Advertisment

Liquor Policy Case: କେଜ୍ରିୱାଲ ଓ ସିସୋଦିଆ ନିର୍ଦ୍ଦୋଷ; ସିବିଆଇ ଉପରେ ବର୍ଷିଲେ କୋର୍ଟ

ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ଦେଇଛନ୍ତି ବଡ଼ ରାୟ। ଏହି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି (AAP)ର ରାଷ୍ଟ୍ରୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ।

Kejri
Advertisment

ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଶୁକ୍ରବାର ଦିଲ୍ଲୀର ଏକ କୋର୍ଟ ଦେଇଛନ୍ତି ବଡ଼ ରାୟ। ଏହି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି (AAP)ର ରାଷ୍ଟ୍ରୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି କୋର୍ଟ।

Advertisment

ପ୍ରତ୍ୟାହୃତ ହୋଇଥିବା ଉକ୍ତ ଅବକାରୀ ନୀତି ପ୍ରସ୍ତୁତି ପଛରେ କୋର୍ଟ କୌଣସି ବଡ଼ ଷଡ଼ଯନ୍ତ୍ର ବା ଅପରାଧିକ ଉଦ୍ଦେଶ୍ୟ ରହିଥିବାର ପ୍ରମାଣ ପାଇ ନଥିବା ବେଳେ ଏହି ମାମଲା ସହିତ ଜଡ଼ିତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ବିଆରଏସ୍ ନେତ୍ରୀ କେ କବିତା ମଧ୍ୟ ଅଛନ୍ତି। 

ଏହି ରାୟ ଦେବା ବେଳେ କୋର୍ଟ ସିବିଆଇକୁ କଡ଼ା ଭର୍ତ୍ସନା କରିଥିଲେ। କୋର୍ଟ କହିଥିଲେ, କେବଳ ଦାବି କରି ଦେଲେ କାମ ହୁଏନି। ଯେକୌଣସି ଅଭିଯୋଗ ଉପରେ କୋର୍ଟ ସେତେବେଳେ ଭରସା କରିବେ ଯେତେବେଳେ ତା’ପଛରେ ଠୋସ୍ ଓ ପର୍ଯ୍ୟାପ୍ତ ପ୍ରମାଣ ଥିବ। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଦାଖଲ କରାଯାଇଥିବା ପ୍ରମାଣ ଦୁର୍ବଳ ତଥା ଅପର୍ଯ୍ୟାପ୍ତ ଥିଲା। 

Advertisment

କୋର୍ଟଙ୍କ ଟିପ୍ପଣୀରୁ ସ୍ପଷ୍ଟ ହେଉଛି ଯେ ଏହି ମାମଲାରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜଶିଟ୍‌ରେ ବହୁତ ତ୍ରୁଟି ରହିଥିଲା। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ମାମଲାରେ ଏମିତି ଅନେକ କଥା ରହିଥିଲା, ଯେଉଁଗୁଡ଼ିକ ଉପରେ ସନ୍ତୋଷଜନକ ଉତ୍ତର ମିଳି ନଥିଲା। 

କୋର୍ଟ ଆହୁରି କହିଥିଲେ ଯେ ଯେତେବେଳେ ସାମ୍ବିଧାନିକ ପଦପଦବୀରେ ବସିଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଅଣାଯାଏ, ସେତେବେଳେ ସେଗୁଡ଼ିକୁ ପ୍ରମାଣିତ କରିବାକୁ ପର୍ଯ୍ୟାପ୍ତ ତଥ୍ୟ ରହିବା ବହୁତ ଜରୁରୀ। କେବଳ ଅଭିଯୋଗ ଆଧାରରେ ସେମାନଙ୍କୁ ଅଭିଯୁକ୍ତ କରାଯାଇପାରିବ ନାହିଁ। 

