Advertisment

ଜେଲରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ

ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

author-image
Hemant Lenka
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସେ ତିହାର ଜେଲରୁ ବାହାରିବା ପରେ ତାଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ରାଜଧାନୀରେ ଢୁଢୁ ବର୍ଷା ହେଉଥିଲେ ମଧ୍ୟ ଏହା ଆପ୍‌ର ନେତା ଓ କର୍ମୀଙ୍କ ଉତ୍ସାହକୁ ଫିକା କରିପାରି ନାହିଁ। ସେମାନେ ଓଦା ହୋଇ ଓ ଛତା ଧରି କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି। କେଜ୍ରିୱାଲ ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇ ବେଶ ଭାବବିହ୍ୱଳ ଭାଷଣ ଦେଇଛନ୍ତି। 

Advertisment

କେଜ୍ରିୱାଲଙ୍କ ପତ୍ନୀ ସୁନିତା, ମନ୍ତ୍ରୀ ଆତିଶର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, ମନୀଷ ସିସୋଦିଆ ପ୍ରମୁଖ ତିହାର ଜେଲ ପାଖରେ ଉପସ୍ଥିତ ରହି କେଜ୍ରିୱାଲଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଉପସ୍ଥିତ ଲୋକଙ୍କୁ କେଜ୍ରିୱାଲ ଖୋଲା ଗାଡ଼ି ଉପରେ ଛିଡ଼ା ହୋଇ ସମ୍ବୋଧନ କରିଛନ୍ତି। 

ସେ କହିଛନ୍ତି, “ବର୍ଷା ହେଉଥିଲେ ମଧ୍ୟ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଛନ୍ତି। ଏଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି। ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ମୁଁ ମୋ ଜୀବନରେ ଅନେକ ସଂଘର୍ଷ କରିଛି। ଅନେକ କଷ୍ଟ ସହିଛି। କିନ୍ତୁ ଭଗବାନ ମୋ ସହ ରହିଛନ୍ତି। କାରଣ ମୁଁ ସବୁବେଳେ ସତ୍ୟର ପଥରେ ଚାଲିଥାଏ।

Advertisment

ମୁଁ ଠିକ ଥିଲି ଓ ଏଥିପାଇଁ ଭଗବାନ ମୋତେ ସାହା ହୋଇଛନ୍ତି। ସେମାନେ ମୋତେ ଜେଲରେ ଭର୍ତ୍ତି କରିଥିଲେ। ସେମାନେ ମୋତେ ଦୁର୍ବଳ କରି ଦେବେ ବୋଲି ଭାବିଥିଲେ। କିନ୍ତୁ ମୋ ସାହାସ ବଳରେ ମୋ ଇଚ୍ଛାଶକ୍ତି ଏବେ ୧୦୦ ଗୁଣା ଅଧିକ ସଶକ୍ତ ହୋଇଯାଇଛି।”

ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରଥମେ ଇଡି ଓ ପରେ ସିବିଆଇ ଗିରଫ କରିଥିଲା। ସୁପ୍ରିମକୋର୍ଟ ତାଙ୍କୁ ପୂର୍ବରୁ ଇଡି ମାମଲାରେ ଜାମିନ ଦେଇଥିଲେ। ଆଜି କେଜ୍ରିୱାଲଙ୍କୁ ସିବିଆଇ ମାମଲାରେ ମଧ୍ୟ ସର୍ବୋଚ୍ଚ ଅଦାଲତ ଜାମିନ ଦେଇଛନ୍ତି। ଜାମିନ ମିଳିବା ପରେ କେଜ୍ରିୱାଲ ଜେଲରୁ ମୁକୁଳିଛନ୍ତି।

Delhi Arvind Kejriwal AAP