Advertisment

ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଅତିକ ଓ ଅଶରଫଙ୍କ ଶରୀରରେ ବାଜିଥିଲା ୧୪ ଗୁଳି

ଅତିକ ଅହମଦ ଶରୀରରେ ୯ଟି ଗୁଳି ଓ ଅସରଫ ଶରୀରରୁ ମିଳିଛି ୫ଟି ଗୁଳି ଚିହ୍ନ । ଉଭୟଙ୍କ ଶରୀରରୁ ସମୁଦାୟ ୧୪ଟି ଗୁଳି ଚିହ୍ନ ମିଳିଥିବା ଡାକ୍ତର ସୂଚନା ଦେଇଛନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Atiq Ahmed- & Ashraf

Atiq Ahmed- & Ashraf

ଉତ୍ତର ପ୍ରଦେଶର ଡନ୍‌ ବ୍ରଦର୍ସ ଅତିକ ଅହମଦ ଓ ଅଶରଫଙ୍କୁ ଶନିବାର ରାତିରେ ସୁରକ୍ଷା ବଳୟ ମଧ୍ୟରେ ପୁଲିସ୍‌ ମେଡିକାଲ ଚେକଅପ୍‌ ପାଇଁ ନେଉଥିବା ବେଳେ ଉଭୟଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଅତିକ ଅହମଦ ଓ ତା’ ଭାଇ ଅଶରଫ ଟଳି ପଡ଼ିଥିଲେ। ଗତକାଲି ରାତିରେ ଉଭୟଙ୍କୁ କବର ଦିଆଯାଇଥିବା ବେଳେ ଆଜି ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମନାକୁ ଆସିଛି।

Advertisment

ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅତିକ ଅହମଦ ଶରୀରରେ ୯ଟି ଗୁଳି ଓ ଅଶରଫ ଶରୀରରୁ ମିଳିଛି ୫ଟି ଗୁଳି ଚିହ୍ନ । ଉଭୟଙ୍କ ଶରୀରରୁ ସମୁଦାୟ ୧୪ଟି ଗୁଳି ଚିହ୍ନ ମିଳିଥିବା ଡାକ୍ତର ସୂଚନା ଦେଇଛନ୍ତି । ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠିତ ହୋଇଥିବା ବେଳେ ଏହାର ଭିଡିଓଗ୍ରାଫି ବି ହୋଇଥିଲା।

ଅତିକ ଅହମଦ ଓ ଅଶରଫଙ୍କ ଉପରକୁ ୩ ଅଭିଯୁକ୍ତ ସନ୍ନି, ଲଭଲେଶ ଓ ବରୁଣ ଆଖି ବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଅତିକ ଅହମଦର ମୁଣ୍ଡରେ ଗୋଟିଏ ଗୁଳି ସମେତ ଛାତି ଓ ପିଠିରେ ୮ଟି ଗୁଳି ଲାଗିଛି। ସେହିପରି ଅଶରଫ ଶରୀରରେ ୫ଟି ଗୁଳି ଲାଗିଛି। ଗୋଟିଏ ଗୁଳି ଅଶରଫ ମୁହଁରେ ବାଜିଥିବା ବେଳେ ଓ ଆଉ ୪ଟି ଗୁଳି ତା’ ପିଠି ପାର୍‌ କରି ପଳାଇଛି।

Advertisment

ଡନ୍‌ରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଶନିବାର ରାତିରେ ୩ ଜଣ ଯୁବକ ଲାଇଭ କ୍ୟାମେରା ଏବଂ ପୁଲିସ୍‌ ଉପସ୍ଥିତିରେ ଗୁଳି କରି ହତ୍ୟା କରିଥିଲେ। ଉଭୟଙ୍କୁ ପୁଲିସ୍‌ ମେଡିକାଲ ଚେକଅପ ପାଇଁ ପ୍ରୟାଗରାଜର ମୋତିଲାଲ ନେହରୁ ଡିଭିଜନାଲ ହସ୍ପିଟାଲକୁ ନେଉଥିଲା। ହସ୍ପିଟାଲ ଗେଟ୍‌ ସାମ୍ନାରୁ ହାତକଡ଼ି ପିନ୍ଧି ଚାଲି ଚାଲି ଯାଉଥିବା ବେଳେ ସାମ୍ବାଦିକ ବେଶରେ ଆସିଥିବା ୩ ଯୁବକ ଦୁଇ ଭାଇଙ୍କୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହି ହାଇ ପ୍ରୋଫାଇଲ ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ୩ ଜଣିଆ କମିଟି ଗଠନ କରିଥିବା ବେଳେ ୨ ମାସ ମଧ୍ୟରେ ଏହି କମିଟି ନିଜ ରିପୋର୍ଟ ପ୍ରଦାନ କରିବ ।

ଗତ ରବିବାର ସକାଳେ ପ୍ରାୟଗରାଜ ହସ୍ପିଟାଲରେ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଏହାପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଶେଷରେ ରବିବାର ସନ୍ଧ୍ୟାରେ ଅତିକ ଓ ଅଶରଫଙ୍କୁ କବର ଦିଆଯାଇଥିଲା।

ଅନ୍ୟପକ୍ଷରେ ଗୁଳିମାଡ଼ କରିବା ପରେ ଆତ୍ମସମର୍ପଣ କରିଥିବା ୩ ଯୁବକ ସନ୍ନି,ଲଭଲେଶ ଓ ବରୁଣକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Uttar Pradesh Shootout Atiq Ahmed