କୋର୍ଟ ସିବିଆଇର ତଦନ୍ତ ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। କାହିଁକି କିଛି ମନ୍ତବ୍ୟ ଓ ମତାମତକୁ ତଦନ୍ତ ରେକର୍ଡରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା ବୋଲି କୋର୍ଟ ପଚାରିଥିଲେ। ସେହିଭଳି ସିବିଆଇ ବ୍ୟବହାର କରିଥିବା ‘ସାଉଥ୍ ଗ୍ରୁପ୍‌’ ବା ‘ଦକ୍ଷିଣୀ ଗୋଷ୍ଠୀ’ ଶବ୍ଦକୁ ନିନ୍ଦା କରିଥିଲେ। ଏହାକୁ କାହିଁକି ବ୍ୟବହାର କରାଯାଇଥିଲା, ତା’ ପଛରେ କିଛି ସ୍ପଷ୍ଟତା ନଥିଲା। ଏହା ପ୍ରମାଣ ଆଧାରିତ ନଥିଲା ବୋଲି କୋର୍ଟ କହିଛନ୍ତି। ରାଜନୀତିକ ଓ ମଦ ବ୍ୟବସାୟୀଙ୍କ ଏକ କୋଟେରୀକୁ ସିବିଆଇ ‘ସାଉଥ୍ ଗ୍ରୁପ୍‌’ ନାଁ ଦେଇଥିଲା। ସିବିଆଇର ଦାବି ଥିଲା ଯେ ଦିଲ୍ଲୀର ନୂଆ ଅବକାରୀ ନୀତି ପ୍ରସ୍ତୁତ ପଛରେ ଏହି ଗ୍ରୁପ୍‌ର ହାତ ଥିଲା। 

କୋର୍ଟ ସର୍ବପ୍ରଥମେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଦିଲ୍ଲୀ ଅବକାରୀ ବିଭାଗର କମିଶନର ଥିବା କୁଲଦୀପ ସିଂହଙ୍କୁ ଦୋଷମୁକ୍ତ କରିଥିଲେ। ତା’ପରେ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ତା’ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଥିଲେ କୋର୍ଟ।  

ଅନ୍ୟପକ୍ଷରେ କୋର୍ଟଙ୍କ ଏହି ରାୟରେ ସିବିଆଇ ସନ୍ତୁଷ୍ଟ ହୋଇନାହିଁ। ଏହି ତଦନ୍ତକାରୀ ସଂସ୍ଥା ହାଇକୋର୍ଟ ଯିବାକୁ ମନସ୍ଥ କରିଛି। ସିବିଆଇ ଓକିଲ ଏହି ସଙ୍କେତ ଦେଇଛନ୍ତି। ତଳ କୋର୍ଟଙ୍କ ରାୟକୁ ବିଶ୍ଳେଷଣ କରିବା ପରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ସେ ସଙ୍କେତ ଦେଇଛନ୍ତି। 

ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କର ସହଯୋଗୀମାନଙ୍କୁ ବହୁ ଅସୁବିଧାରେ ପକାଇଥିଲା। ସେତେବେଳେ ସେମାନେ କ୍ଷମତାରେ ଥିଲେ। ଦିଲ୍ଲୀରେ ଆପ୍ କ୍ଷମତାସୀନ ଥିବା ବେଳେ ୨୦୨୧-୨୨ରେ ଆରମ୍ଭ କରାଯାଇଥିଲା ନୂଆ ଅବକାରୀ ନୀତି। ଏହା ଫଳରେ ଅଧିକ ରାଜସ୍ୱ ମିଳିପାରିବ ବୋଳି ଦଳ ପକ୍ଷରୁ ଦାବି କରାଯାଇଥିଲା। ପୁରୁଣା ଅବକାରୀ ନୀତିଠାରୁ ଏହା ବହୁତ ଭଲ ବୋଲି ଦାବି କରାଯାଇଥିଲା। ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଆଉ ତା’ପରେ ପରେ ଏଥିରେ ଘୋଟାଲ ହୋଇଥିବା ଅଭିଯୋଗ ଆସିଥିଲା। ତତ୍‌କାଳୀନ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସସେନାଙ୍କ ଅଭିଯୋଗ ଆଧାରରେ ୨୦୨୨ ଅଗଷ୍ଟ ମାସରେ ସିବିଆଇ ଏକ ଏଫଆଇଆର ରୁଜୁ କରିଥିଲା ଓ ଏହାର ତଦନ୍ତ ଆରମ୍ଭ କରିଥିଲା। 

କେତେ ଟଙ୍କାର ଖେଳ ଥିଲା ଏହି ତଥାକଥିତ ‘ଘୋଟାଲା’?

