Advertisment

କେନ୍ଦ୍ର ବିରୋଧରେ ସମର୍ଥନ ହାସଲ ପାଇଁ ଶରଦ ପାୱାରଙ୍କୁ ଭେଟିଲେ କେଜ୍ରିୱାଲ

ବୁଧବାର ସେ ଉଦ୍ଧବ ଠାକରେଙ୍କୁ ଭେଟିଥିବା ବେଳେ ଆଜି ଶରଦ ପାୱାରଙ୍କୁ ଭେଟି ସମର୍ଥନ ଯୋଗାଡ଼ କରିଛନ୍ତି। ଉଭୟ ଉଦ୍ଧବ ଓ ଶରଦ ତାଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ ଦେବେ ବୋଲି କହିଥିବା କେଜ୍ରିୱାଲ ସୂଚନା ଦେଇଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
AAP

AAP

ଦିଲ୍ଲୀ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ବିରୋଧୀଙ୍କୁ ଏକାଠି କରିବା ଲକ୍ଷ୍ୟରେ ଥିବା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଭେଟିଛନ୍ତି।

Advertisment

ବୁଧବାର ସେ ଉଦ୍ଧବ ଠାକରେଙ୍କୁ ଭେଟିଥିବା ବେଳେ ଆଜି ଶରଦ ପାୱାରଙ୍କୁ ଭେଟି ସମର୍ଥନ ଯୋଗାଡ଼ କରିଛନ୍ତି। ଉଭୟ ଉଦ୍ଧବ ଓ ଶରଦ ତାଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ ଦେବେ ବୋଲି କହିଥିବା କେଜ୍ରିୱାଲ ସୂଚନା ଦେଇଛନ୍ତି।

ବର୍ତ୍ତମାନ ମୁମ୍ବାଇରେ ଥିବା କେଜ୍ରିୱାଲ କହିଛନ୍ତି, “ବିଜେପିର ଗେମ ପ୍ଲାନ ଦେଶ ପାଇଁ ଅତ୍ୟନ୍ତ ବିପଦଜନକ ସ୍ଥିତି ସୃଷ୍ଟି କରୁଛି। ଏହା ବିରୋଧୀଙ୍କ ପାଇଁ ପ୍ରସଙ୍ଗ ନୁହେଁ। ଏହା ଦେଶର ପ୍ରସଙ୍ଗ।” ଶରଦ ପାୱାର ଓ ଉଦ୍ଧବ ଠାକେରଙ୍କ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତାଙ୍କ ପଶ୍ଚିମବଙ୍ଗ ପ୍ରତିପକ୍ଷ ମମତା ବାନାର୍ଜୀ ଓ ବିହାର ପ୍ରତିପକ୍ଷ ନୀତୀଶ କୁମାରଙ୍କୁ ମଧ୍ୟ ଭେଟିଥିଲେ।

Advertisment

ଶରଦ ପାୱାର ହେଉଛନ୍ତି ଦେଶର ସବୁଠାରୁ ଅଭିଜ୍ଞ ଓ ସମ୍ମାନୀୟ ରାଜନେତା। ରାଜ୍ୟସଭାରେ ଏନସିପିର ୪ ଜଣ ସାଂସଦ ରହିଛନ୍ତି। ଏମାନଙ୍କ ସମର୍ଥନ ବ୍ୟତୀତ କେଜ୍ରିୱାଲ ଆଜିର ଭେଟଘାଟରୁ ଶରଦ ପାୱାରଙ୍କ ଠାରୁ ବିରୋଧୀ ଏକତା ମଧ୍ୟ ଚାହିଁଛନ୍ତି।

ସେ କହିଛନ୍ତି, “ଶରଦ ପାୱାର ସାର ହେଉଛନ୍ତି ଦେଶର ସବୁଠାରୁ ବଡ଼ ନେତା। ମୁଁ ଆଜି ତାଙ୍କୁ ସମର୍ଥନ ପାଇଁ ଅନୁରୋଧ କରିଛି। ଏଥିସହ ଦେଶର ଅନ୍ୟ ଦଳଗୁଡ଼ିକ କେମିତି ଆମକୁ ସମର୍ଥନ କରିବେ, ସେନେଇ ମଧ୍ୟ ସହାୟତା କରିବାକୁ କହିଛି।” କେଜ୍ରିୱାଲ ଆଜି ଶରଦ ପାୱରଙ୍କୁ ଭେଟିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ରାଘବ ଚଡ୍ଡା ଓ ଦିଲ୍ଲୀର ମନ୍ତ୍ରୀ ଆତିଶୀ ଉପସ୍ଥିତ ରହିଥିଲେ। 

