନ୍ ୨ ତାରିଖରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କର ଗିରଫଦାରୀକୁ ଚ୍ୟାଲେଞ୍ଜ କରିବା ସହିତ ଚଳିତ ଲୋକସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

କେଜ୍ରିୱାଲଙ୍କ ପକ୍ଷରୁ ଆଡ୍‌ଭୋକେଟ ଅଭିଷେକ ମନୁ ସିଂଘଭି ଅନ୍ତରୀଣ ଜାମିନକୁ ଜୁନ୍ ୫ ପର୍ଯ୍ୟନ୍ତ ଦିଆଯାଇପାରିବ କି ବୋଲି ପଚାରିବାରେ ଜଷ୍ଟିସ୍ ସଞ୍ଜୀବ ଖନ୍ନା ସିଧାସଳଖ ମନା କରି ଦେଇଥିଲେ। 

Advertisment

ଇଡି ତରଫରୁ କୋର୍ଟରେ ଉପସ୍ଥିତ ରହି ସୋଲିସିଟର ଜେନାରାଲ ତୁଷାର ମେହତା କହିଥିଲେ ଯେ ଏହି ମାମଲା ସଂପର୍କରେ କେଜ୍ରିୱାଲ କିଛି କହିବା ଉଚିତ୍ ନୁହେଁ। ସେହିଭଳି ସେ ଧାର୍ଯ୍ୟ ତାରିଖରେ ଆତ୍ମସମର୍ପଣ କରିବା ଉଚିତ୍।

ଗତ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ତିହାର ଜେଲରେ ଅଛନ୍ତି। ଆଜି ସେ ଜେଲ୍‌ରୁ ବାହାରି ପାରନ୍ତି। ଏହା ଆପ୍‌ର ନେତା ଓ କର୍ମୀଙ୍କ ମନୋବଳକୁ ବଢ଼ାଇବ ବୋଲି କୁହାଯାଉଛି। କାରଣ ଦଳ ପାଇଁ ଏବେ ପ୍ରଚାର କରିପାରିବେ କେଜ୍ରିୱାଲ। ବିଶେଷ କରି ଦିଲ୍ଲୀ ଓ ପଞ୍ଜାବରେ ଦଳ କ୍ଷମତାରେ ଥିବାରୁ ଏହି ଦୁଇ ସ୍ଥାନରେ କେଜ୍ରିୱାଲ ଜୋରଦାର ପ୍ରଚାର କରିବେ ବୋଲି କୁହାଯାଉଛି। ଦିଲ୍ଲୀରେ ମେ’ ୨୫ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ପଞ୍ଜାବରେ ଜୁନ୍ ୧ ତାରିଖରେ ମତଦାନ ହେବ। 

କେଜ୍ରିୱାଲ ଜେଲ୍‌ରୁ ବାହାରିବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶିବସେନା (ୟୁବିଟି) ନେତା ତତା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ କଂଗ୍ରେସର ହରିଆଣା ଏବଂ ଦିଲ୍ଲୀ ଦାୟିତ୍ୱରେ ଥିବା ଦୀପକ ବାବାରିଆ ପ୍ରମୁଖ ଖୁସି ପ୍ରକାଶ କରିଛନ୍ତି। ମମତା ବାନାର୍ଜୀ Xରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ଚଳିତ ନିର୍ବାଚନ ଦୃଷ୍ଟିକୋଣରୁ ଏହା ବେଶ୍ ସହଯୋଗ କରିବ। ଅନ୍ୟପକ୍ଷରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ରାଜନୀତିକ ହାୱା ପରିବର୍ତ୍ତନର ଆଭାସ ବୋଲି କହିଛନ୍ତି ଆଦିତ୍ୟ ଠାକରେ। ସେହିପରି ଦୀପକ ବାବାରିଆ କହିଛନ୍ତି ଯେ କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେପି ଚାଲ୍ ଖେଳିଛି।      

ସୂଚନାଯୋଗ୍ୟ, ଗୁରୁବାର (ଗତକାଲି) କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି ଇଡି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ କୁହାଯାଇଥିଲା କୌଣସି ନିର୍ବାଚନରେ ପ୍ରଚାର କରିବା କେବେ ହେଲେ ଜଣେ ବ୍ୟକ୍ତିର ମୌଳିକ , ସାମ୍ବିଧାନିକ କିମ୍ବା ଆଇନଗତ ଅଧିକାର ନୁହେଁ.....।  ଯଦି ନିର୍ବାଚନ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଦିଆଯିବ, ତା’ହେଲେ କୌଣସି ରାଜନେତାଙ୍କୁ ଗିରଫ କରାଯାଇ ପାରିବ ନାହିଁ କି ବିଚାର ବିଭାଗୀୟ ହାଜତରେ ରଖାଯାଇ ପାରିବ ନାହିଁ....। ଯଦି ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ୱତନ୍ତ୍ର ଅନୁକମ୍ପା ଦେଖାଇ ସାଧାରଣ ନିର୍ବାଚନର ପ୍ରଚାର ପାଇଁ ଜାମିନ ଦିଆଯିବ, ତା’ହେଲେ ଏହା ପ୍ରଚଳିତ ଆଇନ ଓ ସମାନତା ଅଧିକାରୀକୁ ଉଲ୍ଲଙ୍ଘନ କରିବ। 

Supreme Court Aravind Kejriwal