/odisha-reporter/media/post_attachments/uploadimage/library/16_9/16_9_0/Marriage_1708745631.jpg)
Marriage
ଆସାମରେ ୟୁନିଫର୍ମ ସିଭିଲ କୋଡ୍ ତଥା ୟୁସିସିକୁ ନେଇ ଆଉ ପାଦେ ଆଗେଇଛନ୍ତି ସରକାର। ମୁସଲିମ ବିବାହ ଓ ଛାଡପତ୍ରକୁ ନେଇ ରହିଥିବା ୮୯ ବର୍ଷ ପୁରୁଣା ଆଇନକୁ ରଦ୍ଦ କରାଯାଇଛି। ଶୁକ୍ରବାର ରାତିରେ ଏହି ଆଇନକୁ ରଦ୍ଦ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
କ୍ୟାବିନେଟ ବୈଠକ ପରେ ଆସାମ ମନ୍ତ୍ରୀ ଜୟନ୍ତ ବରୁଆ ଏହାକୁ ୟୁନିଫର୍ମ ସିଭିଲ କୋଡ (ୟୁସିସି)ର ଏକ ବଡ ପଦକ୍ଷେପ ବୋଲି କହିଛନ୍ତି। ସେ କହିଛନ୍ତି, 'ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି ଯେ ଆସାମରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରାଯିବ। ଏହା ଅନ୍ତର୍ଗତ ଆମେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନକୁ ରଦ୍ଦ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ଏବେ ମୁସଲିମ ବିବାହ ଓ ଛାଡପତ୍ର ସମ୍ପର୍କିତ ସମସ୍ତ ମାମଲା ସ୍ୱତନ୍ତ୍ର ମ୍ୟାରେଜ ଆକ୍ଟ ଅନୁଯାୟୀ ହେବ। ଏବେ ଆକ୍ଟ ଅନୁଯାୟୀ କୌଣସି ମୁସଲିମ ବିବାହ କିମ୍ବା ଛାଡପତ୍ର ପଞ୍ଜିକରଣ ହେବ ନାହିଁ।'
ସେ ଆହୁରି କହିଛନ୍ତି, 'ମୁସଲିମ ବିବାହ ଓ ଛାଡପତ୍ର ସମ୍ପର୍କିତ ମାମଲା ପଞ୍ଜିକରଣ ପାଇଁ ଜିଲ୍ଲା ଆୟୁକ୍ତ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଦାୟିତ୍ୱ ଦିଆଯିବ। ମୁସଲିମ ବିବାହ ଛାଡପତ୍ର ଅଧିନିୟମ ଅନୁଯାୟୀ କାମ କରୁଥିବା ୯୪ ମୁସଲିମ ରେଜିଷ୍ଟ୍ରାର୍ଙ୍କୁ ପଦରୁ ହଟାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବା ସହ କାର୍ଯ୍ୟରୁ ମୁକ୍ତ କରାଯାଇଛି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋଶାଲ ମିଡିଆ ପୋଷ୍ଟରେ କହିଛନ୍ତି, ଆସାମ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟରେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜିକରଣ ଆଇନ ୧୯୩୦କୁ ପ୍ରତ୍ୟାହାର କରିନେଇଛି। ଆଇନ୍ ଅନୁଯାୟୀ ବର ଏବଂ କନ୍ୟାଙ୍କର ଆଇନଗତ ବୟସ ୧୮ ଏବଂ ୨୧ ନଥିଲେ ମଧ୍ୟ ପୁରୁଣା ବ୍ୟବସ୍ଥାରେ ବିବାହ ପଞ୍ଜିକରଣକୁ ଅନୁମତି ଦେଇଥିବା ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିଲା। ଆସାମରେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ଏହି ନିଷ୍ପତ୍ତି ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
