Asaduddin Owaisi
‘ପାକିସ୍ତାନ ଏକ ମୁସଲିମ ରାଷ୍ଟ୍ର ଓ ଭାରତ ନୁହେଁ କହି ଆରବ ଏବଂ ବିଶ୍ୱ ମୁସଲିମ ସଂପ୍ରଦାୟକୁ ଏକ ଭୁଲ ବାର୍ତ୍ତା ଦେଉଛି ପାକିସ୍ତାନ। ଏହା ବହୁତ ଦୁର୍ଭାଗ୍ୟଜନକ। ଭାରତରେ ୨୪୦ ମିଲିୟନ ଗର୍ବିତ ଭାରତୀୟ ମୁସଲିମ ବସବାସ କରନ୍ତି। ଆମର ଇସ୍ଲାମିକ ବିଦ୍ୱାନମାନେ ବିଶ୍ୱର ଯେକୌଣସି ବିଦ୍ୱାନଙ୍କଠାରୁ ଉତ୍ତମ। ଆରବୀ ଭାଷାରେ ସେମାନଙ୍କର ସବୁଠୁ ଭଲ ଜ୍ଞାନ ଅଛି। ପାକିସ୍ତାନ ମିଛ ପ୍ରଚାର କରୁଛି ଯେ ସେମାନେ ଏକ ମୁସଲିମ ଦେଶ ହୋଇଥିବାରୁ ଭାରତ ସେମାନଙ୍କୁ କ୍ଷତି ପହଞ୍ଚାଉଛି।’ ଏକ ପ୍ରତିନିଧି ମଣ୍ଡଳ ସହିତ ସାଉଦି ଆରବ ଗସ୍ତରେ ଯାଇଥିବା ବେଳେ ଏମିତି କହି ପାକିସ୍ତାନର ମୁଖା ଖୋଲିଛନ୍ତି ଏଆଇଏମ୍ଆଇଏମ୍ ନେତା ତଥା ଲୋକସଭା ସାଂସଦ ଅସାଦୁଦ୍ଦିନ ଓୱେସୀ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ବିଶ୍ୱର ବିଭିନ୍ନ ଦେଶକୁ ପାକିସ୍ତାନର ଅପକର୍ମ ବିଷୟରେ ଜଣାଇବାକୁ ଭାରତ ସରକାରଙ୍କ ପକ୍ଷରୁ ଏକାଧିକ ପ୍ରତିନିଧି ମଣ୍ଡଳୀ ଗସ୍ତ କରିଥିବା ବେଳେ ସେଥିରୁ ଗୋଟିଏ ପ୍ରତିନିଧି ମଣ୍ଡଳରେ ଅଛନ୍ତି ଏଆଇଏମ୍ଆଇଏମ୍ ନେତା ତଥା ଲୋକସଭା ସାଂସଦ ଅସାଦୁଦ୍ଦିନ ଓୱେସୀ।
ସାଉଦ ଆରବରେ ଓୱେସୀ କହିଛନ୍ତି, ମେ’ ୯ ତାରିଖରେ କ’ଣ ଘଟିଥିଲା? ୯ଟି ଏୟାରବେସ୍କୁ ଟାର୍ଗେଟ୍ କରାଯାଇଥିଲା। ଭାରତ ଯଦି ଚାହିଁଥା’ନ୍ତା, ତା’ହେଲେ ସେହି ସବୁ ଏୟାରବେସ୍ଗୁଡ଼ିକୁ ସଂପୂର୍ଣ୍ଣ ଧ୍ୱଂସ କରିପାରିଥା’ନ୍ତା। କିନ୍ତୁ ଆମେ ତାଙ୍କୁ କେବଳ ଉଦାହରଣ ଦେବାକୁ ଚାହୁଁଥିଲୁ ଓ ତା’ ସହିତ ଚେତାବନୀ ଦେଇଥିଲୁ ଯେ ସେମାନେ ସେପରି କିଛି କରନ୍ତୁ ନାହିଁ ଏବଂ ଏଭଳି ରାସ୍ତାରେ ଯିବା ପାଇଁ ଆମକୁ ବାଧ୍ୟ କରନ୍ତୁ ନାହିଁ। ଆଉ ଏକ ଆଶ୍ଚର୍ଯ୍ୟର କଥା ଏହା ଯେ ଯେଉଁ ବ୍ୟକ୍ତିକୁ ଆମେରିକା ଆତଙ୍କବାଦୀ ଘୋଷଣା କରିଛି ସେ ପାକିସ୍ତାନରେ ଅନ୍ୟ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପୂର୍ବରୁ ଆୟୋଜିତ ପ୍ରାର୍ଥନା ସଭାର ନେତୃତ୍ୱ ନେଇଥିଲା।
