Advertisment

ଏକଦା ସୋନିଆ ଗାନ୍ଧିଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ବଳପୂର୍ବକ ଦଖଲ କରି ନେଇଥିଲେ ଅତିକ

ଅତିକ ବଳପୂର୍ବକ ବୀରା ଗାନ୍ଧିଙ୍କ ସମ୍ପତ୍ତିକୁ ଜବରଦଖଲ କରିନେଇଥିଲେ। ବୀରା ହେଉଛନ୍ତି ସୋନିଆ ଗାନ୍ଧିଙ୍କ ଶ୍ୱଶୁର ଫିରୋଜ ଗାନ୍ଧିଙ୍କ ସମ୍ପର୍କୀୟ।

author-image
Hemant Lenka
Atiq ahmed

Atiq ahmed

ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦଙ୍କ ଅପରାଧିକ ସାମ୍ରାଜ୍ୟ ବେଶ ଲମ୍ବା। ଏବେ ତା’ର ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଏକଦା କଂଗ୍ରେସ ହେଭିୱେଟ ସୋନିଆ ଗାନ୍ଧିଙ୍କ ଜଣେ ସମ୍ପର୍କୀୟଙ୍କ ସମ୍ପତ୍ତିକୁ ବଳପୂର୍ବକ ଦଖଲ କରି ନେଇଥିଲେ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏହି ଘଟଣା ଘଟିଥିଲା।

Advertisment

୨୦୦୭ରେ ପୂରା ଘଟଣା ଘଟିଥିଲା। ଅତିକ ବଳପୂର୍ବକ ବୀରା ଗାନ୍ଧିଙ୍କ ସମ୍ପତ୍ତିକୁ ଜବରଦଖଲ କରିନେଇଥିଲେ। ବୀରା ହେଉଛନ୍ତି ସୋନିଆ ଗାନ୍ଧିଙ୍କ ଶ୍ୱଶୁର ଫିରୋଜ ଗାନ୍ଧିଙ୍କ ସମ୍ପର୍କୀୟ। ଘଟଣା ବେଳେ ଅତିକ ଫୁଲପୁରରୁ ସାଂସଦ ଥିଲେ ଓ ତାଙ୍କ ଦଳ ସମାଜବାଦୀ ପାର୍ଟି ରାଜ୍ୟରେ କ୍ଷମତାରେ ରହିଥିଲା। ତେଣୁ କେହି ବି ବୀରା ଗାନ୍ଧିଙ୍କ ସହଯୋଗ କରିବାକୁ ଆସି ନଥିଲେ। ଶେଷରେ ସେ ସୋନିଆ ଗାନ୍ଧିଙ୍କ ସହାୟତା ଲୋଡ଼ିଥିଲେ।

ସୋନିଆଙ୍କ ହସ୍ତକ୍ଷେପ ଯୋଗୁ ଅତିକ ଉପଯୁକ୍ତ ଲୋକଙ୍କୁ ସମ୍ପତ୍ତିର ଚାବି ଫେରାଇ ଥିଲେ। ସୋନିଆ ଗାନ୍ଧିଙ୍କ ଅନେକ ସମ୍ପର୍କୀୟ ପ୍ରୟାଗରାଜରେ ରୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୀରା ଗାନ୍ଧି। ପ୍ରୟାଗରାଜର ଏମଜି ମାର୍ଗ ନିକଟରେ ଦି ପ୍ୟାଲେସ ଥିଏଟର ଥିଲା। ଏହା ବୀରା ଗାନ୍ଧିଙ୍କ ପରିବାର ଲୋକଙ୍କ ନାଁରେ ପଞ୍ଜିକୃତ ହୋଇଥିଲା।

