Advertisment

ରିମାଣ୍ଡ କପିରେ ଦାବି କଲା ପୁଲିସ: ଲସ୍କର ଓ ଆଇଏସଆଇ ସହ ରହିଛି ଅତିକ ଅହମଦଙ୍କ ଲିଙ୍କ

ଜେରା ବେଳେ ଅତିକ ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି ଯେ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ସେ ହିଁ ଜେଲ ଭିତରୁ ଷଡ଼ଯନ୍ତ୍ର କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Atiq Ahmed

Atiq Ahmed

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦଙ୍କ ସମ୍ପର୍କରେ ପୁଲିସ୍‌ ଦାଖଲ କରିଥିବା ରିମାଣ୍ତ କପିରେ ସାଂଘାତିକ ତଥ୍ୟ ରହିଛି। ଜେରା ବେଳେ ଅତିକ ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି ଯେ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ସେ ହିଁ ଜେଲ ଭିତରୁ ଷଡ଼ଯନ୍ତ୍ର କରିଥିଲେ। ତାଙ୍କ ପତ୍ନୀ ଶହିସ୍ତା ମଧ୍ୟ ଏଥିରେ ସାମିଲ ଥିଲେ।

Advertisment

ଉମେଶ ପାଲଙ୍କ ସହ ଦୁଇ ଜଣ ବନ୍ଧୁକଧାରୀ ସୁରକ୍ଷାକର୍ମୀ ରହିଥିବା କଥା ଶହିସ୍ତା ତାଙ୍କୁ କହିଥିଲେ। ସେମାନଙ୍କୁ ମଧ୍ୟ ମାରିବା ପାଇଁ ଯୋଜନା କରାଯାଇଥିଲା ବୋଲି ଅତିକ ଅହମଦ ପୁଲିସ୍‌କୁ କହିଥିବା ରିମାଣ୍ତ କପିରେ ଉଲ୍ଲେଖ କରାଯାଇଛି। ଏଥିସହ ଅତିଙ୍କ ସମ୍ପର୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ କୁଖ୍ୟାତ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବା ସହ ରହିଥିବା ପୁଲିସ ଦାବି କରିଛି।

ଉମେଶ ପାଲ ହେଉଛନ୍ତି ୨୦୦୫ ମସିହା ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲ ହତ୍ୟକାଣ୍ଡର ମୁଖ୍ୟ ସାକ୍ଷୀ। ରାଜୁଙ୍କୁ ଅତିକ ଅହମଦ ଓ ତାଙ୍କ ସହଯୋଗୀମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅତିକଙ୍କୁ ଗିରଫ କରାଯାଇ ସାବରମତୀ ଜେଲରେ ରଖାଯାଇଥିଲା।

Advertisment

ଚଳିତ ବର୍ଷ ଫେବୃଆରୀ ମାସରେ ଉମେଶ ପାଲ ଓ ତାଙ୍କର ଦୁଇ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳିମାଡ଼ ଘଟଣାରେ ଅତିକଙ୍କ ପୁଅ ଅସଦ ରହିଥିଲେ। ତେବେ ଗୁରୁବାର ଏନକାଉଣ୍ଟରରେ ଅସଦ ଓ ତାଙ୍କ ସହଯୋଗୀ ଗୁଲାମଙ୍କ ମୃତ୍ୟୁ ଘଟିଛି।

ଅତିକ ଅହମଦ ଏପ୍ରିଲ ୧୨ରେ ପୁଲିସ୍‌କୁ ଦେଇଥିବା ବୟାନାରେ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଜେଲ ଭିତରୁ ଷଡ଼ଯନ୍ତ୍ର କରାଯାଇଥିବା କଥା କହିଛନ୍ତି।

