Advertisment

ଜେଲରେ ଥିବା ଅତିକ ଅହମଦଙ୍କୁ ଘାରିଲା ଏନକାଉଣ୍ଟର ଭୟ, ସୁପ୍ରିମକୋର୍ଟରେ କଲେ ଆବେଦନ

ଅତିକ ବର୍ତ୍ତମାନ ଅହମଦାବାଦର ସାବରମତି ଜେଲରେ ଅଛନ୍ତି। ୨୦୦୫ରେ ସେ ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୋଗ ହୋଇଛି।

author-image
Hemant Lenka
Atiq ahmed

Atiq ahmed

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅତିକ ଅହମଦଙ୍କୁ ଘାରିଛି ଏନକାଉଣ୍ଟର ଭୟ। ଅତିକ ଏବେ ଜେଲରେ ଥିବା ବେଳେ ତାଙ୍କୁ ଅହମଦାବାଦରୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଅତିକଙ୍କୁ ଯୋଗୀ ସରକାର ନିଜ ରାଜ୍ୟକୁ ଆଣିବାକୁ ଚାହୁଁଛନ୍ତି। ହେଲେ ଏହି ସ୍ଥାନାନ୍ତର ବେଳେ ତାଙ୍କୁ ଏନକାଉଣ୍ଟର କରି ଦିଆଯାଇ ପାରେ ବୋଲି ଅତିକ ଆଶଙ୍କା କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

Advertisment

ଅତିକ ବର୍ତ୍ତମାନ ଅହମଦାବାଦର ସାବରମତି ଜେଲରେ ଅଛନ୍ତି। ୨୦୦୫ରେ ସେ ତତ୍କାଳୀନ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପାଲ ଥିଲେ। ହେଲେ ଫେବୃଆରୀ ୨୪ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅତିକ ଅହମଦଙ୍କର ଲୋକମାନେ ତାଙ୍କୁ ମାରିଥିବା କୁହାଯାଉଛି। ଏଥିରେ ଅତିକଙ୍କ ଭାଇ ଅଶରଫ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ବରେଲୀ ଜେଲରେ ଥିବା ଅଶରଫ ହିଁ ହତ୍ୟାକାଣ୍ଡକୁ ରୂପରେଖ ଦେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଛି।

ଆଜି ସୁପ୍ରିମକୋର୍ଟରେ ଅତିକ ଅହମଦ କରିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି ଯେ ଉମେଶ ପାଲ ହତ୍ୟା ଘଟଣାରେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ଓ ଏହାପରେ ତାଙ୍କୁ ଏନକାଉଣ୍ଟର କରି ହତ୍ୟା କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ୟୁପିର ଏକାଧିକ ମନ୍ତ୍ରୀ ମଧ୍ୟ ପରୋକ୍ଷରେ ତାଙ୍କୁ ହତ୍ୟା କରାଯିବ ବୋଲି ବୟାନ ଦେଇଛନ୍ତି। ତେଣୁ ତାଙ୍କ ଜୀବନ ପ୍ରତି ଏବେ ବିପଦ ରହିଥିବା ସେ ଆବେଦନରେ ଦର୍ଶାଇଛନ୍ତି।

Advertisment

ଉମେଶ ପାଲଙ୍କ ହତ୍ୟାକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଭିଯୋଗ କରିଥିଲେ ଯେ ସମାଜବାଦୀ ପାର୍ଟି ମାଫିଆଙ୍କୁ ସମର୍ଥନ କରି ଆସୁଛି। ହେଲେ ତାଙ୍କ ସରକାର ସବୁ ମାଫିଆଙ୍କୁ ମାଟିରେ ମିଶାଇ ଦେବେ। ଏହି ବୟାନ ପରେ ଅତିକ ନିଜର ସୁରକ୍ଷା ଦାବି କରିଛନ୍ତି। ଏହାପୂର୍ବରୁ ଜେଲରେ ଥିବା ଅତିକଙ୍କ ଭାଇ ଅଶରଫ ମଧ୍ୟ ସୁରକ୍ଷା ଦାବି କରି କୋର୍ଟରେ ଆବେଦନ କରିଥିଲେ।

Uttar Pradesh Supreme Court Gujarat Sand Mafia Samajwadi Party