Advertisment

ବୀରା ଗାନ୍ଧି ପ୍ୟାଲେସ ଥିଏଟର ପଛ ପାଖରେ ଥିବା ଗୋଟିଏ ସମ୍ପତ୍ତି ମଧ୍ୟ ପାଇଥିଲେ। ଅତିକ ଅହମଦ ଉକ୍ତ ଅଞ୍ଚଳରେ ଆସ୍ଥାନା ପରିବାର ଠାରୁ କିଛି ଜମି କିଣିଥିଲେ। ତାଙ୍କ ଜମି ନିକଟରେ ବୀରା ଗାନ୍ଧିଙ୍କ ସମ୍ପତ୍ତି ରହିଥିଲା। ଏକଥା ଜାଣିବା ପରେ ଅତିକ କିଛି ଗୁଣ୍ଡାଙ୍କୁ ଲଗାଇ ଉକ୍ତ ଅଞ୍ଚଳକୁ ଦଖଲ କରିଥିଲେ ଓ ସେଠାରେ ତାଲା ପକାଇ ଦେଇଥିଲେ।

ଏହି ସମୟରେ ସୋନିଆ ଗାନ୍ଧି କଂଗ୍ରେସ ଓ ୟୁପିଏର ଅଧ୍ୟକ୍ଷ ରହିଥିଲେ। କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ମଧ୍ୟ ରହିଥିଲା। ଅତିକଙ୍କ ବିରୋଧରେ ବୀରା ଗାନ୍ଧି ପ୍ରଥମେ ପୁଲିସ୍‌ର ସହାୟତା ଲୋଡ଼ିଥିଲେ। କିନ୍ତୁ କିଛି ଲାଭ ମିଳି ନଥିଲା। ସବୁଆଡ଼ୁ ନିରାଶ ହେବା ପରେ ସେ ସୋନିଆ ଗାନ୍ଧିଙ୍କ ପାଖରେ ପହଞ୍ଚିଥିଲେ।

ସୋନିଆ ତୁରନ୍ତ ପ୍ରୟାଗରାଜରେ କଂଗ୍ରେସ ମଙ୍ଗ ସମ୍ଭାଳୁଥିବା ରିତା ବହୁଗୁଣା ଯୋଶୀଙ୍କୁ ସବୁ କିଛି ବୁଝିବାକୁ ଦାୟିତ୍ୱ ଦେଇଥିଲେ। ସେ ଜିଲ୍ଲା ପ୍ରଶାସନ ସହ କଥା ହୋଇ ମାମଲାର ସମାଧାନ କରିଥିଲେ। ଏନେଇ ବୀରା କୌଣସି ପ୍ରକାରର ପୁଲିସ୍‌ କେସ୍‌ କରି ନଥିଲେ।

ରିୟଲି ଷ୍ଟେଟ କଥା ଆସିଲେ ଅତିକ ଅହମଦ ନିଜର ଦବଦବା ଦେଖାଉଥିଲେ। ସହରରେ ସେ ଅନେକ ଲୋକଙ୍କ ସମ୍ପତ୍ତିକୁ ବଳପୂର୍ବକ ଦଖଲ କରିଥିଲେ। କିନ୍ତୁ ବୀରା ଗାନ୍ଧିଙ୍କ ଘଟଣାରେ ତାଙ୍କୁ ସମ୍ପତ୍ତି ଫେରାଇବାକୁ ପଡ଼ିଥିଲା ବୋଲି ୨୦୦୧-୦୩ ଯାଏ ପ୍ରୟାଗରାଜର ଏସ୍‌ପି ଭାବେ କାମ କରିଥିବା ପୂର୍ବତନ ଆଇଜି ଲାଲଜୀ ଶୁକ୍ଳା କହିଛନ୍ତି।

ବୀରା ଗାନ୍ଧି ପରବର୍ତ୍ତୀ ଅବସ୍ଥାରେ ନିଜର ଅନେକ ସମ୍ପତ୍ତି ବିକ୍ରି କରି ମୁମ୍ବାଇ ଚାଲି ଆସିଥିଲା। ଏବେ ସେ ଅତିକଙ୍କ ସମ୍ପର୍କରେ କିଛି କହିବାକୁ ଚାହୁଁ ନଥିବା କହିଛନ୍ତି।

Congress Uttar Pradesh Sonia Gandhi Atiq Ahmed