କେଜ୍ରିୱାଲ କେବଳ ଅନ୍ୟ ଦଳ କଥା କହିଥିବା ବେଳେ କଂଗ୍ରେସର ନାଁ ଧରି ନାହାନ୍ତି। ତେଣୁ ଅଧ୍ୟାଦେଶ ବିରୋଧରେ ରଣନୀତି କରୁଥିବା କେଜ୍ରିୱାଲ ଏବେ ଶରଦ ପାୱାରଙ୍କ ଦ୍ୱାରା କଂଗ୍ରେସକୁ ରାଜ୍ୟସଭା ଲଢ଼େଇରେ ସାମିଲ କରିବା ଲକ୍ଷ୍ୟରେ ରହିଥିବା କୁହାଯାଉଛି।

କଂଗ୍ରେସର ସହାୟତା ଆପ୍‌ ପାଇଁ ଜରୁରୀ। ଆପ୍‌କୁ ରାଜ୍ୟସଭାରେ କେନ୍ଦ୍ରର ଅଧ୍ୟାଦେଶକୁ ଅକାମୀ କରିବାକୁ ହେଲେ କଂଗ୍ରେସର ଆବଶ୍ୟକତା ରହିଛି। ରାଜ୍ୟସଭାରେ କଂଗ୍ରେସର ୩୧ ଜଣ ସାଂସଦ ରହିଥିବା ବେଳେ ଟିଏମସିର ୧୨, ଏନସିପିର ୪, ଶିବସେନା(ୟୁବିଟି)ର ୩ ଓ ଆପ୍‌ର ୧୦ ଜଣ ସାଂସଦ ରହିଛନ୍ତି।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନିଷ୍ପତ୍ତି ଉପ ରାଜ୍ୟପାଳ ନେବେ ବୋଲି କେନ୍ଦ୍ର ସରକାର ଗୋଟିଏ ଅଧ୍ୟାଦେଶ ଆଣିଛନ୍ତି। ଏହି ଅଧ୍ୟାଦେଶ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ପୋଷ୍ଟିଂ ଓ ବଦଳି ଅଧିକାର ଦେଇଥିଲେ।

ଏହାକୁ ମାତ ଦେବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି। ଏହି ଅଧ୍ୟାଦେଶକୁ ବିଲ୍‌ ଆକାରରେ ବିଜେପି ସରକାର ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବେ। ଏଥିସହ ବେଶ ସହଜରେ ଏହାକୁ ପାରିତ କରିବେ ବୋଲି ଆଶା ରଖିଛନ୍ତି।

କିନ୍ତୁ ଆପ୍‌ ସମସ୍ତ ବିରୋଧୀ ଦଳଗୁଡ଼ିକର ସମର୍ଥନରେ ରାଜ୍ୟସଭାରେ ବିଲ ଯେମିତି ପାରିତ ନ ହେବ, ତା’ର ବ୍ୟବସ୍ଥା କରିବାକୁ ଯୋଜନା କରୁଛି।

ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୧୧୦ ଜଣ ରାଜ୍ୟସଭା ସାଂସଦ ରହିଛି। ଏହା ମ୍ୟାଜିକ ନମ୍ବର ୧୧୯ ଠାରୁ ୯ କମ। ସେହିପରି ସବୁ ବିରୋଧୀ ମିଶିଗଲେ ସେମାନଙ୍କ ସଂଖ୍ୟା ମଧ୍ୟ ୧୧୦ ହୋଇଯିବ। ଏପରି ସ୍ଥିତିରେ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଆନ୍ଧ୍ର ପ୍ରଦେଶର ୱାଏସ୍‌ଆର କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।

Bjp Arvind Kejriwal Sharad Pawar AAP NCP