Advertisment

ବସୁନ୍ଧରାଙ୍କର ହଜମ ହେଲାନି ଗେହଲଟଙ୍କ ପ୍ରଶଂସା, କହିଲେ - ଏହା ପୂରାପୂରି ଷଡଯନ୍ତ୍ର

‘ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅଛି। ହାରିବା ଡରରେ ଗେହଲଟ ଏପରି ବୟାନବାଜି କରୁଛନ୍ତି।’

Vasundhara Raje & Ashok Gehlot

Vasundhara Raje & Ashok Gehlot

Advertisment

ପୁଣି ଥରେ ସରଗରମ ହୋଇଛି ରାଜସ୍ଥାନ ରାଜନୀତି। ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବିଜେପି ନେତ୍ରୀ ବସୁନ୍ଧରା ରାଜେ । ବସୁନ୍ଧରା ରାଜେଙ୍କୁ ଅଶୋକ ଗେହଲଟ ପ୍ରଶଂସାରେ ପୋତି ପକାଇବା ସତ୍ତ୍ୱେ ଏହାକୁ କିନ୍ତୁ ନାପସନ୍ଦ କରିଛନ୍ତି ବସୁନ୍ଧରା ରାଜେ । ଏଥିସହ ଗେହଲଟ ବିଳିବିଳାଉଥିବା ବେଳେ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା କହିଛନ୍ତି। ତେଣୁ ଏବେ କିଏ ସତ କହୁଛି ତାହାକୁ ନେଇ ରାଜସ୍ଥାନର ଜନସାଧାରଣ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

Advertisment

ଢୋଲପୁରରେ ଏକ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ୩ ବିଜେପି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ପୂର୍ବତନ ବାଚସ୍ପତି କୈଳାସ ମେଘୱାଲ ଓ ବିଧାୟକ ଶୋଭାରାଣୀ କୁଶୱାହଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହି ୩ ବିଜେପି ନେତାଙ୍କ ନିମନ୍ତେ ୨୦୨୦ ମସିହାରେ ତାଙ୍କ ସରକାର ପତନ ମୁହଁରୁ ବର୍ତ୍ତି ଯାଇଥିବା କହିଥିଲେ।

ଗେହଲଟଙ୍କ କହିବାନୁଯାୟୀ, ୨୦୨୦ ଜୁଲାଇରେ ରାଜସ୍ଥାନର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ୧୮ ବିଧାୟକଙ୍କୁ ନେଇ ବିଦ୍ରୋହ କରିଥିଲେ। ସେ ସମୟରେ ବସୁନ୍ଧରାଙ୍କ ସମେତ ଅନ୍ୟ ୨ ନେତା କଂଗ୍ରେସ ସରକାରକୁ ବଞ୍ଚାଇବାକୁ ଗେହଲଟଙ୍କୁ ସାହାଯ୍ୟ କରିଥିଲେ। ରବିବାର ଗେହଲଟ ଏହା ପ୍ରକାଶ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ନିଜ ଦଳର ଲୋକ କଂଗ୍ରେସ ଆଡ଼କୁ ଢଳୁଥିବା ଜାଣି ଏହାକୁ ବାରଣ କରିଥିଲେ ବସୁନ୍ଧରା ରାଜେ। ଏପରିକି ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଭାଙ୍ଗିବା ଆମ ପରମ୍ପରା ନୁହେଁ ବୋଲି ସେ କହିଥିଲେ। ତେଣୁ ଆମ ସରକାର ବଞ୍ଚି ଯାଇଥିଲା ବୋଲି କହିଥିଲେ ଗେହଲଟ ।

Advertisment

କିନ୍ତୁ ବସୁନ୍ଧରା ରାଜେ ଏହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରି ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅଛି। ହାରିବା ଡରରେ ଗେହଲଟ ଏପରି ବୟାନବାଜି କରୁଛନ୍ତି। ଗେହଲଟ ନିଜ ପାର୍ଟିରେ ବିରୋଧର ସମ୍ମୁଖୀନ ହେଉଥିବାରୁ ଏପରି ମନ୍ତବ୍ୟ ଦେଉଛନ୍ତି। ଏଥିରେ ସେ ସମ୍ପୂର୍ଣ୍ଣ ଭାବେ ବିଳିବିଳାଉଛନ୍ତି। ମୋର ସବୁଠୁ ଅଧିକ ଅପମାନ ଗେହଲଟ ହିଁ କରିଛନ୍ତି, ତେଣୁ ତାଙ୍କ ମୁହଁରୁ ମୋ ପ୍ରଶଂସାକୁ ହଜମ କରିପାରୁନି ବୋଲି କହିଛନ୍ତି ବସୁନ୍ଧରା।

ଏହି ଭାଷଣ ବେଳେ ଗେହଲଟ କହିଥିଲେ, କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଅମିତ ଶାହ, ଗଜେନ୍ଦ୍ର ସିଂ ଶେଖାୱତ ଓ ଧର୍ମେନ୍ଦ୍ର ପ୍ରଧାନ ରାଜସ୍ଥାନରେ ଟଙ୍କା ବାଣ୍ଟିଥିଲେ। ଏବେ ସେମାନେ ସେହି ଟଙ୍କାକୁ ଫେରାଇ ନେଉଛନ୍ତି। ତେଣୁ ବିଜେପିରୁ ଟଙ୍କା ନେଇଥିବା କଂଗ୍ରେସ ବିଧାୟକ ଟଙ୍କା ଫେରସ୍ତ କରିଦେବା ଉଚିତ । ଫଳରେ ସେମାନେ ବିନା କୌଣସି ଚାପରେ ନିଜ ଦାୟିତ୍ୱ ତୁଲାଇ ପାରିବେ।

Rajasthan Poltics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe