ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଜେଲରୁ ବାହାରିଥିଲେ। ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ସହିତ ଆତିଶୀ ଓ ଅରବିନ୍ଦ କେଜ୍ରିୱାଲ

  • Published: Tuesday, 17 September 2024
  • , Updated: 17 September 2024, 05:41 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଆତିଶୀ, ସୌରଭ ଭରଦ୍ୱାଜ ଓ ଗୋପାଳ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। 

କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଏବେ ଆପର ଅନ୍ୟତମ ବରିଷ୍ଠ ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ଆଜି ସେ ମଧ୍ୟ ଉପ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।

କେଜ୍ରିୱାଲ ଇସ୍ତଫା ଦେଇଥିବାରୁ ଖୁବଶୀଘ୍ର ସେ ରହୁଥିବା ସିଭିଲ୍‌ ଲାଇନ୍ସ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବେ। ଏହି ବଙ୍ଗଳାରେ କେଜ୍ରିଓ୍ୱାଲ ତାଙ୍କ ପତ୍ନୀ ସୁନୀତା, ନିଜର ପିଲା ଓ ବାପା-ମା'ଙ୍କ ସହ ରହୁଛନ୍ତି। ବଙ୍ଗଲା ଛାଡ଼ିବା ପାଇଁ ମଧ୍ୟ ସେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଶୁକ୍ରବାର ଜେଲରୁ ବାହାରିଥିଲେ। ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ଅପରାହ୍ନରେ ଉପ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ପୂର୍ବରୁ ଆପ୍‌ର ବିଧାୟକ ଦଳ ବୈଠକ ଦିନ ୧୧ଟାରେ ବସିଥିଲା। ଏହି ସମୟରେ କେଜ୍ରିୱାଲ ତାଙ୍କ ଉତ୍ତରାଧିକାରୀ ଭାବେ ଆତିଶୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ଏହାପରେ ଅପରାହ୍ନରେ ଆତିଶୀଙ୍କୁ ସାଙ୍ଗରେ ଧରି କେଜ୍ରିୱାଲ ଉପ ରାଜ୍ୟପାଳଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ନିଜର ଇସ୍ତଫାପତ୍ର ତାଙ୍କୁ ହସ୍ତାନ୍ତର କରିଥିଲେ।

୫୬ ବର୍ଷୀୟ ଅରବିନ୍ଦ କେଜ୍ରିୱାଲ ପ୍ରଥମଥର ପାଇଁ ୨୦୧୩ ମସିହା ଡିସେମ୍ବର ୨୮ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ଦଳ ମାତ୍ର ୨୮ଟି ଆସନ ଜିତିଥିଲେ ହେଁ କଂଗ୍ରେସର ୮ ଜଣ, ଜନତା ଦଳର ଏକମାତ୍ର ବିଧାୟକ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ବାହ୍ୟ ସମର୍ଥନ ବଳରେ ସେ ଦିଲ୍ଲୀର ଦ୍ୱିତୀୟ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

କିନ୍ତୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀ ବିଧାନସଭାରେ ଜନ ଲୋକପାଳ ବିଲ ଉପସ୍ଥାପନ କରି ନପାରିବାରୁ ୨୦୧୪ ଫେବୃଆରୀ ୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।

୨୦୧୫ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କେଜ୍ରିୱାଲଙ୍କ ଆପ୍‌ ୭୦ରୁ ୬୭ଟି ଆସନ ଜିତି ରେକର୍ଡ କରିଥିଲା। କେଜ୍ରିୱାଲ ୨୦୧୫ରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ହେଲେ ଆଜି ୯ ବର୍ଷ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Related story