ଯେତେବେଳେ ଏହି ମାମଲା ଉଠିଲା, କୁହାଗଲା ଯେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଯେତେବେଳେ ଉପ-ରାଜ୍ୟପାଳଙ୍କୁ ରିପୋର୍ଟ ଦିଆଗଲା, ସେଥିରେ ଉଲ୍ଲେଖ କରାଯାଇଥିଲା ଯେ ପ୍ରାୟ ୫୮୦ କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି। ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ପରବର୍ତ୍ତୀ ସମୟରେ କୁହାଯାଇଥିଲା ଯେ ନୂଆ ଅବକାରୀ ନୀତି ମାଧ୍ୟମରେ ମଦ ବ୍ୟବସାୟୀଙ୍କୁ ୧୨% ଲାଭ ସୁନିଶ୍ଚିତ କରାଯାଇଛି। ଆଉ ତା’ ବଦଳରେ ୧୦୦ କୋଟି ଟଙ୍କାର ଲାଞ୍ଚ କରାବାର ହୋଇଛି।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଦାବି କରିଥିଲା ଯେ ଲାଞ୍ଚ ଟଙ୍କାରୁ ପ୍ରାୟ ୪୫ କୋଟି ଟଙ୍କା ଗୋଆ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି ଖର୍ଚ୍ଚ କରିଥିଲା।  

କାନ୍ଦିଲେ କେଜ୍ରିୱାଲ

କୋର୍ଟଙ୍କ ରାୟ ଆସିବା ପରେ କାନ୍ଦି ପକାଇଛନ୍ତି ଅରବିନ୍ଦ କେଜ୍ରିୱାଲ।  କୋର୍ଟ ବାହାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେଲା ବେଳେ କାନ୍ଦି ପକାଇଥିଲେ କେଜ୍ରିୱାଲ। ସେ କହିଛନ୍ତି, ଆମେ ସବୁବେଳେ କହିଆସୁଛୁ ଯେ ଶେଷରେ ସତ୍ୟର ହିଁ ବିଜୟ ହେବ। ମୁଁ ସବୁ ବେଳେ କହିଛି ଯେ ସତ ଆମ ସହିତ ଅଛି। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘରୁ ଘୋଷାଡ଼ି ନେଇ ଜେଲରେ ଫୋପାଡ଼ି ଦିଆଗଲା। ଯାହା ପୂର୍ବରୁ କେବେ ହୋଇ ନଥିଲା।  ଆମ ଉପରକୁ କାଦୁଅ ଫିଙ୍ଗାଗଲା। 

ସେ ଆହୁରି କହିଛନ୍ତି, ମୁଁ ଓ ଆମ୍ ଆଦ୍‌ମୀ ପାର୍ଟି କଟ୍ଟର ଇମାନ୍‌ଦାର। ମୋ ବିରୋଧରେ କରାଯାଇଥିବା ପୂରା ମାମଲା ମିଛ ଥିଲା। ଏହା ମୋ ଛବି ଖରାପ କରିବାକୁ ପ୍ରସ୍ତୁତ ହୋଇଥିଲା। ଦଳକୁ ଭାଙ୍ଗି ଦେବାକୁ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବାକୁ ବିଜେପି ଏହି ଷଡ଼ଯନ୍ତ୍ର କରିଥିଲା। ଦଳର ବଡ଼ ବଡ଼ ୫ ନେତାଙ୍କୁ ଜେଲରେ ପୂରାଇ ଦିଆଯାଇଥିଲା। ମୋତେ ୬ ମାସ ଜେଲରେ ରଖିଲେ। ମନୀଷ ସିସୋଦିଆଙ୍କୁ ପ୍ରାୟ ୨ ମାସ ଜେଲରେ ରହିବାକୁ ପଡ଼ିଲା। ମୁଁ ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ଚାହୁଁଛି ଯେ କ୍ଷମତା ପାଇଁ ଦେଶ ଓ ସମ୍ବିଧାନ ସହିତ ଏଭଳି ଢଙ୍ଗରେ ଖେଳନ୍ତୁ ନାହିଁ। ଯଦି ଆପଣ କ୍ଷମତା ଚାହୁଁଛନ୍ତି, ତା’ହେଲେ ଭଲ କାମ କରନ୍ତୁ। ସାରା ଦେଶରେ ବହୁ ସମସ୍ୟା ରହିଛି। ସେଗୁଡ଼ିକର ସମାଧାନ କରନ୍ତୁ ଓ କ୍ଷମତାକୁ ଆସନ୍ତୁ।    

୨୦୧୧ରେ ଅନ୍ନା ହଜାରେଙ୍କ ଦୁର୍ନୀତି ବିରୋଧର ଅଭିଯାନରୁ ଆରମ୍ଭ ହୋଇଥିଲା ଅରବିନ୍ଦ କେଜ୍ରିୱାଲଙ୍କ ରାଜନୀତିକ କ୍ୟାରିୟର ଓ ଗଠନ ହୋଇଥିଲା ଆପ୍‌। ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପରାସ୍ତ ହୋଇଥିଲା। ବିଜେପି ନିର୍ବାଚନ ଜିତି ସରକାର ଗଠନ କରିଛି।      

AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe