ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ହଠାତ୍ ସକ୍ରିୟ ହୋଇ ଉଠିଛି ଇଡି। ଆଜି ୱାରେଣ୍ଟ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ।
ଇଡିର ଅଧିକାରୀମାନେ କେଜ୍ରିୱାଲଙ୍କ ଘର ସର୍ଚ୍ଚ କରୁଥିବା ବେଳେ ତାଙ୍କ ବୟାନ ମଧ୍ୟ ରେକର୍ଡ କରୁଛନ୍ତି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଉଥିବା ଜଣାପଡ଼ିଛି।
ଇଡି ଅଧିକାରୀମାନେ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରୁଥିବା ବେଳେ କେଜ୍ରିୱାଲଙ୍କ ଲିଗାଲ ଟିମ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଇଡିର ଏପରି କାମ ବେଆଇନ ଓ ଗିରଫଦାରୀରୁ ସୁରକ୍ଷା ଦାବି କରି ଗୋଟିଏ ଆବେଦନ କେଜ୍ରିୱାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିସହ ଏହାର ଜରୁରୀ ଶୁଣାଣି ପାଇଁ ମଧ୍ୟ ନିବେଦନ କରାଯାଇଛି। କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ସୁପ୍ରିମକୋର୍ଟ ଯାଇଛନ୍ତି।
ଗିରଫଦାରୀରୁ ସୁରକ୍ଷା ପାଇବା ପାଇଁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ କୌଣସି ପ୍ରକାରର ସୁରକ୍ଷା ନ ଦେବାରୁ ଇଡି ଟିମ ତାଙ୍କ ଘରେ ପହଞ୍ଚି ଯାଇଛି। ହାଇକୋର୍ଟରୁ ନିରାଶ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଛନ୍ତି। କିନ୍ତୁ ଇଡି ଟିମ ଯୋଜନାବଦ୍ଧ ଭାବେ କେଜ୍ରିୱାଲଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚିଥିବା ଆପ୍ ଅଭିଯୋଗ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।