Advertisment

ଅତିକ ଓ ଅଶରଫଙ୍କୁ ଦିଆଗଲା କବର, ୧୪ ଦିନ ପାଇଁ ହାଜତକୁ ଗଲେ ୩ ଶୁଟର୍‌

ଡନ୍‌ରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ୩ ଜଣ ଯୁବକ ଲାଇଭ କ୍ୟାମେରା ଏବଂ ପୁଲିସ୍‌ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିଲେ।

author-image
Hemant Lenka
Atiq

Atiq

ଉତ୍ତର ପ୍ରଦେଶର ଡନ୍‌ ବ୍ରଦର୍ସ ଅତିକ ଅହମଦ ଓ ଅଶରଫଙ୍କୁ ଦିଆଯାଇଛି କବର୍‌। ପରିବାର ଲୋକଙ୍କ ଉପସ୍ଥିତି ଓ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଭାଇଙ୍କ ଅନ୍ତିମ ସଂସ୍କାର ପ୍ରୟାଗରାଜର କାସାରି ମଜାରୀ କବରସ୍ଥାନରେ କରାଯାଇଛି। ସମସ୍ତ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ସେହିପରି ସକାଳ ପ୍ରହରରୁ ୧୪୪ ଧାରା ମଧ୍ୟ ଲାଗୁ ହୋଇଥିଲା।

Advertisment

ଡନ୍‌ରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ୩ ଜଣ ଯୁବକ ଲାଇଭ କ୍ୟାମେରା ଏବଂ ପୁଲିସ୍‌ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିଲେ। ଉଭୟଙ୍କୁ ପୁଲିସ୍‌ ମେଡିକାଲ ଚେକଅପ ପାଇଁ ପ୍ରାୟାଗରାଜର ମୋତିଲାଲ ନେହରୁ ଡିଭିଜନାଲ ହସ୍ପିଟାଲକୁ ନେଉଥିଲା। ହସ୍ପିଟାଲ ଗେଟ୍‌ ସାମ୍ନାରୁ ହାତକଡ଼ି ପିନ୍ଧି ଚାଲି ଚାଲି ଯାଉଥିବା ବେଳେ ସାମ୍ବାଦିକ ବେଶରେ ଆସିଥିବା ୩ ଯୁବକ ଦୁଇ ଭାଇଙ୍କୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ଉଭୟଙ୍କୁ ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଥିଲା। ଆଜି ସକାଳେ ପ୍ରାୟଗରାଜ ହସ୍ପିଟାଲରେ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ପରିବାର ଲୋକଙ୍କୁ ପାର୍ଥିବ ଶରୀରର ହସ୍ତାନ୍ତର କରାଯାଇଥିଲା। ଶେଷରେ ରବିବାର ସନ୍ଧ୍ୟାରେ ଅତିକ ଓ ଅଶରଫଙ୍କୁ କବର ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଗୁଳିମାଡ଼ କରିବା ପରେ ଆତ୍ମସମର୍ପଣ କରିଥିବା ୩ ଯୁବକ ସନ୍ନି,ଲଭଲେଶ ଓ ବରୁଣକୁ ପୁଲିସ୍‌ ଜେରା କରିବା ପରେ ଆଜି କୋର୍ଟରେ ହାଜର କରିଥିଲା। ଏହାପରେ କୋର୍ଟ ସମସ୍ତ ୩ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଜେରା ବେଳେ ୩ ଯୁବକ ପୁଲିସ୍‌କୁ କହିଛନ୍ତି ଯେ ସେମାନେ ଉତ୍ତର ପ୍ରଦେଶରେ ନୂଆ ଡନ୍‌ ଭାବେ ପରିଚିୟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ସର୍ବସମ୍ମୁଖରେ ଅତିକ ଓ ଅଶରଙ୍କୁ ହତ୍ୟା କରିଛନ୍ତି। ତେବେ ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ୩ ଜଣିଆ ନ୍ୟାୟିକ କମିଟି ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି କମିଟି ୨ ମାସ ମଧ୍ୟରେ ତଦନ୍ତ ସାରି ସରକାରଙ୍କୁ ରିପୋର୍ଟ ଦେବ।

Uttar Pradesh Shooting Atiq Ahmed