ସେ କହିଛନ୍ତି, ଆତଙ୍କବାଦୀଙ୍କ ନିକଟରେ ପହଞ୍ଚୁଥିବା ପାଣ୍ଠିକୁ ଅଟକାଇବା ପାଇଁ ପାକିସ୍ତାନକୁ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସର ଗ୍ରେ ସ୍କେଲରେ ରଖିବାକୁ ହେବ। ତା’ହେଲେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚୁଥିବା ପାଣ୍ଠିକୁ ରୋକି ହେବ। ଯେତେବେଳେ ଏହି ବ୍ୟକ୍ତି (ଆସିମ ମୁନୀର)ଙ୍କୁ ପାକିସ୍ତାନରେ ଫିଲ୍ଡ ମାର୍ଶଲ କରାଗଲା, ସେତେବେଳେ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ ମହମ୍ମଦ ଏହସାନ ତାଙ୍କ ପାଖରେ ବସିଥିଲା। ସେ ଫିଲ୍ଡ ମାର୍ଶଲଙ୍କ ସହିତ ହାତ ମଧ୍ୟ ମିଳାଇଥିଲା। ତା’ର ଅନେକ ଫଟୋ ସାମ୍ନାକୁ ଆସିଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସଂପୃକ୍ତି ନେଇ ଅନେକ ପ୍ରମାଣ ଅଛି। ଆତଙ୍କବାଦୀ ସଂଗଠନଗୁଡ଼ିକ ସେଠାରେ ସମୃଦ୍ଧ ହେଉଛନ୍ତି। ସେମାନେ ସେଠାରେ ପ୍ରଶିକ୍ଷଣ ନେଉଛନ୍ତି ଓ ସେମାନଙ୍କ ମୁଖ୍ୟ କାମ ହେଉଛି ଯେ ଭାରତରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଅଧିକରୁ ଅଧିକ ସାଂପ୍ରଦାୟିକ ଦଙ୍ଗା ଘଟାଇ ଅସ୍ଥିରତା ସୃଷ୍ଟି କରିବା।
ଓୱେସୀ କହିଛନ୍ତି, ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଟିମ୍ ପାକିସ୍ତାନ ଯାଇଥିଲା ଓ ସେଠାକାର ସରକାରଙ୍କୁ ଏହି ଆକ୍ରମଣ ନେଇ ସମସ୍ତ ତଥ୍ୟ ପ୍ରମାଣ ଦେଇଥିଲା। କିନ୍ତୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏନେଇ ପାକିସ୍ତାନ କୌଣସି ପଦକ୍ଷେପ ନେଇ ନଥିଲା। ଯେତେବେଳେ ପାକିସ୍ତାନକୁ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସର ଗ୍ରେ ସ୍କେଲ ତାଲିକାଭୁକ୍ତ କରାଗଲା ସେତେବେଳେ ଯାଇ ସେମାନେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ମାମଲାକୁ ଆଗକୁ ବଢ଼ାଇଥିଲେ। ଜର୍ମାନୀରେ ଏକ ବୈଠକ ହୋଇଥିଲା। ସେଠାରେ ଭାରତ ସାଜିଦ ମୀର ନାମକ ଜଣେ ଆତଙ୍କବାଦୀକୁ ଅଭିଯୁକ୍ତ ତାଲିକାରେ ରଖିବା ପାଇଁ ପାକିସ୍ତାନକୁ କହିଥିଲା। କିନ୍ତୁ ପାକିସ୍ତାନ ସିଧା ସିଧା କହିଥିଲା ଯେ ସେ ମରି ସାରିଛି। କିନ୍ତୁ ଯେତେବେଳେ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସର ଗ୍ରେ ସ୍କେଲର କମିଟି ସାମ୍ନାକୁ ଆସିଲା, ସେତେବେଳେ ପାକିସ୍ତାନ କହିଥିଲା ଯେ ସାଜିଦ ମୀର ବଞ୍ଚିଛି। ଆପଣ ଭାବି ପାରୁଛନ୍ତି, ଯେଉଁ ଦେଶ କହିଥିଲା ଯେ ସେ (ସାଜିଦ ମୀର) ମରି ସାରିଛି, ହଠାତ୍ କହିଲା ଯେ ସେ ବଞ୍ଚିଛି। ତା’ପରେ ପାକିସ୍ତାନ ସରକାର କହିଥିଲେ ଯେ ତାଙ୍କ କୋର୍ଟ ସାଜିଦ ମୀରକୁ ଦୋଷୀ ସାବ୍ୟସ୍ତ କରି ୫ରୁ ୧୦ ବର୍ଷ ସଜା ଶୁଣାଇଛି। କିନ୍ତୁ ୨୬/୧୧ର ମୁଖ୍ୟ କାର୍ପଟଦାରମାନେ ଖୋଲା ବୁଲୁଛନ୍ତି। ସେମାନଙ୍କୁ ମନି ଲଣ୍ଡରିଂରେ ଦୋଷୀ ସାବ୍ୟସ୍ତ କରାଯାଇଛି, ଆତଙ୍କବାଦ ପାଇଁ ନୁହେଁ।
ସେ କହିଛନ୍ତି, ଭାରତୀୟ ନ୍ୟାୟ ବ୍ୟବସ୍ଥା ଆଇନରେ ଥିବା ସମସ୍ତ ପ୍ରକ୍ରିୟାକୁ ଅନୁସରଣ କରିବା ପରେ ଅଜମଲ କସାବକୁ ମୃତ୍ୟୁଦଣ୍ଡ ଦିଆଗଲା। ସେ ବହୁତ ଜିନିଷର ଖୁଲାସା କରିଥିଲା। ୨୬/୧୧ରେ ମୁମ୍ବାଇ ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କ ସହିତ ପାକିସ୍ତାନରେ ବସି କଥାବାର୍ତ୍ତା ହେଉଥିଲେ ସେମାନଙ୍କୁ ଭାରତ ପଠାଇଥିବା ଆତଙ୍କବାଦୀ ସଂଗଠନର ନେତୃବୃନ୍ଦ। ସେହି ବାର୍ତ୍ତାଳପର ଅଡିଓକୁ ଆମର ଏଜେନ୍ସୀଗୁଡ଼ିକ ରେକର୍ଡ କରିବାକୁ ସମର୍ଥ ହୋଇଥିଲେ। ଉକ୍ତ ଅଡିଓରୁ ଶୁଣିବାକୁ ମିଳିଛି ଯେ ଅଧିକରୁ ଅଧିକ ଭାରତୀୟଙ୍କୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏମିତି କଲେ ଆକ୍ରମଣକାରୀ ଆତଙ୍କବାଦୀମାନେ ସ୍ୱର୍ଗକୁ ଯିବେ ବୋଲି ସେମାନଙ୍କ ନେତାମାନେ କହିଥିଲେ।
ସୂଚନାଯୋଗ୍ୟ, ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେତୃତ୍ୱରେ ବିଦେଶ ଗସ୍ତରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଅଛନ୍ତି ଅସାଦୁଦ୍ଦିନ ଓୱେସୀ। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ଦୁବେ, ରେଖା ଶର୍ମା ଓ ସତ୍ନାମ ସିଂହ ସାନ୍ଧୁ ପ୍ରମୁଖ ଅଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ ସାଉଦି ଆରବ, କୁଏତ, ବାହରିନ୍ ଓ ଆଲ୍ଜେରିଆ ଗସ୍ତରେ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1748508629.jpg)