ଅତିକ ପୁଲିସକୁ କହିଛନ୍ତି ଯେ “ମୋ ପାଖରେ ଅସ୍ତ୍ରଶସ୍ତ୍ର ଅଭାବ ନାହିଁ। କାରଣ ମୋର ସିଧାସଳଖ ଲିଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କୀ ସଂଗଠନ ଲସ୍କର ସହ ରହିଛି। ଡ୍ରୋନ ଦ୍ୱାରା ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ପଞ୍ଜାବ ସୀମାରେ ପକାଯାଏ। ଏହାକୁ ଗ୍ୟାଙ୍ଗର ସ୍ଥାନୀୟ ସଦସ୍ୟମାନେ ସଂଗ୍ରହ କରନ୍ତି। ଏହି ଅସ୍ତ୍ରଶସ୍ତ୍ରରୁ କିଛି ଜମ୍ମୁ-କଶ୍ମୀରର ଆତଙ୍କବାଦୀମାନଙ୍କୁ ମଧ୍ୟ ଦିଆଯାଏ।”

ରିମାଣ୍ଡ କପି ଅନୁଯାୟୀ, ଅତିକ ଅହମଦ ତାଙ୍କ ପତ୍ନୀ ଶହିସ୍ତା ପରବୀନଙ୍କୁ ଗୋଟିଏ ସେଲଫୋନ ଓ ସିମ ପାଇଁ କହିଥିଲେ। ଏଥିସହ ଜେଲର ସେଲ ମଧ୍ୟକୁ କେଉଁ ସରକାରୀ ଅଧିକାରୀ ଏହାକୁ ନେବେ, ତାଙ୍କ ନାଁ ମଧ୍ୟ କହିଥିଲେ। ଜେଲରେ ଥିବା ଅତିକଙ୍କ ଭାଇ ଅଶରଫଙ୍କ ପାଇଁ ମଧ୍ୟ ଗୋଟିଏ ମୋବାଇଲ ଓ ସିମ କାର୍ଡ ଯୋଗାଡ଼ କରାଯାଇଥିଲା।

ଶହିସ୍ତା କହିଥିଲେ ଯେ ଉମେଶ ପାଲଙ୍କ ସହ ସବୁବେଳେ ଦୁଇ ଜଣ ବନ୍ଧୁକଧାରୀ ରହୁଛନ୍ତି। ତେଣୁ ଅତିକ ସେମାନଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅର୍ଥ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ହିଁ ଯୋଜନା ହୋଇଥିଲା ବୋଲି ରିମାଣ୍ଡ କପିରେ କୁହାଯାଇଛି।

ବୁଧବାର ଧାରା ୧୬୧ ଅଧୀନରେ ଅତିକଙ୍କ ବୟାନ ରେକର୍ଡ କରାଯାଇଛି। ପୁଲିସ ଏବେ ଶହିସ୍ତାଙ୍କୁ ଧରିବା ପାଇଁ ପ୍ରୟାସ କରୁଛି। ତାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି। ପୁଅ ଅସଦର ଅନ୍ତିମ ସଂସ୍କାରରେ ଶହିସ୍ତା ଯୋଗ ଦେବାର ସମ୍ଭାବନା ରହିଛି। ତେଣୁ ପୁଲିସ୍‌ ଟିମ ଆଲର୍ଟ ମୋଡରେ ରହିଛନ୍ତି।

ଅନ୍ୟପକ୍ଷରେ ଉମେଶ ପାଲଙ୍କୁ ହତ୍ୟା କରିବା ପରେ ପ୍ରୟାଗରାଜରୁ ଫେରାର ହୋଇଯାଇଥିବା ଗୁଲାମ ଓ ଅସଦଙ୍କ ପାଇଁ ଅବୁ ସାଲେମ ଗ୍ୟାଙ୍ଗର ଜଣେ ସଦସ୍ୟ ରହିବାର ବ୍ୟବସ୍ଥା କରିଥିଲା। ଜେଲରେ ଥିବା ଅଶରଫ ହିଁ ଅସଦ ଓ ଗୁଲାମ କେମିତି ମହାରାଷ୍ଟ୍ରକୁ ଖସିବେ, ତା’ର ଯୋଜନା କରିଥିଲେ।

Uttar Pradesh Umesh Pal Case Atiq Ahmed Umesh Pal Murder Case